ପୌରାଣିକ, ଐତିହାସିକ ଓ କିମ୍ବଦନ୍ତି ପୃଷ୍ଠଭୂମୀରେ ବନ୍ଦୀଛୋଡ ବଂଶ : ଏକ ବିହଙ୍ଗାବଳୋକନ

ବିଶ୍ବର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ସମସ୍ତ ଯାଦବ ଯଦୁ ବଂଶଜ । ଏକଦା ପ୍ରାଚୀନ ଭାରତବର୍ଷର ଶାସନ ଭାର ଏହି ଜାତି ଉପରେ ନ୍ୟସ୍ଥ ଥିଲା । ମହାଭାରତ ସମୟରେ ଅନେକ ଯାଦବ ରାଜା ମହାରାଜ ମାନଙ୍କ ସୂଚନା ଆମେ ପୁରାଣ ମାନଙ୍କରୁ ପାଇ ପାରିବା । ସେହି ସମୟରେ ମଗଧ ସାରା ଆର୍ଯ୍ୟବର୍ତ୍ତରେ ଏକ ପ୍ରତିପତ୍ତିଶାଳି ସାମ୍ରାଜ୍ୟ ଥିଲା ।

ମହାଭାରତ ପୁରାଣ ଅନୁସାରେ ମଗଧ ସମ୍ରାଟ ଜରାସନ୍ଧଙ୍କ ପ୍ରତାପରେ ସାରା ବସୁଧା ତ୍ରାହି ତ୍ରାହି ଡାକୁଥିଲା । ଜରାସନ୍ଧ ଥିଲେ ଚନ୍ଦ୍ର ବଂଶଜ (ଚନ୍ଦ୍ର ବଂଶରୁ ଯଦୁ ବଂଶର ଉଦ୍ଭବ ହୋଇଥିଲା ) ବୃହଦ୍ରଥଙ୍କ ପୁତ୍ର । ବାୟୁ ପୁରାଣ ଅନୁସାରେ ବୃହଦ୍ରଥ ମଗଧରେ ହିରନ୍ୟକ ବଂଶର ପତନ କରାଇ ଶାସନ ଆରମ୍ଭ କଲେ । ମହାରାଜ ବୃହଦ୍ରଥଙ୍କ ନାମାନୁସାରେ ଏହି ବଂଶର ନାମ ବୃହଦ୍ରଥ ବଂଶ ହେଲା । ଜରାସନ୍ଧଙ୍କ ଜନ୍ମକୁ ନେଇ ବିଭିନ୍ନ ପୁରାଣରେ ଆଖ୍ୟାୟିକା ସବୁ ଦେଖିବାକୁ ମିଳେ । ମଥୁରା ନରେଶ ମହାରାଜ କଂସ ଥିଲେ ମଗଧ ସମ୍ରାଟ ଜରାସନ୍ଧଙ୍କ ଜାମାତା । ସାରା ବିଶ୍ବର ଏକାଂଗି ଅଧିଶ୍ବର ହେବାର ଆଶା ପୋଷଣ କରି ସମ୍ରାଟ ଜରାସନ୍ଧ ୯୫ ଜଣ ରାଜାଙ୍କୁ ବନ୍ଦିକରି ରାଜସୂୟ ଯଜ୍ଞର ଆୟୋଜନ କରାଇଲେ ।

