ପୌରାଣିକ, ଐତିହାସିକ ଓ କିମ୍ବଦନ୍ତି ପୃଷ୍ଠଭୂମୀରେ ବନ୍ଦୀଛୋଡ ବଂଶ : ଏକ ବିହଙ୍ଗାବଳୋକନ

ବିଶ୍ବର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ସମସ୍ତ ଯାଦବ ଯଦୁ ବଂଶଜ । ଏକଦା ପ୍ରାଚୀନ ଭାରତବର୍ଷର ଶାସନ ଭାର ଏହି ଜାତି ଉପରେ ନ୍ୟସ୍ଥ ଥିଲା । ମହାଭାରତ ସମୟରେ ଅନେକ ଯାଦବ ରାଜା ମହାରାଜ ମାନଙ୍କ ସୂଚନା ଆମେ ପୁରାଣ ମାନଙ୍କରୁ ପାଇ ପାରିବା । ସେହି ସମୟରେ ମଗଧ ସାରା ଆର୍ଯ୍ୟବର୍ତ୍ତରେ ଏକ ପ୍ରତିପତ୍ତିଶାଳି ସାମ୍ରାଜ୍ୟ ଥିଲା । ମହାଭାରତ ପୁରାଣ ଅନୁସାରେ ମଗଧ ସମ୍ରାଟ ଜରାସନ୍ଧଙ୍କ ପ୍ରତାପରେ ସାରା ବସୁଧା ତ୍ରାହି ତ୍ରାହି ଡାକୁଥିଲା । ଜରାସନ୍ଧ ଥିଲେ ଚନ୍ଦ୍ର ବଂଶଜ (ଚନ୍ଦ୍ର ବଂଶରୁ ଯଦୁ ବଂଶର ଉଦ୍ଭବ ହୋଇଥିଲା ) ବୃହଦ୍ରଥଙ୍କ ପୁତ୍ର । ବାୟୁ ପୁରାଣ ଅନୁସାରେ ବୃହଦ୍ରଥ ମଗଧରେ ହିରନ୍ୟକ ବଂଶର ପତନ କରାଇ ଶାସନ ଆରମ୍ଭ କଲେ । ମହାରାଜ ବୃହଦ୍ରଥଙ୍କ ନାମାନୁସାରେ ଏହି ବଂଶର ନାମ ବୃହଦ୍ରଥ ବଂଶ ହେଲା । ଜରାସନ୍ଧଙ୍କ ଜନ୍ମକୁ ନେଇ ବିଭିନ୍ନ ପୁରାଣରେ ଆଖ୍ୟାୟିକା ସବୁ ଦେଖିବାକୁ ମିଳେ । ମଥୁରା ନରେଶ ମହାରାଜ କଂସ ଥିଲେ ମଗଧ ସମ୍ରାଟ ଜରାସନ୍ଧଙ୍କ ଜାମାତା ।

