ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଗାନ୍ଧି ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ଆୟୋଜିତ ୩୫ତମ ସର୍ବଭାରତୀୟ ଲାଲମନୀ ସ୍ମାରକୀ କ୍ରିକେଟର ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସୁନ୍ଦରଗଡ ନବଜୀବନ କ୍ରିକେଟ କ୍ଳବ ଏବଂ ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ସଂଘ ମଧ୍ୟରେ ହୋଇଥିବା ଏହି ମ୍ୟାଚ୍ ରେ ସୁନ୍ଦରଗଡ ବିଜୟୀ ହୋଇଛି। ପ୍ରଥମେ ଟି-୨୦ ମ୍ୟାଚରେ ସୁନ୍ଦରଗଡ ଦଳ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ଖୋର୍ଦ୍ଧା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୧୨ ରନ କରିଥିଲା। ଖୋର୍ଦ୍ଧା ଦଳ ପକ୍ଷରୁ ବିଶ୍ଵଭୂଷଣ ବିହାରୀ ୩୪ରନ, ଅର୍ଜିଷ୍ଠାନ ପଟ୍ଟନାୟକ ୧୭ରନ କରିଥିଲେ। ସୁନ୍ଦରଗଡ ଦଳ ପକ୍ଷରୁ ସୌଭାଗ୍ୟ ସର୍ବାଧିକ ୩ଟି ୱିକେଟ, ଅଂଶ ଶର୍ମା ଏବଂ ସୌମ୍ୟ ଲେଙ୍କା, ସ୍ବସ୍ତିକ ସାମଲ ଓ ଅଭିଷେକ ସିଂହ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ସୁନ୍ଦରଗଡ ଦଳ ସ୍ବସ୍ତିକ ସାମଲଙ୍କ ୬୧ରନ, ଗୌରବ ଚୌଧୁରୀଙ୍କ ୨୮ରନ ଓ ଦେବେନ୍ଦ୍ର କୁଅଁରଙ୍କ ଅପରାଜିତ ୧୮ରନ ସହାୟତାରେ ୧୧୩ ରନର ବିଜୟ ଲକ୍ଷ୍ୟକୁ ଅତିକ୍ରମ କରିଥିଲା। ସୁନ୍ଦରଗଡ ଦଳକୁ ବୋନସ ରୂପରେ ୯ରନ ମିଳିଥିଲା। ସେହିପରି ଟି-୧୦ ମ୍ୟାଚ୍ରେ ଖୋର୍ଦ୍ଧା ଦଳ ମାତ୍ର ୩୮ରନ କରିଥିଲା। ସୁନ୍ଦରଗଡର ଅଂଶ ଶର୍ମା ଚମତ୍କାର ବୋଲିଂ କରି ହ୍ୟାଟ୍ରିକ ଅର୍ଜନ କରିଥିବା ବେଳେ ୯ରନ ବୋନସ ପାଇଥିବାରୁ ସୁନ୍ଦରଗଡ ଦଳ ପାଇଁ ବିଜୟ ଲକ୍ଷ୍ୟ ୨୯ରନ ରହିଥିଲା। ଏହି ଲକ୍ଷ୍ୟକୁ କୌଣସି ୱିକେଟ ନହରାଇ ସୁନ୍ଦରଗଡ ଦଳ ଅତିକ୍ରମ କରି ବିଜୟୀ ହୋଇଥିଲା। ପ୍ରବୀଣ ଲୁହା ୧୫ରନ ଏବଂ ସୁଶୀଳ ବାରିକ ୧୬ରନ ସ୍କୋର କରିଥିଲେ। ସୁନ୍ଦରଗଡ ଦଳର ସ୍ବସ୍ତିକ ସାମଲଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ପାଟଣାଗଡ ବିଧାୟକ ସରୋଜ ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟ ଉଦଘାଟନ କରିଥିବା ବେଳେ ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏବଂ ଓସିଏ ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ ଯୋଗ ଦେଇଥିଲେ। ଓସିଏ ସ୍ବୀକୃତିପ୍ରାପ୍ତ ଆମ୍ପାୟାର ପୃଥ୍ବୀରାଜ ମିଶ୍ର ଓ ଶ୍ୟାମ ସୁନ୍ଦର ପଣ୍ଡା ମ୍ୟାଚ୍ ପରିଚାଳନା କରିଥିଲେ। ବିନୋଦ ପାତ୍ର ସ୍କୋରର ଦାୟିତ୍ଵ ତୁଲାଇଥିବା ବେଳେ ଦୀନେଶ ଘିବେଲା ଓ ବିଶ୍ଵନାଥ ନାୟକ ଅନଲାଇନ ସ୍କୋରିଂ କରିଥିଲେ।