ପ୍ରାର୍ଥୀ ଆପଣାଉଛନ୍ତି ଡିଜିଟାଲ୍ ପ୍ଲାଟଫର୍ମ: ସୋସିଆଲ ମିଡ଼ିଆରେ ବୋହୁଛି ନିର୍ବାଚନ ହାଓ୍ବା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ କନ୍ଧମାଳ ଲୋକସଭା ଏବଂ ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗ୍ରହଣ ଆସନ୍ତା ମେ ୨୦ ତାରିଖରେ ହେବ। ଏଥି ପାଇଁ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ ହୋଇଉଠିଛି। ଚଳିତ ନିର୍ବାଚନରେ ସୋସିଆଲ ମିଡିଆ ତଥା ଡିଜିଟାଲ୍ ପ୍ଲାଟଫର୍ମ ଉପରେ ବିଭିନ୍ନ ଦଳ ଓ ପ୍ରାର୍ଥୀମାନେ ଗୁରୁତ୍ଵ ଦେଉଥିବା ଦେଖିବାକୁ ମିଳୁଛି। ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ, ହ୍ୱାଟ୍ସଆପ ଆଦି ସୋସିଆଲ ମିଡିଆ ଖୋଲୁ ଖୋଲୁ ଆସୁଛି ନିର୍ବାଚନୀ ହାୱା। ବିରୋଧାଭାସ ଠୁ ଆରମ୍ଭ କରି ପ୍ରଚାର, ଘନ ଘନ ମିଶ୍ରଣ ପର୍ବ ଏବଂ ଭୋଟର କାହାକୁ ଭୋଟ ଦେବେ, କେଉଁ ଦଳର ପ୍ରଭାବ କେମିତି ରହିଛି ତାହା ଦେଖିବାକୁ ମିଳୁଛି। ଏହିଥର ନିର୍ବାଚନରେ ଡିଜିଟାଲ ପ୍ଲାଟଫର୍ମ ନେତାଙ୍କ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ଭଲ ମାଧ୍ୟମ ହୋଇଛି। ଏହା ଉପରେ ନେତାମାନେ ଭରସା କରି ଜନ ସମର୍ଥନ ହାତେଇବା ପାଇଁ ବ୍ୟଗ୍ର ହୋଇପଡିଛନ୍ତି। ଆୟୋଜିତ ଦଳୀୟ କାର୍ଯ୍ୟକ୍ରମ ଗୁଡିକୁ ଡିଜିଟାଲ ପ୍ଲାଟଫର୍ମରେ ଛାଡ଼ିବା ପାଇଁ ବ୍ଯାକୁଳ ହେଉଛନ୍ତି। ଯୁବବର୍ଗ ଡିଜିଟାଲ ପ୍ଲାଟଫର୍ମରେ ଅଭ୍ୟସ୍ତ ହୋଇଥିବା ବେଳେ ସେମାନଙ୍କୁ ସବୁ ଦଳ ଆକୃଷ୍ଟ କରିବାକୁ ପ୍ରୟାସ କରୁଛନ୍ତି। ଏପରକି ବିଭିନ୍ନ ଦଳ ପକ୍ଷରୁ ଫୋନ କଲ ବି ଆସୁଛି। ଲୋକଙ୍କୁ ନାନା ପ୍ରତିଶ୍ରୁତି ଦେଇ ଦଳୀୟ ପ୍ରାର୍ଥୀମାନେ ଭୋଟଭିକ୍ଷା କରୁଛନ୍ତି। ଯେ କୌଣସି କାର୍ଯ୍ୟକ୍ରମ ଦେଖ‌ିଲେ ସେଥିରେ ମାଳ ମାଳ ଦଳୀୟ ବିଜ୍ଞାପନ ଆସୁଛି। ନିର୍ବାଚନ ମୈଦାନରେ କାହାର କେତେ ଦମ୍ ଅଛି ତାହାକୁ ଦର୍ଶାଯାଉଛି। ଯୁବପିଢ଼ିଙ୍କୁ ଆଲୋଚନାର ଖୋରାକ ଯୋଗାଇବା ପାଇଁ ଏହା ଏକ ମାଧ୍ୟମ ପାଲଟିଛି। ସୋସିଆଲ ମିଡିଆରେ ଲୋକଙ୍କ ନିକଟତର ହେବା ସହଜ ହୋଇଥିବାରୁ ବିଭିନ୍ନ ଦଳର ନେତା ଏହାକୁ ଆପଣାଇ ନେଇ ଫେସବୁକ, ୟୁଟ୍ୟୁବ୍ ଚ୍ଯାନେଲ, ଟ୍ବିଟର୍ ଆକାଉଣ୍ଟ୍ ମାଧ୍ୟମରେ ଲୋକଙ୍କ ସହ ଯୋଡି ହେଉଛନ୍ତି। ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ସହିତ ପ୍ରତିଦ୍ୱନ୍ଦୀଙ୍କୁ ପଦାରେ ପକାଇବା ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ମୋବାଇଲରେ ନିର୍ବାଚନୀ ଖବର ଲୋକେ ପାଇପାରୁଥିବା ବେଳେ ସମ୍ପ୍ରତି ଡିଜିଟାଲ୍ ପ୍ଲାଟଫର୍ମର ଗୁରୁତ୍ବ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.