ସାରା ବିଶ୍ବର ଏକାଂଗି ଅଧିଶ୍ବର ହେବାର ଆଶା ପୋଷଣ କରି ସମ୍ରାଟ ଜରାସନ୍ଧ ୯୫ ଜଣ ରାଜାଙ୍କୁ ବନ୍ଦିକରି ରାଜସୂୟ ଯଜ୍ଞର ଆୟୋଜନ କରାଇଲେ । ସେହି ସମୟରେ ଶ୍ରୀକୃଷ୍ଣ ଭୀମଙ୍କ ଦ୍ବାରା ଛଳ କପଟରେ ଜରାସନ୍ଧଙ୍କୁ ହତ୍ୟା କରାଇଲେ । ଜରାସନ୍ଧଙ୍କ ମୃତ୍ୟୁପରେ ଶ୍ରୀକୃଷ୍ଣ ଜରାସନ୍ଧଙ୍କ ରାଜ ଦରବାରରେ ବନ୍ଦି ଥିବା ରାଜା ମାନଙ୍କୁ ମୁକ୍ତି କରିବକୁ ଆଦେଶ ଦେଲେ । ସେହି ସମୟରେ କୃଷ୍ଣଙ୍କ ଉପରେ ଭିଷଣ କ୍ଷୁବ୍ଧ ଥିବା ବୃହଦ୍ରଥ ବଂଶଜ ବୀର ପୁରୁଷ ମାନେ କୃଷ୍ଣ ଆଜ୍ଞାକୁ ନମାନି ଯୁଦ୍ଧ କରିବାକୁ ଆଗଭର ହେଲେ । କିନ୍ତୁ କୁଟନିତିରେ ଦକ୍ଷ ଶ୍ରୀକୃଷ୍ଣ ତାହା କରାଇବାକୁ ଦେଲେନାହିଁ । ସେ ବର୍ତ୍ତମାନର ପରିସ୍ଥିତି ସହ ସମ୍ରାଜ୍ୟ ରକ୍ଷାର ସୂତ୍ରରେ ସମସ୍ତଙ୍କୁ ବିମୋହିତ କରି ଯୁଦ୍ଧକୁ ଟାଲିଦେଲେ । ଏହାପରେ ବୃହଦ୍ରଥ ବଂଶଜ ଜଣେ ବଡ ଭାଇ ଲକ୍ଷେ ବଂଶଜକୁ ଏକତ୍ରିତ କରି ସାମ୍ରାଜ୍ୟ ରକ୍ଷାର ମନ୍ତ୍ରଣା କଲେ । ଏହାପରେ ତାଙ୍କ ନିର୍ଦେଶରେ ସାନ ଭାଇ ମାନେ ବନ୍ଦିଥିବା ରାଜା ମାନଙ୍କୁ କାରାଗାରରୁ ମୁକ୍ତ କଲେ ।

ଯଦୁପତି ଶ୍ରୀକୃଷ୍ଣ ସେହି ବଡଭାଇଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ କହରୱା (ମହାଯୋଦ୍ଧା) ଉପାଧିରେ ଭୂଷିତ କଲେ । ପରବର୍ତ୍ତି ସମୟରେ କହରୱା ମାନଙ୍କ ବଂଶ ‘କରୁଆଁ’ ହେଲା । ସେହିପରି ରାଜା ମାନଙ୍କୁ ବନ୍ଦିଶାଳାରୁ ଛାଡିଥିବାରୁ (ମୁକ୍ତ) ସେହି ବୀର ପୁରୁଷ ମାନେ ବନ୍ଦିଛୋଡ ନାମରେ ଖ୍ୟାତ ହେଲେ ଓ ସେମାନଙ୍କ ବଂଶ ହେଲା ବନ୍ଦୀଛୋଡ ବଂଶ । ସମ୍ରାଟ ଜରାସନ୍ଧଙ୍କ  ପୁତ୍ର ସହଦେବଙ୍କୁ ମଗଧ ରାଜ ସିଂହାସନରେ ଅଭିଶିକ୍ତ କରାଇ ଶ୍ରୀକୃଷ୍ଣ ଓ ଭୀମ, ଅର୍ଜୁନ ମଗଧ ମାଟିରୁ ବିଦାୟ ନେଲେ ।

ପୁରାଣ ପ୍ରସିଦ୍ଧ ସୋମବଂଶ/ ଚନ୍ଦ୍ରବଂଶ ବା ଯଦୁବଂଶର ଏକ ଶାଖା ହେଉଛନ୍ତି ଓଡିଶାର ମଗଧା ଯାଦବ ଗୋଷ୍ଠୀ। ମଗଧରୁ ଆସିଥିବାରୁ ଏମାନଙ୍କୁ ମଗଧା ଯାଦବ ବୋଲି କୁହାଯାଏ । ତେବେ ଏମାନେ ମହାରାଜ ଯଦୁଙ୍କ ଦ୍ବିତୀୟ ପୁତ୍ର ଦୟୋଦଙ୍କ ବଂଶ ଲିତା ଭିତରେ ଯାଆନ୍ତି । ମଗଧ ସମ୍ରାଟ ଜରାସନ୍ଧଙ୍କ ପୂର୍ବ ପୁରୁଷ ହେଉଛନ୍ତି ମହାରାଜ ଦୟୋଦ । ତେଣୁ ମଗଧା ଯାଦବମାନେ ଜରାସନ୍ଧଙ୍କ ବଂଶଜ ବୋଲି ପରିଚିତି ଲାଭ କରିଛନ୍ତି । ଭାଗବତରେ ପ୍ରମାଣ ଦେଖନ୍ତୁ –

