ବ୍ୟାସବିହାରରେ ପାଳିତ ହେଲା ମନୋଜ ଦାସଙ୍କ ୯୧ତମ ଜୟନ୍ତୀ

ଅତିଥି କହିଲେ, ଅନ୍ତଃ-ପ୍ରେରଣା ମନୋଜ ଦାସଙ୍କ ଗଳ୍ପ-କବିତା ରଚନାର ଉତ୍ସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟରେ ସାରସ୍ବତ ସାଧକ ମନୋଜ ଦାସଙ୍କ ୯୧ତମ ଜୟନ୍ତୀ ଉତ୍ସବ, ଫକୀରମୋହନ ସାହିତ୍ଯଘର ଦ୍ବାରା ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ଯବକ୍ତା ଭାବେ ବିଶିଷ୍ଟ କବି, ସାହିତ୍ୟିକ ସମାଲୋଚକ ତଥା ସାରଳା ପୁରସ୍କାର ଏବଂ ଓଡ଼ିଶା ସାହିତ୍ଯ ଏକାଡେମୀ ପୁରସ୍କାର ପ୍ରାପ୍ତ ଡ଼କ୍ଟର ଶତ୍ରୁଘ୍ନ ପାଣ୍ଡବ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମନୋଜ ଦାସଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ବିବିଧ ରଚିତ ଗଳ୍ପ ,ଉପନ୍ୟାସ ତଥା ସାହିତ୍ୟ ସଂକଳନଗୁଡିକର ବିଶ୍ଳେଷଣ କରିଥିଲେ । ଏଥିସହ ମନୋଜ ଦାସଙ୍କ ଲେଖନର ଅନନ୍ୟ ଦୃଷ୍ଟିକୋଣ ଗୁଡିକୁ ପୁଙ୍ଖାନୁପୁଙ୍ଖ ଓ ସରଳ ଭାଷାରେ ଆଲୋକପାତ କରିଥିଲେ ଓ ଅନ୍ତଃ-ପ୍ରେରଣା ମନୋଜ ଦାସଙ୍କ ଗଳ୍ପ-କବିତାର ରଚନାର ଉତ୍ସ ଥିଲା ବୋଲି ଉଲ୍ଲେଖ କରିଥିଲେ।

ଏହି ଜୟନ୍ତୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଡ଼କ୍ଟର ସୁବାସ ଚନ୍ଦ୍ର ପାତ୍ର ଯୋଗଦେଇ ମନୋଜ ଦାସଙ୍କ ସହି ସ୍ବ- ଅନୁଭୂତିର ଦିନଗୁଡ଼ିକୁ ସ୍ମରଣ କରି ତାଙ୍କୁ ‘ମଣିଷକୁ ଅତି ନିବିଡ଼ ଭାବେ ଭଲ ପାଉଥିବା ମଣିଷଟିଏ’ କହି ବ୍ୟାଖା କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ତ୍ରିପାଠୀ ମନୋଜ ଦାସଙ୍କୁ ‘ସର୍ବଦର୍ଶୀ ମନୋଜ’ କହି ସମ୍ମାନ ଜଣାଇଥିଲେ ଓ ‘ଚମତ୍କାର ମନୋଜ’ର ଆଖ୍ୟା ପ୍ରଦାନ କରିଥିଲେ। ଏଥିସହିତ ପ୍ରଫେସର ସୁର୍ଯେନ୍ଦୁ କୁମାର ଦେ ବିଶ୍ବବିଦ୍ୟାଳୟରେ ଗ୍ରନ୍ଥାଗାରରେ ମନୋଜ ଦାସ ସଂଗ୍ରହାଳୟର ସ୍ଥାପନ ସମୟରେ ତାଙ୍କ ପରିବାର ଓ ଜୀବନଦର୍ଶନର ସଂସ୍ପର୍ଶରେ ସାଉଁଟିଥିବା ଅନୁଭୂତି ଗୁଡିକୁ ବର୍ଣ୍ଣନା କରିଥିଲେ। ବିଶେଷଭାବେ ବାଲେଶ୍ବର ଓ ଫକୀରମୋହନ ବିଶ୍ବବିଦ୍ୟାଳୟ ସହ ମନୋଜ ଦାସଙ୍କ ନିବିଡ଼ଭାବକୁ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ବାଲେଶ୍ବର ସ୍ଥିତ “ମନୋଜାୟନ” ସଂସ୍ଥାର ବିଶିଷ୍ଟ ସଦସ୍ୟଗଣ ଅଂଶଗ୍ରହଣ କରିଥିଲେ। ଏଥିସହ ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀମାନଙ୍କ ସହିତ ଛାତ୍ରଛାତ୍ରୀ ଉତ୍ସାହର ସହ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓ ଉତ୍କଳର ସୁଯୋଗ୍ଯ ସନ୍ତାନ ମନୋଜ ଦାସଙ୍କ ବିଷୟରେ ଅଧିକ ଜ୍ଞାନ ଆହରଣ କରିବାର ସୁଯୋଗ ଲାଭ କରିଥିଲେ। ଭାଷା ଓ ସାହିତ୍ଯ ବିଭାଗର ମୁଖ୍ଯ ପ୍ରଫେସର ଡ଼କ୍ଟର ଦେବାଶିଷ ପାତ୍ର କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ଓ ଡ଼କ୍ଟର ଜୟନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.