ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ୧୯୨୩ ମସିହାରେ ସମ୍ବଲପୁର ସହରରେ ଜନ୍ମିତ ସତ୍ୟନାରାୟଣ ପାଣିଗ୍ରାହୀଙ୍କର ଗତ ୨୦ ତିରିଖରେ ଭୁବନେଶ୍ବର ପଲାଶପଲ୍ଲୀସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ବେଳକୁ ପାଖରେ ନିଜର ଧର୍ମପତ୍ନୀ ତୁଳାସା, ତିନି ଝିଅ ଡ଼. ସନ୍ତୋଷିନୀ, ଡ଼. କୁମୁଦିନୀ ତଥା ଡ଼. କମଳିନୀଙ୍କ ସହିତ ପୁତ୍ର ବିଜୟ କୁମାର ପାଣିଗ୍ରାହୀ, ଜାମାତା ସୁଶାନ୍ତ କୁମାର ନନ୍ଦ, ପୌତ୍ରୀ ନମ୍ରତା ନନ୍ଦ ଇତ୍ୟାଦି ଉପସ୍ଥିତ ଥିଲେ।
ସିଭିଲ ଇଞ୍ଜିନିୟରିଙ୍ଗରେ ଡ଼ିପ୍ଲୋମା ଡ଼ିଗ୍ରୀଧାରୀ ସତ୍ୟନାରାୟଣ ୧୯୪୨ ମସିହାରେ ଭାରତୀୟ ପ୍ରତିରକ୍ଷା ବାହିନୀର ସିଗ୍ନାଲ କର୍ପସରେ ଯୋଗ ଦେଇ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ କୋହିମା, ଇମ୍ଫାଲ, ରେଙ୍ଗୁନ, ସିଙ୍ଗାପୁର, ସାଇଗନ, ବ୍ୟାଙ୍କକ୍ ଇତ୍ୟାଦି ଯାଗାରେ ମୁତୟନ ଥାଇ ମିତ୍ର ଶକ୍ତି ପକ୍ଷରୁ ଅକ୍ଷଶକ୍ତି ବିରୁଦ୍ଧରେ ଯୁଦ୍ଧ କରିଥିଲେ। ପ୍ରତିରକ୍ଷା ବିଭାଗରୁ କାର୍ଯ୍ୟାନ୍ତର ହୋଇ ୧୯୪୭ ମସିହାରେ ସେ ଓରି ଯାଣୁ କାଗଜ କଳ ବ୍ରଜରାଜ ନଗର ଠାରେ ନିର୍ମାଣ ଓ ରକ୍ଷଣାବେକ୍ଷଣ ବିଭାଗରେ ଯୋଗ ଦେଇଥିଲେ। ଏହି ସମୟରେ ସେ ହୀରାକୁଦ ନଦୀବନ୍ଧ ଯୋଜନାର ସଫଳ ରୂପାୟନ ପାଇଁ କାମ କରିବା ସହିତ ବ୍ରଜରାଜ ନଗରରେ ପ୍ରତିଷ୍ଠିତ ଲକ୍ଷ୍ମୀନାରାୟଣ ଓ ଶିବ ମନ୍ଦିର କାର୍ଯ୍ୟରେ ସଂପୃକ୍ତ ଥିଲେ। ଏତଦ୍ ବ୍ୟତୀତ ପୁରୀଠାରେ ବିର୍ଲା ଧର୍ମଶାଳା ପ୍ରତିଷ୍ଠା ଓ ଉତ୍ତର ପ୍ରଦେଶର ବିନ୍ଧ୍ୟାଚଳ ଠାରେ ଅବସ୍ଥିତ ମାତା ଦୁର୍ଗାଦେବୀଙ୍କ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କରି ସମାଜରେ ପ୍ରୀତି ଭାଜନ ହୋଇ ପାରିଥିଲେ।
ଜଣେ ଦକ୍ଷ ଶିଳ୍ପୀ, ସଚ୍ଚୋଟ ତଥା କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ତାଙ୍କର ଯେମିତି ଖ୍ୟାତି ଥିଲା, ସେମିତି ଜଣେ ଭଲ ମଣିଷ ଓ ସମାଳ ସଙ୍ଗଠକ ହିସାବରେ ତାଙ୍କର କୃତି ସୁଦୂର ପ୍ରସାରୀ ଥିଲା। ସମାଜ ଗଠନରେ ପ୍ରମୁଖ ଭୂମିକା ଯୋଗୁଁ ସ୍ଵର୍ଗବାସୀ ହୋଇମଧ୍ଯ ସେ ଆଜି ଅମର। ତାଙ୍କ ସ୍ମୃତିକୁ ସମାଜରେ ଉଦଜୀବିତ କରିବା ପାଇଁ ତାଙ୍କର ସୁକନ୍ୟା ଡ଼. କମଳିନୀଙ୍କ ପ୍ରଚେଷ୍ଟା ତଥା ଜ୍ଞାତି କୁଟୁମ୍ବଙ୍କ ସହଯୋଗରେ ସତ୍ୟତୂଳା ଚ୍ୟାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠା କରାଯାଇ ସମାଜର ଅବହେଳିତ ଓ ଦୁର୍ବଳ ଶ୍ରେଣୀର ଉତ୍ଥାନ ନିମନ୍ତେ କାର୍ଯ୍ୟ କରିବା ପାଇଁ ସ୍ଥିର କରାଯାଇଛି। ତାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି।