ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ଆଦ୍ୟାଶକ୍ତି ସରସ୍ୱତୀ

ମତ୍ସ୍ୟ ପୁରାଣରେ କୁହାଯାଇଛି ଯେ, ସମସ୍ତ ବେଦ, ସକଳ ଶାସ୍ତ୍ର, ନୃତ୍ୟ, ଗୀତ ଆଦି ଗାର୍ନ୍ଧବ ବିଦ୍ୟା ହେଉଛି ସରସ୍ବତୀଙ୍କ ସ୍ବରୂପ ଓ ଶକ୍ତି। ତାଙ୍କ କରୁଣା ବିନା ସାଧକ ଏକ୍ଷେତ୍ରରେ ସଫଳତା ପାଇ ନ ଥାନ୍ତି। ସରସ୍ୱତୀ କଣ୍ଠରେ ବିରାଜମାନ କଲେ ବ୍ୟକ୍ତି ଉତ୍ତମ ଗାୟକ ହୋଇ ପାରିବେ ବୋଲି ବିଶ୍ୱାସ ରହିଛି। ତେଣୁ ସମସ୍ତେ ସରସ୍ବତୀ ପୂଜା ଦିନ ମା’ଙ୍କର ଆଶୀର୍ବାଦ ଲୋଡ଼ିଥାନ୍ତି।
ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ସରସ୍ୱତୀ ସ୍ୱତନ୍ତ୍ର ଭାବେ ପୂଜା ପାଇଥାନ୍ତି।‌ ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ। ବସନ୍ତ ଋତୁରେ ଏହି ପର୍ବ ପଡ଼ୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କୁ ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟଗୁଡ଼ିକରେ ପୂଜାର୍ଚ୍ଚନା କରାଯାଏ। 

ସରସ୍ୱତୀ ଶବ୍ଦର ମୂଳ ଅର୍ଥ ହେଲା – ସ୍ୱତଃ + ବତୀ, ଅର୍ଥାତ୍ ପ୍ରସରଣ ଯାହାଙ୍କର ଅଛି। ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢାଇ ନେବାର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ। ସରସ୍ୱତୀ ଶବ୍ଦ ସରସ (ଗତି, ପ୍ରବାହ) ଓ ବତୀ (ଅଛି, ମାନା) ଶବ୍ଦରୁ ଆସିଅଛି, ଏହାର ଅର୍ଥ ଗତିଶୀଳା ଯାହା ପ୍ରଗତିର ସୂଚକ।

ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ। ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା। ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା। ମା ସରସ୍ୱତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର।

ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ଅଭିହିତ କରାଯାଇଛି। ସେ ବିଦ୍ୟାଦାତ୍ରୀ, ବୁଦ୍ଧି, ସିଦ୍ଧି ଓ ମୁକ୍ତିଦାତ୍ରୀ। ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ। ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା।

ମା’ ସରସ୍ୱତୀ, ମା’ ଲକ୍ଷ୍ମୀ ଓ ମା’ କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର। ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା’ ବିଦ୍ୟାଦାୟିନୀଙ୍କୁ ବିଶେଷ କରି ବିଦ୍ୟାର୍ଥୀ, କଳାକାର, ଗାୟକ, ଲେଖକ ତଥା କବିମାନେ ଉପାସନା କରିଥାନ୍ତି।

ବ୍ରହ୍ମାଣ୍ଡ ପୁରାଣମତେ, ସୃଷ୍ଟିର ଆରମ୍ଭ କାଳରେ ବ୍ରହ୍ମା ଯେତେବେଳେ ଧ୍ୟାନସ୍ଥ ଥିଲେ, ସେତେବେଳେ ତାଙ୍କ ଭିତରେ ସତ୍ତ୍ୱ ଗୁଣର ବିକାଶ ଘଟିଲା ଏବଂ ସେଥିରୁ ଏକ କନ୍ୟା ଜାତ ହେଲା। ତାଙ୍କର ରୂପ ଥିଲା ଦୁଗ୍‌ଧ ପରି ଶ୍ୱେତବର୍ଣ୍ଣ। ସେହି ଶ୍ୱେତବର୍ଣ୍ଣା କନ୍ୟାଙ୍କୁ ଦେଖି ବ୍ରହ୍ମା ତାଙ୍କର ପରିଚୟ ପଚାରିବାରୁ କନ୍ୟା କହିଲେ, ମୁଁ ତୁମଠାରୁ ଜାତ ହେଲି। ତେଣୁ ତୁମେ ମୋର ନାମକରଣ କର ଏବଂ ମୋର ପରିଚୟ କ’ଣ ହେବ ତାହା ସ୍ଥିର କର। ତାହା ଶୁଣି ବ୍ରହ୍ମା କହିଲେ, ତୁମର ନାମ ସ୍ୱରସ୍ୱତୀ ହେଉ।

