ପହିଲି ରଜର ସୂର୍ଯ୍ୟ ପ୍ରଥମ କିରଣ
ପାଇ ମନେ ଖେଳିଥାନ୍ତା କେତେ ଶିହରଣ
ମାତ୍ର ହାୟ ନିଦାଘର ବିକଟାଳ ରୂପ
ବୋଳୁଅଛି ଦେହେ ଝାଳ ଗନ୍ଧର ପ୍ରଲେପ ।
ନାହିଁ ମାଟି ଉଠା ଚୁଲି ନାହିଁ ସରୋବର
ନାହିଁ ପୋଡ଼ପିଠା ରଜ ପାନର ଆସର
ସେ ସବୁ ମିଳିବ କାହୁଁ ଖାଲି ଦିବା ସ୍ବପ୍ନ
ପିଜା , ପାସ୍ତା, ମ୍ୟାଗି ଖାଇ ବିତୁଛି ଜୀବନ।
କାହିଁ ଅଛି ବରଗଛ କାହିଁ ଅବା ଦୋଳି
କାହିଁ ବା ଶୁଭିବ ଆଉ ପକ୍ଷୀର କାକଳି
ମଣିଷ ଯେ ଗଛ କାଟି କଲା ସତ୍ୟାନାଶ
ଫୋନି ବାତ୍ୟା ପୁଣି ଆସି କଲା ସର୍ବ ଗ୍ରାସ।
ତଥାପି ରହିଛି ଆଶା ଭାଙ୍ଗିନାହିଁ ଦମ୍ଭ
ଫେରିବ ନିଶ୍ଚୟ ଆମ ଉତ୍କଳ ବିଭବ
ସ୍ବାର୍ଥାନ୍ଧ ମଣିଷ ନିଶ୍ଚେ ହେବ ସଚେତନ
ହସିବ ପ୍ରକୃତି ରାଣୀ ହସିବ ଜୀବନ।
ସମସ୍ତଙ୍କୁ ପହିଲି ରଜର ହାର୍ଦ୍ଦିକ ଶୁଭେଛ୍ଛା
ସୌମେନ୍ଦ୍ର କୁମାର ଦାସ
ତଳନୂଆସାହି, ପୁରୀ