ଫକୀରମୋହନ ବିଶ୍ୱବିଦ୍ୟାଳୟରେ ‘ଗୁଗୁଲ୍ ଆର୍ଥ୍ ଇଞ୍ଜିନ୍ ଓ ଭୂ-ସ୍ଥାନିକ ବିଶ୍ଳେଷଣର ଉପଯୋଗିତା’ ପ୍ରସଙ୍ଗରେ ତ୍ରିଦିବସୀୟ କର୍ମଶାଳା ଉଦଘାଟିତ

•ରାଜ୍ୟର ୬୫ ଜଣ ବିଦ୍ୟାର୍ଥୀଙ୍କ ଅଂଶଗ୍ରହଣ
•୨୦ ଅପ୍ରେଲ୍ ରେ ହେବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ବବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର, ସ୍ନାତକୋତ୍ତର ଭୂଗୋଳ ବିଭାଗ ଓ ସ୍ନାତକୋତ୍ତର ଭୂତତ୍ତ୍ଵ ବିଭାଗର ମିଳିତ ଆନୁକୁଲ୍ୟରେ ‘ଗୁଗୁଲ୍ ଆର୍ଥ୍ ଇଞ୍ଜିନ୍ ଓ ଭୂ-ସ୍ଥାନିକ ବିଶ୍ଳେଷଣର ଉପଯୋଗିତା’ ଶୀର୍ଷକ ନେଇ ଏକ ତ୍ରିଦିବସୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି।

Omkar Vasthu
Omkar Vasthu

ଏହି ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କର୍ମଶାଳାର ଉଦଘାଟନ କରାଯାଇଥିଲା। ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ କାଳରେ ତାର ପରିଚାଳନା ଓ ପ୍ରଶମନ ସକାଶେ ଲୋକେସନ୍ ଷ୍ଟ୍ରେସ୍ ର ଆବଶ୍ୟକତା ଅପରିହାର୍ଯ୍ୟ ହୋଇଥିବା ହେତୁ ଏହି ଭୂ-ସ୍ଥାନିକ ବିଶ୍ଳେଷଣ ଜନିତ ବ୍ୟବହାରିକ ଜ୍ଞାନ ଆହରଣର ଆବଶ୍ୟକତା ରହିଛି ବୋଲି ନିଜ ଅଭିଭାଷଣରେ ପ୍ରଫେସର ତ୍ରିପାଠୀ ପ୍ରକାଶ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର୍ ଡ଼କ୍ଟର ବିକାଶ ରଞ୍ଜନ ପରିଡ଼ା ଏଥିରେ ମୁଖ୍ୟ ଅତିଥି ତଥା ବିଷୟ-ବିଶାରଦ ଭାବରେ ଯୋଗଦେଇ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଏହିପରି ଅନଲାଇନ୍ ପ୍ଲାଟଫର୍ମ ଗୁଡିକରେ ବର୍ତ୍ତମାନ ବିଶେଷ ଅଗ୍ରଗତି କରିସାରିଛନ୍ତି ଓ ଭାରତର ସଂପ୍ରତି କୁଶଳୀ ଓ ମେଧାବୀ ଯୁବଗୋଷ୍ଠୀ ତଥା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଗୁଗୁଲ୍ ଆର୍ଥ୍ ଇଞ୍ଜିନ୍ ପରି ବହୁବିଧ ବିଷୟର ବ୍ୟବହାର ଅତି ସରଳ ଓ ସାଧାରଣ ହୋଇପାରିଛି, ଯାହାର ଉପଯୋଗ କରି ଅଧ୍ୟୟନ ଓ ଗବେଷଣା କ୍ଷେତ୍ରରେ ସମସ୍ତେ ବିଶେଷ ଉପକୃତ ହୋଇପାରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।