ସେହି ସମୟରେ ଶ୍ରୀକୃଷ୍ଣ ଭୀମଙ୍କ ଦ୍ବାରା ଛଳ କପଟରେ ଜରାସନ୍ଧଙ୍କୁ ହତ୍ୟା କରାଇଲେ । ଜରାସନ୍ଧଙ୍କ ମୃତ୍ୟୁପରେ ଶ୍ରୀକୃଷ୍ଣ ଜରାସନ୍ଧଙ୍କ ରାଜ ଦରବାରରେ ବନ୍ଦି ଥିବା ରାଜା ମାନଙ୍କୁ ମୁକ୍ତି କରିବକୁ ଆଦେଶ ଦେଲେ । ସେହି ସମୟରେ କୃଷ୍ଣଙ୍କ ଉପରେ ଭିଷଣ କ୍ଷୁବ୍ଧ ଥିବା ବୃହଦ୍ରଥ ବଂଶଜ ବୀର ପୁରୁଷ ମାନେ କୃଷ୍ଣ ଆଜ୍ଞାକୁ ନମାନି ଯୁଦ୍ଧ କରିବାକୁ ଆଗଭର ହେଲେ । କିନ୍ତୁ କୁଟନିତିରେ ଦକ୍ଷ ଶ୍ରୀକୃଷ୍ଣ ତାହା କରାଇବାକୁ ଦେଲେନାହିଁ । ସେ ବର୍ତ୍ତମାନର ପରିସ୍ଥିତି ସହ ସମ୍ରାଜ୍ୟ ରକ୍ଷାର ସୂତ୍ରରେ ସମସ୍ତଙ୍କୁ ବିମୋହିତ କରି ଯୁଦ୍ଧକୁ ଟାଲିଦେଲେ । ଏହାପରେ ବୃହଦ୍ରଥ ବଂଶଜ ଜଣେ ବଡ ଭାଇ ଲକ୍ଷେ ବଂଶଜକୁ ଏକତ୍ରିତ କରି ସାମ୍ରାଜ୍ୟ ରକ୍ଷାର ମନ୍ତ୍ରଣା କଲେ । ଏହାପରେ ତାଙ୍କ ନିର୍ଦେଶରେ ସାନ ଭାଇ ମାନେ ବନ୍ଦିଥିବା ରାଜା ମାନଙ୍କୁ କାରାଗାରରୁ ମୁକ୍ତ କଲେ ।

ଯଦୁପତି ଶ୍ରୀକୃଷ୍ଣ ସେହି ବଡଭାଇଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ କହରୱା (ମହାଯୋଦ୍ଧା) ଉପାଧିରେ ଭୂଷିତ କଲେ । ପରବର୍ତ୍ତି ସମୟରେ କହରୱା ମାନଙ୍କ ବଂଶ ‘କରୁଆଁ’ ହେଲା । ସେହିପରି ରାଜା ମାନଙ୍କୁ ବନ୍ଦିଶାଳାରୁ ଛାଡିଥିବାରୁ (ମୁକ୍ତ) ସେହି ବୀର ପୁରୁଷ ମାନେ ବନ୍ଦିଛୋଡ ନାମରେ ଖ୍ୟାତ ହେଲେ ଓ ସେମାନଙ୍କ ବଂଶ ହେଲା ବନ୍ଦୀଛୋଡ ବଂଶ । ସମ୍ରାଟ ଜରାସନ୍ଧଙ୍କ  ପୁତ୍ର ସହଦେବଙ୍କୁ ମଗଧ ରାଜ ସିଂହାସନରେ ଅଭିଶିକ୍ତ କରାଇ ଶ୍ରୀକୃଷ୍ଣ ଓ ଭୀମ, ଅର୍ଜୁନ ମଗଧ ମାଟିରୁ ବିଦାୟ ନେଲେ ।

ମଗଧା ଯାଦବଙ୍କ ୧୨୦ ବଂଶ ମଧ୍ୟରୁ ବନ୍ଧୀଛୋଡ ଏକ ପ୍ରମୂଖ ବଂଶ । ବନ୍ଦୀଛୋଡ ମାନେ କରୁଆଁ ମାନଙ୍କ ଦୂଦ ଭାଇ ହେଉଥିବା କାରଣରୁ ଏହି ଦୁଇ ବଂଶ ମଧ୍ୟରେ ବିବାହ ନିଷେଧ । ସମୟର ପରିବର୍ତ୍ତନ ସହ ମଗଧରୁ ବିଭିନ୍ନ ସମୟରେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇ ବସବାସ କରୁଥିବା ଯଦୁବଂଶଜ ମାନେ ମଗଧା ଯାଦବ ନାମରେ ଲୋକ ମୂଖରେ ପରିଚିତ ହେଲେ । ଲୋକଶୃତି ଓ କିମ୍ବଦନ୍ତି ଆଧାରରେ ଏମାନେ ଖ୍ରୀ:ପୂ: ୨୬୧ରେ ସମ୍ରାଟ ଅଶୋକଙ୍କ ସହ କଳିଙ୍ଗ ଯୁଦ୍ଧରେ ଯୋଗ ଦେବାକୁ ଆସିଥିଲେ । ଐତିହାସିକ ତଥ୍ୟ ଅନୁସାରେ କଳିଙ୍ଗ ଯୁଦ୍ଧ ପରେ ମଗଧରୁ ଆସିଥିବା ସମ୍ରାନ୍ତ ଶ୍ରେଣୀୟ ବ୍ୟକ୍ତି ଓ ଯୋଦ୍ଧାମାନେ ପଡୋଶି ଆଟବିକ ବିଦ୍ୟାଧର ରାଜ୍ୟ (ବର୍ତ୍ତମାନର ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ବସ୍ତର ଅଞ୍ଚଳ) କୁ ଆସି ବସବାସ କରିବାକୁ ଲାଗିଲେ । ସମ୍ରାଟ ଅଶୋକ ଏମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଅନୁଶାସନ ପ୍ରଣୟନ କରିଥିଲେ । ଯାହାର ପ୍ରମାଣ ଦିଏ ଅଶୋକଙ୍କ ଦ୍ବାରା ଲିଖିତ ଜଉଗଡ ଶିଳାଲେଖ ।