ତୁମେ ପ୍ରତ୍ୟେକଙ୍କ ଜିହ୍ୱାର ଅଗ୍ରଭାଗରେ ‘ବାକ୍’ ରୂପେ ଅବସ୍ଥାନ କରିବ। ସେଥିାଇଁ ତୁମେ ‘ବାଗ୍‌ଦେବୀ’ ରୂପେ ବିଦିତା ହେବ। ବିଶେଷ କରି ବିଦ୍ୱାନମାନେ ତୁମକୁ ଆଦର ଓ ଭକ୍ତିରେ ପୂଜା କରିବେ। ବ୍ରହ୍ମବୈବର୍ତ୍ତ ପୁରାଣ ଅନୁଯାୟୀ ସୃଷ୍ଟି କାଳରେ ଈଶ୍ୱରଙ୍କ ଇଚ୍ଛାରୁ ଆଦ୍ୟାଶକ୍ତି ନିଜକୁ ପାଞ୍ଚ ଭାଗରେ ବିଭକ୍ତ କରି ନେଇଥିଲେ। ସେ ରାଧା, ପଦ୍ମା, ସାବିତ୍ରୀ, ଦୁର୍ଗା ଏବଂ ସରସ୍ୱତୀଙ୍କ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଅଙ୍ଗରୁ ସୃଷ୍ଟି ହୋଇଥିଲେ। ସେ ସମୟରେ ଶ୍ରୀକୃଷ୍ଣଙ୍କ କଣ୍ଠରୁ ଦେବୀ ସରସ୍ୱତୀ ଉତ୍ପନ୍ନ ହୋଇଥିଲେ ବୋଲି ଉଲ୍ଲେଖ ରହିଛି।

ଉପନିଷଦ ଗୁଡିକ ‘ବେଦ ଯୁଗ’ର ଶେଷ ଆଡ଼କୁ ରଚନା କରାଯାଇଥିଲା। ଉପନିଷଦ ‘ଷଦ’ ଶବ୍ଦରୁ ଆସିଅଛି, ଷଦ ଅର୍ଥାତ ‘ବସିବା’, ଏଥିରେ ପୂର୍ବରେ ‘ଉପ’ ଓ ‘ନି’ କୁ ଯୋଡା ଯାଇଛି । ଅର୍ଥାତ ‘ଉପ’ ର ଅର୍ଥ ପାଖରେ, ‘ନି’ ର ଅର୍ଥ ସମ୍ପୁର୍ଣ୍ଣ ଭାବରେ, ତେଣୁ ଉପ-ନି-ଷଦ, ଯାହାର ଅର୍ଥ ହେଲା, ସମ୍ପୁର୍ଣ୍ଣ ଭାବରେ ଗୁରୁଙ୍କ ପାଖରେ ବସିବା, ଅର୍ଥାତ ସମ୍ପୁର୍ଣ୍ଣ ସମର୍ପଣ ସହିତ ଗୁରୁଙ୍କ ପାଖରେ ବସି ବେଦର ଶେଷ ଭାଗ ଅଧୟନ କରିବା।

ଉପନିଷଦକୁ ବେଦର ଚତୁର୍ଥ ସ୍ତର ବା ଅଂଶ ବୋଲି କୁହାଯାଏ। ଯେହେତୁ ଉପନିଷଦ ଗୁଡିକ ବେଦର ଅନ୍ତ ଆଡ଼କୁ ରଚନା କରାଯାଇଥିଲା, ସେଥିପାଇଁ ଏହାକୁ ‘ବେଦାନ୍ତ’ ମଧ୍ୟ କୁହାଯାଏ। ଅଧିକାଂଶ ଉପନିଷଦ ଗୁଡିକର ବିଷୟବସ୍ତୁ ‘ଆତ୍ମବିଦ୍ୟା’ ଓ ‘ବ୍ରହ୍ମବିଦ୍ୟା ଉପରେ ଆଧାରିତ।

