ଅଳ୍ପ ଗଳ୍ପ ପୁରାଣ ପ୍ରସଙ୍ଗରୁ: ଅଙ୍ଗଦଙ୍କୁ ଶ୍ରୀରାମଙ୍କ ବରଦାନ 

ପ୍ରଭୁ ଶ୍ରୀରାମ ଲକ୍ଷ୍ମଣ ସୀତାଙ୍କୁ ଖୋଜୁଥିଲା ବେଳେ ପାମ୍ପସର ନିକଟରେ ଶବରୀ ଶ୍ରମଣାର ଆଶ୍ରମରେ ପହଞ୍ଚି ତାଠାରୁ ଅଇଁଠା କୋଳି ଖାଇ ତୃପ୍ତ ହେଲେ। ସେମାନେ ସୀତାଙ୍କୁ ଖୋଜୁଛନ୍ତି ଜାଣି ଶ୍ରମଣା ତାଙ୍କୁ ରୁଷ୍ୟମୂକ ପର୍ବତକୁ ନିର୍ଦ୍ଦେଶ କରି କହିଲେ, ଆପଣ ସେଠାକୁ ଯାଆନ୍ତୁ। ସେଠାରେ ବାନରରାଜ ସୁଗ୍ରୀବ ରହୁଛନ୍ତି। ସେ ଆପଣଙ୍କୁ ସହାୟତା କରିବେ। ଶ୍ରୀରାମ ଲକ୍ଷ୍ମଣ ଋଷ୍ୟମୂକପର୍ବତ ଆଡ଼େ ଚାଲିଛନ୍ତି ତାଙ୍କୁ ଦୂରରୁ ଦେଖି ସୁଗ୍ରୀବ ସନ୍ଦେହ କଲେ,’କିଏ ଏମାନେ। ଏମାନେ ବୋଧହୁଏ ବାଳୀର ଗୁପ୍ତଚର। ମୋତେ ମାରିବାକୁ ଆସୁଛନ୍ତି।’ ଏପରି ସନ୍ଦେହକରି ସୁଗ୍ରୀବ ମନ୍ତ୍ରୀ ହନୁମାନଙ୍କୁ କହିଲେ,ଏମାନେ କିଏ! ଇଆଡ଼େ କାହିଁକି ଆସୁଛନ୍ତି ତୁମେ ଯାଇ ବୁଝିଆସ। ହନୁମାନ ଯାଇ, ତାଙ୍କୁ ପଚାରିବାରୁ ରାମ କହିଲେ, ଆମେ ଦୁହେଁ ଅଯୋଧ୍ୟାର ରାଜା ଦଶରଥଙ୍କ ପୁତ୍ର। ମୋ’ ପତ୍ନୀ, ସୀତାଙ୍କୁ ରାବଣ ଚୋରେଇ ନେଇଛି। ସୀତାଙ୍କ ଉଦ୍ଧାରପାଇଁ ଆମେ ସୁଗ୍ରୀବଙ୍କ ସହାୟତା କାମନାରେ ତାଙ୍କ ପାଖକୁ ଯାଉଛୁ। ହନୁମାନ ମହା ଆନନ୍ଦରେ ଶ୍ରୀରାମ ଲକ୍ଷ୍ମଣଙ୍କୁ ନିଜ କାନ୍ଧରେ ବସାଇ ସୁଗ୍ରୀବଙ୍କ ନିକଟକୁ ଘେନିଗଲେ। ହନୁମାନଙ୍କ ଠାରୁ ସବୁ କଥା ଶୁଣି ରାମଙ୍କୁ ସୁଗ୍ରୀବ କହିଲେ, ମୋର ମଧ୍ୟ ସମଦଶା। ମୋ ଭାଇ ବାଳୀ ମୋ ସ୍ତ୍ରୀକୁ ମଧ୍ୟ ଅପହରଣ କରି ନେଇଛି। ଆସନ୍ତୁ ଆମେ ଅଗ୍ନିକୁ ସାକ୍ଷୀ ରଖି ମିତ ବସିବା। ହନୁମାନ ତୁରନ୍ତ କିଛି କାଠପତ୍ର ଗୋଟାଇଆଣି ଅଗ୍ନି ଜଳାଇ ଦେଲେ। ଶ୍ରୀରାମ ସୁଗ୍ରୀବ ମିତ ବସିଲେ।