ପରବର୍ତ୍ତି ସମୟ ମାନଙ୍କରେ କରୁଆଁ, ବନ୍ଦୀଛୋଡଙ୍କ ସହ ୧୨୦ ବର୍ଗର ମଗଧା ଯାଦବ କୋଶଳାଞ୍ଚଳକୁ ଯାଇଛନ୍ତି । ଖ୍ରୀ:ବ୍ଦ ୪ର୍ଥ ଶତାବ୍ଦୀରେ ବ୍ୟାଘ୍ର ରାଜାଙ୍କ ଶାସନ ଓ ଖ୍ରୀ:ବ୍ଦ ଅଷ୍ଟମ ଶତାବ୍ଦୀ ପରେ ପରେ ମଗଧରୁ ଅନେକ ପରିବାର କୋଶଳ (ବର୍ତ୍ତମାନର ପଞ୍ଚିମ ଓଡିଶା) କୁ ଆସି ସ୍ଥାୟୀ ଭାବରେ ବସବାସ କରିଥିବା ଜଣାଯାଏ । ପ୍ରାଚୀନ ମହାକାନ୍ତାର ସଭ୍ୟତା ସମୟରୁ ଏହି ମାଟିରେ କନ୍ଧ , ଡମ୍ବଙ୍କ ସହ ବସବାସ କରିଆସୁଥିବା ମଗଧା ଯାଦବ ମାନଙ୍କ ଏକ ସମୃଦ୍ଧ ସଂସ୍କୃତି ରହିଛି । ସୁଦୂର ମଗଧରୁ ଆସିଥିବା ଏହି ଗୋଷ୍ଠୀ ଆଦିବାସୀ ସଂସ୍କୃତିର ସହ ସମତାଳ ଦେଇ ଗତିକରିଛି ।

ଆଦିବାସୀ କନ୍ଧ ସଂସ୍କୃତିର ଅନେକ ବିଭବ ମଗଧା ଯାଦବ ସଂସ୍କୃତିସହ ସଂଶ୍ଲିଷ୍ଟ ହୋଇଯାଇ ଏକ ମହାନ ସାଂସ୍କୃତିକ ଧାରାରେ ରୂପାନ୍ତରିତ ହୋଇଛି । ମଗଧା ଯାଦବଙ୍କ ୧୨୦ ବଂଶ ମଧ୍ୟରୁ ବନ୍ଦୀଛୋଡ ମାନେ ଏକ ପ୍ରମୂଖ ବଂଶ । ଏମାନେ କରୁଆଁ ମାନଙ୍କ ଦୂଧ୍ ଭାଇ ଭାଇ । ଲୋକଶୃତି ଓ କିମ୍ବଦନ୍ତି ଅନୁସାରେ କନ୍ଧ ମାନେ ଗଉଡ ମାନଙ୍କୁ ସେମାନଙ୍କ ଜମି ସହ ଦେବତା ଭାଗ ଦେଇ ଶାନ୍ତିର ସହ ସହବସ୍ଥାନ କଲେ । ସେହି କ୍ରମରେ ‘ବାରମୁନି’ ଦେବତା ୧୨ ଭାଇ ବନ୍ଦୀଛୋଡ ମାନେ ପାଇ ଉପାସନା କରିବାକୁ ଲାଗିଲେ । ଏହା ସହ କାଲିସୁନ୍ଦରୀ, ଦୂଲା ଓ ଦୂଆରସୁନୀ ଦେବୀଙ୍କୁ ମଧ୍ୟ ପୂଜା କଲେ । କିନ୍ତୁ ପରଂପରା ଅନୁକ୍ରମରେ ଯାଦବଙ୍କ ସମସ୍ତ ଇଷ୍ଟ ଦେବା ଦେବୀ ଗୃହରେ ପୂର୍ବବତ ରହିଲେ । ବନ୍ଦୀଛୋଡ ଯାଦବ ମାନେ ପୂଜା କରୁଥିବାରୁ ବାରମୁନି ଶୁକ୍ଲାହାର କରିଥାନ୍ତି । କିନ୍ତୁ ଅନ୍ୟ ଦେବାଦେବୀ ମାନଙ୍କୁ ଗୁହାଳ ଠାରେ ବଳିଭୋଜା ଦିଆଯାଇଥାଏ ।