“ଏଥୁ ଅନ୍ତରେ ଏବେ ଶୁଣ। ଯଦୁବଂଶର ଯେ ପ୍ରମାଣ।।

ଯଯାତି ଜ୍ୟୋଷ୍ଠପୁତ୍ର ଯଦୁ। ଅଷ୍ଟାଦଶ ଯାଦବ ପ୍ରଭୂ।।

*** *** *** *** *** ***

ସେ ଯଦୁ ପାଞ୍ଚପୁତ୍ର ଶ୍ରେଷ୍ଠ। ସହସ୍ରବ ନାମ ବିଶିଷ୍ଟ।।

ତାର ବଂଶେ ସହସ୍ରାର୍ଜୁନ। ତାକୁ ମାରିଲେ ପର୍ଶୁରାମ।।

ଦ୍ବିତୀୟ ପୁତ୍ର ଯେ ଦୟୋଦ। ସେ ବଂଶେ ଜାତ ଜରାସନ୍ଧ।।

ତୃତୀୟ ପୁତ୍ର କେଶୁ ନାମ। ସେ ବିଷ୍ଣୁ ବଂଶେ ବିଦ୍ୟମାନ।।

ସୁରସେନ ବସୁଦେବାଦି। ଏମାନ କହିଛି ସମ୍ପାଦି।।

ଚତୁର୍ଥ ପୁତ୍ର ନୀଳ ନାମ। ତା ବଂଶେ ପଣ୍ଡୁ ବିଦ୍ୟମାନ।।

ଦ୍ରାବିଡ କଉର ଆବ୍ରତ। ଏ ଆଦି ରାଜା ଯେ ବିଖ୍ୟାତ।।

ପଞ୍ଚମ ପୁତ୍ର ଯେ ଅନ୍ଧକ। ଭୋଜ ଯେ ଉଗ୍ରସେନ ଦିକ।।

ତହୁଁ ବିଷ୍ଣୁ ବଂଶରେ ପୁଣ। ସୁରସେନାଦି ଯେ ରାଜନ।।”

(ଶ୍ରୀମଦ୍ଭାଗବତ ଦ୍ବାଦଶସ୍କନ୍ଧ, ଦ୍ବାଦଶ ଅଧ୍ୟାୟ)