Omkar Vasthu
Omkar Vasthu

ତୁମେ କାହିଁକି ଏହି ପର୍ବତରେ ବାସ କରୁଛ ବୋଲି ରାମ ପଚାରିବାରୁ ସୁଗ୍ରୀବ କହିଲେ,ତେବେ ଶୁଣନ୍ତୁ ବାଳୀ ଏବଂ ମୋର କାହାଣୀ। ମୋ’ ପିତାଙ୍କ ନାମ ସୂର୍ଯ୍ୟ ଓ ବାଳୀର ପିତା ହେଲେ, ଇନ୍ଦ୍ର। କିନ୍ତୁ ଆମ ଦୁହିଙ୍କ ମାଆ ହେଉଛନ୍ତି ଜଣେ। ଆମ ଦୁହିଁଙ୍କ ଜନ୍ମ ମଧ୍ୟ ବଡ଼ ରହସ୍ୟମୟ। ମୁଁ ସୃଷ୍ଟି କରୁଛି ମାତ୍ର ଶିବ ଏହାକୁ ସଂହାର କରି ଦେଉଛନ୍ତି। ଏହି କଥା ଭାବି ଦିନେ ବ୍ରହ୍ମାଙ୍କ ଚକ୍ଷୁରୁ ଦୁଇବୁନ୍ଦା ଅଶ୍ରୁ ଝରିପଡ଼ିଲା। ସେହି ଅଶ୍ରୁ ଭୂମିରେ ପଡ଼ି, ଏକ ସୁନ୍ଦରୀ ରମଣୀଙ୍କ ସୃଷ୍ଟି ହେଲା। ସେହି ରମଣୀଙ୍କୁ ଦେଖି ଉଭୟ ଇନ୍ଦ୍ର ଏବଂ ସୂର୍ଯ୍ୟ ଆସକ୍ତ ହୋଇପଡ଼ିଲେ। ଇନ୍ଦ୍ରଙ୍କ ରେତ ସ୍ଖଳିତ ହୋଇ ରମଣୀଙ୍କ ବାଳରେ ପଡ଼ିଲା। ତହିଁରୁ ମୋ ଭ୍ରାତା ବାଳୀ ଜନ୍ମ ହେଲେ। ବାଳରୁ ପଡ଼ି ଜନ୍ମ ହୋଇଥିବା ହେତୁ ତାଙ୍କ ନାମ ହେଲା, ବାଳୀ। ପୁଣି ସୂର୍ଯ୍ୟଙ୍କ ରେତ ରମଣୀଙ୍କ ଗ୍ରୀବାଦେଶରେ ପଡ଼ିଲା। ତହିଁରୁ ଜହ୍ନହେଲି ମୁଁ। ଗ୍ରୀବାରୁ ଜନ୍ମ ହୋଇଥିବାରୁ ମୋର ନାମ ହେଲା ସୁଗ୍ରୀବ।