ଏହାକୁ ଅନେକ ଗବେଷକ ବା ପଣ୍ଡିତ ବା ଜ୍ଞାନୀମାନେ ଅନେକ ଆଖ୍ୟା ଦେଇଛନ୍ତି ଯଥା – ‘ଆଦି ଶଙ୍କରାଚାର୍ୟ’ ଏହାକୁ ‘ଆତ୍ମ ଓ ବ୍ରହ୍ମବିଦ୍ୟା’ କହିଛନ୍ତି, ‘ମାକ୍ସ ମୁଲ୍ଲେର୍‌’ ଓ ‘ପାଉଲ୍ ଦେଉସାନ୍’ ଏହାକୁ ‘ଗୁପ୍ତ ଶିକ୍ଷା’, ଓ ‘ପାଟ୍ରିକ୍ ଓଲିଭେଲ୍ଲେ’ ‘ଲୁକ୍କାୟିତ ଅର୍ଥ’, ବୋଲି କହିଛନ୍ତି। 

ଏହା କୁହାଯାଏ ଯେ, ଯେଉଁ ଶିଷ୍ୟ ମାନଙ୍କର ଚରିତ୍ର, ଶିକ୍ଷା ଓ ଗୁରୁଭକ୍ତି ଠିକ ରହୁଥିଲା, ସେଇମାନଙ୍କୁ କେବଳ ଉପନିଷଦ ଶିକ୍ଷା ଗ୍ରହଣ କରିବାର ସୁଯୋଗ ମିଳୁଥିଲା। ସେଇଥିପାଇଁ ଉପନିଷଦ ମାନଙ୍କୁ “ଗୁପ୍ତ ବିଦ୍ୟା” କୁହାଯାଏ। ଇତିହାସକାର ଓ ଗବେଷକ ଠାଅଗ୍ନଡ ଉପନିଷଦ ଗୁଡିକୁ ପ୍ରତ୍ୟେକ ବେଦ ଅଧୀନରେ ସେମାନଙ୍କର ପ୍ରାଧାନ୍ୟ ଓ ବିଷୟବସ୍ତୁ ଅନୁସାରେ ବିଭକ୍ତ କରାଯାଇଛି।

ବିଭକ୍ତିକରଣର ପଦ୍ଧତି ଗୁଡିକ ହେଲେ – ମୁଖ୍ୟ ସାମାନ୍ୟ ସନ୍ନ୍ୟାସ ଶାକ୍ତ, ବୈଷ୍ଣବ, ଶୈବ, ଓ ଯୋଗ। ଅର୍ଥାତ ପ୍ରତ୍ୟେକ ବେଦର ମୁଖ୍ୟ, ସାମାନ୍ୟ, ସନ୍ନ୍ୟାସ, ଶାକ୍ତ, ବୈଷ୍ଣବ, ଶୈବ, ଓ ଯୋଗ ଉପନିଷଦ ଗୁଡିକ ଅଛି। ଏସବୁ ଉପନିଷଦ ଭିତରୁ ଦଶୋପନିଷଦ ଅର୍ଥାତ ୧୦ଟି ଉପନିଷଦକୁ ‘ମୁଖ୍ୟ ଉପନିଷଦ’ ଭାବରେ ମାନନ୍ତି, ଏଥିରେ, ପରେ ଆଉ ୩ଟି ଉପନିଷଦ ଯୋଗ କରାଯାଇ ଏହାକୁ ୧୩ଟି କରିଦିଆଗଲା।

ତେଣୁ ୧୩ଟି ମୁଖ୍ୟ ଉପନିଷଦ, ସେଗୁଡିକ ହେଲେ – (ଦଶୋପନିଷଦ) – ଈଶ, କେନ, କଠ, ପ୍ରଶ୍ନ, ମୁଣ୍ଡକ, ମାଣ୍ଡୁକ୍ୟ, ତୈତ୍ତରୀୟ ଐତରେୟ ଛାନ୍ଦୋଗ୍ୟ ଓ ବୃହଦାରଣ୍ୟକ, (ଅତିରିକ୍ତ) – କୌଷୀତକି, ଶ୍ଵେତାଶ୍ବତର ଓ ମୈତ୍ରାୟଣୀୟ। ବିଦ୍ୟାର ଦେବୀ ଆଦି ଶକ୍ତି ସରସ୍ବତୀଙ୍କ ମହିମାକୁ ନେଇ ସଂସ୍କୃତରେ ରଚିତ ହୋଇଛି ସରସ୍ବତୀରହସ୍ୟ ଉପନିଷଦ।