ମଗଧା ଯାଦବଙ୍କ ୧୨୦ ବଂଶ ମଧ୍ୟରୁ ବନ୍ଧୀଛୋଡ ଏକ ପ୍ରମୂଖ ବଂଶ । ବନ୍ଦୀଛୋଡ ମାନେ କରୁଆଁ ମାନଙ୍କ ଦୂଦ ଭାଇ ହେଉଥିବା କାରଣରୁ ଏହି ଦୁଇ ବଂଶ ମଧ୍ୟରେ ବିବାହ ନିଷେଧ । ସମୟର ପରିବର୍ତ୍ତନ ସହ ମଗଧରୁ ବିଭିନ୍ନ ସମୟରେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇ ବସବାସ କରୁଥିବା ଯଦୁବଂଶଜ ମାନେ ମଗଧା ଯାଦବ ନାମରେ ଲୋକ ମୂଖରେ ପରିଚିତ ହେଲେ । ଲୋକଶୃତି ଓ କିମ୍ବଦନ୍ତି ଆଧାରରେ ଏମାନେ ଖ୍ରୀ:ପୂ: ୨୬୧ରେ ସମ୍ରାଟ ଅଶୋକଙ୍କ ସହ କଳିଙ୍ଗ ଯୁଦ୍ଧରେ ଯୋଗ ଦେବାକୁ ଆସିଥିଲେ । ଐତିହାସିକ ତଥ୍ୟ ଅନୁସାରେ କଳିଙ୍ଗ ଯୁଦ୍ଧ ପରେ ମଗଧରୁ ଆସିଥିବା ସମ୍ରାନ୍ତ ଶ୍ରେଣୀୟ ବ୍ୟକ୍ତି ଓ ଯୋଦ୍ଧାମାନେ ପଡୋଶି ଆଟବିକ ବିଦ୍ୟାଧର ରାଜ୍ୟ (ବର୍ତ୍ତମାନର ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ବସ୍ତର ଅଞ୍ଚଳ) କୁ ଆସି ବସବାସ କରିବାକୁ ଲାଗିଲେ । ସମ୍ରାଟ ଅଶୋକ ଏମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଅନୁଶାସନ ପ୍ରଣୟନ କରିଥିଲେ । ଯାହାର ପ୍ରମାଣ ଦିଏ ଅଶୋକଙ୍କ ଦ୍ବାରା ଲିଖିତ ଜଉଗଡ ଶିଳାଲେଖ । ପରବର୍ତ୍ତି ସମୟ ମାନଙ୍କରେ କରୁଆଁ, ବନ୍ଦୀଛୋଡଙ୍କ ସହ ୧୨୦ ବର୍ଗର ମଗଧା ଯାଦବ କୋଶଳାଞ୍ଚଳକୁ ଯାଇଛନ୍ତି । ଖ୍ରୀ:ବ୍ଦ ୪ର୍ଥ ଶତାବ୍ଦୀରେ ବ୍ୟାଘ୍ର ରାଜାଙ୍କ ଶାସନ ଓ ଖ୍ରୀ:ବ୍ଦ ଅଷ୍ଟମ ଶତାବ୍ଦୀ ପରେ ପରେ ମଗଧରୁ ଅନେକ ପରିବାର କୋଶଳ (ବର୍ତ୍ତମାନର ପଞ୍ଚିମ ଓଡିଶା) କୁ ଆସି ସ୍ଥାୟୀ ଭାବରେ ବସବାସ କରିଥିବା ଜଣାଯାଏ । ପ୍ରାଚୀନ ମହାକାନ୍ତାର ସଭ୍ୟତା ସମୟରୁ ଏହି ମାଟିରେ କନ୍ଧ, ଡମ୍ବଙ୍କ ସହ ବସବାସ କରିଆସୁଥିବା ମଗଧା ଯାଦବ ମାନଙ୍କ ଏକ ସମୃଦ୍ଧ ସଂସ୍କୃତି ରହିଛି । ସୁଦୂର ମଗଧରୁ ଆସିଥିବା ଏହି ଗୋଷ୍ଠୀ ଆଦିବାସୀ ସଂସ୍କୃତିର ସହ ସମତାଳ ଦେଇ ଗତିକରିଛି ।

ଆଦିବାସୀ କନ୍ଧ ସଂସ୍କୃତିର ଅନେକ ବିଭବ ମଗଧା ଯାଦବ ସଂସ୍କୃତିସହ ସଂଶ୍ଲିଷ୍ଟ ହୋଇଯାଇ ଏକ ମହାନ ସାଂସ୍କୃତିକ ଧାରାରେ ରୂପାନ୍ତରିତ ହୋଇଛି । ଲୋକଶୃତି ଓ କିମ୍ବଦନ୍ତି ଅନୁସାରେ କନ୍ଧମାନେ ଗଉଡ ମାନଙ୍କୁ ସେମାନଙ୍କ ଜମି ସହ ଦେବତା ଭାଗ ଦେଇ ଶାନ୍ତିର ସହ ସହବସ୍ଥାନ କଲେ । ସେହି କ୍ରମରେ ‘ବାରମୁନି’ ଦେବତା ୧୨ ଭାଇ ବନ୍ଦୀଛୋଡ ମାନେ ପାଇ ଉପାସନା କରିବାକୁ ଲାଗିଲେ । ଏହା ସହ କାଲିସୁନ୍ଦରୀ, ଦୂଲା ଓ ଦୂଆରସୁନୀ ଦେବୀଙ୍କୁ ମଧ୍ୟ ପୂଜା କଲେ । କିନ୍ତୁ ପରଂପରା ଅନୁକ୍ରମରେ ଯାଦବଙ୍କ ସମସ୍ତ ଇଷ୍ଟ ଦେବା ଦେବୀ ଗୃହରେ ପୂର୍ବବତ ରହିଲେ । ବନ୍ଦୀଛୋଡ ଯାଦବ ମାନେ ପୂଜା କରୁଥିବାରୁ ବାରମୁନି ଶୁକ୍ଲାହାର କରିଥାନ୍ତି । କିନ୍ତୁ ଅନ୍ୟ ଦେବାଦେବୀ ମାନଙ୍କୁ ଗୁହାଳ ଠାରେ ବଳିଭୋଜା ଦିଆଯାଇଥାଏ ।