Udyog Nursery
Udyogi Nursery

କ୍ଲାଉଡ୍ କମ୍ପ୍ୟୁଟିକ୍ ଏବଂ ମଲ୍ଟି ପେଟାବାଇଟ୍ ଆପ୍ଲିକେସନ୍ ହୋଇଥିବା ହେତୁ ବିଶେଷତଃ ଭୂଗୋଳ, ଭୂତତ୍ତ୍ୱ ଓ କମ୍ପ୍ୟୁଟର ବିଷୟର ଗବେଷକ ମାନଙ୍କ ପାଇଁ ତଥ୍ଯ ବିଶ୍ଳେଷଣ ନିମିତ୍ତ ଏହି ଗୁଗୁଲ୍ ଆର୍ଥ୍ ଇଞ୍ଜିନ୍ ଏକ ଉପଯୁକ୍ତ କ୍ଷେତ୍ର ହୋଇପାରିବ ବୋଲି ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ସବ୍ୟସାଚୀ ପଟ୍ଟନାୟକ ପ୍ରକାଶ କରିଥିଲେ।

ଏଥିସହ ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର ଏହି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତଦେଇ, ପ୍ରକୃତିର ନିୟମାନୁସାରେ ପରିଚାଳିତ ବିଶ୍ଵ ଏବଂ ମାନବୀୟ – ବୌଦ୍ଧିକତା ଦ୍ଵାରା ପରିଚାଳିତ ବିଶ୍ୱ ସମ୍ପର୍କିତ ଯାବତୀୟ ତଥ୍ୟ ବିଶ୍ଳେଷଣ ନିମିତ୍ତ ଗୁଗୁଲ୍ ଆର୍ଥ୍ ଇଞ୍ଜିନ୍ ଓ ଭୂ-ସ୍ଥାନିକ ଅବସ୍ଥାନ ଜନିତ ଅବଧାରଣାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ।

ଭୂଗୋଳ ବିଭାଗର ବିଭାଗ ମୁଖ୍ୟ ଡ଼କ୍ଟର ନିହାର ରଞ୍ଜନ ରାଉତ, ଗୁଗୁଲ୍ ଆର୍ଥ୍ ଇଞ୍ଜିନ୍ ଏକ ମୁକ୍ତ ବ୍ୟବହାରିକ ଉତ୍ସ ହୋଇଥିବା ସହିତ ଏକ ଆକର୍ଷଣୀୟ ପ୍ଲାଟଫର୍ମ ହୋଇଥିବା ହେତୁ ବିଶେଷକରି ଭୂତତ୍ତ୍ଵ ସମ୍ପର୍କିତ ଅଧ୍ୟୟନ ଓ ତଥ୍ଯ ବିଶ୍ଳେଷଣ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ଅଟେ ବୋଲି କହିଥିଲେ। ଅନୁରୂପ ଭାବରେ ଭୂତତ୍ତ୍ବ ବିଭାଗର ବିଭାଗ ମୁଖ୍ୟ ଡ଼କ୍ଟର ରୋଜାଲିନ୍ ଦାସ ଏହି ଆପ୍ଲିକେସନରେ ଲକ୍ଷ ଲକ୍ଷ ତଥ୍ୟ ସନ୍ନିବେଶିତ ଥିବା ହେତୁ ଏହା ଏକ ଯୁଗୋପଯୋଗୀ ସଫ୍ଟୱେର୍ ବୋଲି ମତାମତ ଦେଇଥିଲେ।

ଏହି କର୍ମଶାଳାରେ ଓଡ଼ିଶା ଓ ଅନ୍ଯାନ୍ଯ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରୁ ୬୫ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି । ଆସନ୍ତା ୨୦ ଏପ୍ରିଲ୍ ରେ ଏହି କର୍ମଶାଳା ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ମାନବ ସମ୍ବଳ ବିକାଶ କେନ୍ଦ୍ରର ସଦସ୍ୟ ଡ଼କ୍ଟର ରାଜଶ୍ରୀ ଦତ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମାନବ ସମ୍ବଳ ବିକାଶ କେନ୍ଦ୍ରର ଉପନିର୍ଦ୍ଦେଶକ ଡ଼କ୍ଟର ଦେବଦତ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.