ସମୟକ୍ରମେ ବିଭିନ୍ନ ସ୍ଥାନରେ ବସତି ସ୍ଥାପନ କରି ବନ୍ଦୀଛୋଡଙ୍କ ଏକ ବିରାଟ ଗୋଷ୍ଠୀ କଳାହାଣ୍ଡି ନର୍ଲା ବ୍ଲବର ବୁଢିପଦର ଦେବଗିରି ନିକଟସ୍ଥ ଅର୍ଜୁନଗାଁରେ ବାରମୁନି ଦେବତାଙ୍କ ଆସ୍ଥାନ ନିର୍ମାଣ କରି ଉପାସନା କରିଆସୁଛନ୍ତି । ଦଶହରା ସମୟରେ ବାରମୁନି ଦେବତାଙ୍କ ଝାଞ୍ଜିମଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ବାରମୁନି ଏକ ପ୍ରତ୍ୟକ୍ଷ ଦେବତା । ଜାତି ସଂପ୍ରଦାୟ ନିର୍ବିଶେଷରେ ସମସ୍ତେ ଏହାଙ୍କୁ ପୂଜା କରିଥାନ୍ତି । ଏହି ବନ୍ଦୀଛୋଡ ବଂଶର କୃପାସିନ୍ଧୁ ଦାସ ( ଗଉଡ ) ଦେବଗିରିର ମହନ୍ତ ହୋଇଥିଲେ ଓ ଏହାଙ୍କ ପରେ ତାଙ୍କ ପୁତ୍ର ଦୂର୍ବାଦଳ ଦାସ ଦେବଗିରି ମଠର ହେରିଡେଟାରି ଟ୍ରଷ୍ଟିକ ଓ ସେବାୟତ ଭାବେ କାର୍ଯ୍ୟରତ ।

ଏକ ମହାନ ସଂସ୍କୃତିର ସୁତ୍ରଧାରି ଭାବେ ବନ୍ଦିଛୋଡ ମାନେ ଆଜି ମଧ୍ୟ ମଗଧକୁ ଓ ତାଙ୍କର ପୂର୍ବ ପୂରୁଷ ସମ୍ରାଟ ଜରାସନ୍ଧଙ୍କୁ ନେଇ ଗର୍ବ କରନ୍ତି । ଧର୍ମ, ସଂସ୍କୃତି ଓ ପରଂପରା ଅନୁକ୍ରମେ ସେମାନଙ୍କ ସାଂସ୍କୃତିକ ବିଭବ ପରିପୂର୍ଣ୍ଣ ହୋଇଛି ଓ ସେମାନେ ବସବାସ କରୁଥିବା ଅଞ୍ଚଳର ସମସ୍ତ ଜାତି, ସଂପ୍ରଦାୟଙ୍କ ସହ ଶାନ୍ତିର ସହ ସହବସ୍ଥାନ କରି ଆସୁଛନ୍ତି

ସୁନୀଲ କୁମାର ଧଙ୍ଗଡାମାଝୀ

ସଂପାଦକ, ଓଡ଼ିଆ ବାର୍ତ୍ତା 

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.