ସମୟକ୍ରମେ ବିଭିନ୍ନ ସ୍ଥାନରେ ବସତି ସ୍ଥାପନ କରି ବନ୍ଦୀଛୋଡଙ୍କ ଏକ ବିରାଟ ଗୋଷ୍ଠୀ କଳାହାଣ୍ଡି ନର୍ଲା ବ୍ଲବର ବୁଢିପଦର ଦେବଗିରି ନିକଟସ୍ଥ ଅର୍ଜୁନଗାଁରେ ବାରମୁନି ଦେବତାଙ୍କ ଆସ୍ଥାନ ନିର୍ମାଣ କରି ଉପାସନା କରିଆସୁଛନ୍ତି । ଦଶହରା ସମୟରେ ବାରମୁନି ଦେବତାଙ୍କ ଝାଞ୍ଜିମଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ବାରମୁନି ଏକ ପ୍ରତ୍ୟକ୍ଷ ଦେବତା । ଜାତି ସଂପ୍ରଦାୟ ନିର୍ବିଶେଷରେ ସମସ୍ତେ ଏହାଙ୍କୁ ପୂଜା କରିଥାନ୍ତି । ଏହି ବନ୍ଦୀଛୋଡ ବଂଶର କୃପାସିନ୍ଧୁ ଦାସ (ଗଉଡ) ଐତିହାସିକ ‘ଦେବଗିରି  ମଠ’ର ମହନ୍ତ ହୋଇଥିଲେ ଓ ଏହାଙ୍କ ପରେ ତାଙ୍କ ପୁତ୍ର ସ୍ବର୍ଗତ ଦୂର୍ବାଦଳ ଦାସ ଦେବଗିରି ମଠର ମୁଖ୍ୟ ସେବାୟତ ଭାବେ ମୃତ୍ୟୁ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ଦୂର୍ବାଦଳ ଦାସଙ୍କ ୫ ପୁଅ ଦେବଗିରି ମଠର ସେବାୟତ ଭାବେ ସେବା ଯୋଗାଇ ଆସୁଛନ୍ତି ।

ଏକ ମହାନ ସଂସ୍କୃତିର ସୁତ୍ରଧାରି ଭାବେ ବନ୍ଦିଛୋଡ ମାନେ ଆଜି ମଧ୍ୟ ମଗଧକୁ ଓ ତାଙ୍କର ପୂର୍ବ ପୂରୁଷ ସମ୍ରାଟ ଜରାସନ୍ଧଙ୍କୁ ନେଇ ଗର୍ବ କରନ୍ତି । ଧର୍ମ, ସଂସ୍କୃତି ଓ ପରଂପରା ଅନୁକ୍ରମେ ସେମାନଙ୍କ ସାଂସ୍କୃତିକ ବିଭବ ପରିପୂର୍ଣ୍ଣ ହୋଇଛି ଓ ସେମାନେ ବସବାସ କରୁଥିବା ଅଞ୍ଚଳର ସମସ୍ତ ଜାତି, ସଂପ୍ରଦାୟଙ୍କ ସହ ଶାନ୍ତିର ସହ ସହବସ୍ଥାନ କରି ଆସୁଛନ୍ତି ।

ସୁନୀଲ କୁମାର ଧଙ୍ଗଡାମାଝୀ

ସଂପାଦକ, ଓଡ଼ିଆ ବାର୍ତ୍ତା 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.