ଓଡ଼ିଶାରେ ସରସ୍ଵତୀ ଉପାସନା ବହୁ ପ୍ରାଚୀନ। ସର୍ବ ରହସ୍ୟମୟ ଶ୍ରୀମନ୍ଦିରର ମା ଭୁବନେଶ୍ୱରୀ ମନ୍ଦିର ନାଟ ମଣ୍ଡପ ବାମ ପାର୍ଶ୍ୱରେ କାନ୍ଥକୁ ଲାଗି ଏକ ସ୍ୱତନ୍ତ୍ର କ୍ଷୁଦ୍ର ମନ୍ଦିର ମଧ୍ୟରେ ମା ସରସ୍ବତୀ ହଂସ ବlହନ ଉପରେ ବିରାଜିତ ହୋଇଛନ୍ତି। ପ୍ରାୟ ଏକ ଫୁଟ  ଉଚ୍ଚତାରେ ମା ସରସ୍ବତୀ  ବିରାଜି। ସେ ଦୁଇ ଭୁଜା ଅଟନ୍ତି।  ମା ଦୁଇ ହସ୍ତରେ ବୀଣା ଧାରଣ କରିଛନ୍ତି। ଦେବୀ ସରସ୍ବତୀ ପୂର୍ବାଭିମୁଖୀ ହୋଇ ବିରାଜମାନ କରିଛନ୍ତି। ତାଙ୍କ ଡାହାଣ ପାର୍ଶ୍ଵରେ ଏକ ଫୁଟ ଉଚ୍ଚତା ବିଶିଷ୍ଟ ନୃସିଂହ ମୂର୍ତ୍ତି ବିରାଜିତ ଅଛନ୍ତି।

ମା ସରସ୍ବତୀଙ୍କ ଦୈନିକ ପୂଜା ନୀତି ପ୍ରତିହାରୀ, ଖୁଣ୍ଟିଆ ଓ ପଣ୍ଡା ସେବକ ମାନଙ୍କ ଉପରେ ନ୍ୟସ୍ତ ହୋଇଛି। ଶ୍ରୀମନ୍ଦିର ସତ୍ୱଲିପି ଅନୁଯାୟୀ ସେବା ବେଢା ପତ୍ରରେ ଥିବା ସମସ୍ତ ସେବାୟତଙ୍କ ବଂଶଧରମାନେ ବର୍ତ୍ତମାନ ସେବା କରୁଛନ୍ତି। ଅବଶ୍ୟ କେତେକ ନିରଂଶ, ସେବାପାଳି ହସ୍ତାନ୍ତର ତଥା ବିକ୍ରୟ କାରଣରୁ ଅନ୍ୟ ସେବକ ଏହି ପାଳି କରୁଛନ୍ତି। 

ମା ସରସ୍ବତୀଙ୍କ ଦୈନିକ ନୀତି ହିସାବରେ ମଜଣା, ସ୍ନାନ, ବେଶ, ବଲ୍ଳଭ ଭୋଗ, ସକାଳ ଧୂପରେ ଖେଚୁଡ଼ି ଭୋଗ ବ୍ୟତୀତ କୋଠରୁ ଦୁଇଟି ମାଠପୁଳି ଆସିଥାଏ। ପ୍ରତିଦିନ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଫୁଲ ମାଳ ଆସି ମା ସରସ୍ବତୀଙ୍କୁ ଲାଗି କରାଯାଏ। ଧୂପର ଖେଚୁଡ଼ି ଭୋଗ ମଧ୍ୟ ପ୍ରଭୂଙ୍କ ନିକଟରୁ ଆସି ସମର୍ପଣ କରାଯାଏ।

ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ, ଯାହାକି ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ ଭାବରେ କଥିତ ହୁଏ। ସେହି ଦିନ ଏଠାରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ, ଯାହାକି ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ  ଦିନ ଦେଉଳ କରଣ ଓ ତଡଉ କରଣମାନଙ୍କର ଦାୟିତ୍ୱରେ ଥିବା ସମସ୍ତ ତାଳପତ୍ର ରଚିତ ମାଦଳା ପଞ୍ଜିକା ଅଣାଯାଇ ମା ସରସ୍ବତୀଙ୍କ ସମୀପରେ ଭଦ୍ରାସନ (ମୁଲିଆ ସୁଆଁଶିଆ ପ୍ରଦତ୍ତ) ଉପରେ ଲୌହ ଲେଖନୀ ସହ ରଖି ସ୍ୱତନ୍ତ୍ର ପୂଜା କରାଯାଏ।

ଏହି ଦିନ ମା ସରସ୍ବତୀଙ୍କର ସନ୍ଧ୍ୟା ଧୂପ ପରେ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଥିବା ୨୨ ଗୋଟି ନଡ଼ିଆ ଭଙ୍ଗାଯାଏ। ଏହା ବ୍ୟତୀତ ପଞ୍ଚ ଉପଚାରରେ ଶୀତଳ ଭୋଗ ଲାଗି ଓ ବନ୍ଦାପନା ନୀତି ଅନୁଷ୍ଠିତ ହୁଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.