Pearl dental clinic
Near Ashish Medical Store, Bhawanipatna

ଦିନେ ଦୁନ୍ଦୁଭି ରାକ୍ଷସ ପୁତ୍ର ମାୟାବୀ ସହ ବାଳୀର ଭୀଷଣ ଯୁଦ୍ଧ ଲାଗିଲା। ମାୟାବୀ ଭୟଭୀତ ହୋଇ ଏକ ଗାତ ଭିତରେ ପଶିଗଲା। ବାଳୀ ମତେ ଗାତ ଦ୍ୱାରରେ ଜଗାଇ ଦେଇ ତାକୁ ମାରିବା ପାଇଁ ସେହି ଗର୍ତ୍ତ ଭିତରକୁ ପଶିଗଲା। କିନ୍ତୁ ଅନେକଦିନ ଯାଏ ବାଳୀ, ଆଉ ସେହି ଗାତ ଭିତରୁ ଫେରିଲେ ନାହିଁ। ଗାତ ଭିତରୁ ଉଷୁମ ରକ୍ତ ବୋହି ଆସୁଥାଏ। ତାହା ଦେଖି ମୁଁ ମନେ କଲି ବୋଧହୁଏ ଭାଇ ବାଳୀ ଆଉ ଜୀବିତ ନାହାଁନ୍ତି। ଗାତ ମୁହଁରେ ଏକ ପଥର ଢାଙ୍କି ଦେଇ ମୁଁ ଫେରିଆସିଲି ଓ ପ୍ରଜାମାନଙ୍କୁ ସବୁ କଥା କହିଲି। ପ୍ରଜାମାନେ ମୋତେ କିଷ୍କିନ୍ଧ୍ୟାର ରାଜପଦ ଦେଲେ, ମୁଁ ରାଜ୍ୟ ଶାସନ କରିବାକୁ ଲାଗିଲି। କିନ୍ତୁ କିଛିଦିନପରେ ବାଳୀ ଗାତରୁ ବାହାରିଆସିଲା ଓ ମୋତେ ମାଡ଼ ମାରି ରାଜ୍ୟରୁ ତଡ଼ି ଦେଲା। ମୋ ପତ୍ନୀ ରୋମାକୁ ସେ ହରିନେଇ, ତା’ ପତ୍ନୀ ତାରାର ସପତ୍ନୀ କରି ରଖିଛି। ବାଳୀ ଭୟରେ ଜୀବନ ଧରି ପଳାଇଆସି ମୁଁ ଏହିଠାରେ ରହୁଛି। ବାଳୀ ଏଠାକୁ ଆସିବ ନାହିଁ। କାରଣ ତାକୁ ମାତଙ୍ଗ ଋଷିଙ୍କ ଶାପ ଅଛି,ଏଠାକୁ ଆସିଲେ ତା ଛାତି ଫାଟିଯିବ।

Udyog Nursery
Udyogi Nursery

ମାତଙ୍ଗୠଷିଙ୍କ ଅଭିଶାପ ବିଷୟରେ ପ୍ରଭୁ ଶ୍ରୀରାମ ଜାଣିବାକୁ ଚାହିଁବାରୁ ସୁଗ୍ରୀବ ପୁଣି କହିଲେ, ଥରେ ଦୁନ୍ଦୁଭି ରାକ୍ଷସ ସାଗରକୁ ଯାଇ ଯୁଦ୍ଧ ପାଇଁ ଆହ୍ବାନ କଲା। ସମୁଦ୍ର ଡରିଯାଇ କହିଲା, ତୁ ଯାଆ ତୋର ସମକକ୍ଷ ଯୋଦ୍ଧା ହିମାଳୟଙ୍କ ସହିତ ଯୁଦ୍ଧକରିବୁ। ସେ ଯାଇ ହିମାଳୟଙ୍କୁ ଯୁଦ୍ଧପାଇଁ ଆହ୍ବାନ ଦେବାରୁ ପର୍ବତ ରାଜ ତାକୁ ବାଳୀ ପାଖକୁ ପଠାଇ ଦେଲେ। ବାଳୀ ସହିତ ଦୁନ୍ଦୁଭିର ପ୍ରବଳ ଯୁଦ୍ଧହେଲା। ବାଳୀ ତା’ ଶିଙ୍ଗ ଦୁଇଟିକୁ ଉପାଡ଼ି ତାକୁ ମାରି ପକାଇଲା। ଦୁନ୍ଦୁଭିକୁ ବାଳୀ ଭାରି ଯୋରରେ କଚାଡ଼ି ଦେବାରୁ ତା ଦେହରୁ ରକ୍ତ ଛିଟିକି ପଡ଼ି ଋଷ୍ୟମୁକ ପର୍ବତରେ ତପସ୍ୟାରତ ମାତଙ୍ଗମୁନିଙ୍କ ଉପରେ ପଡ଼ିଲା। ମୁନି ଏଥିରେ ରାଗି ଯାଇ ଅଭିଶାପ ଦେଲେ ଯିଏ ଏପରି କର୍ମ କରିଛି, ସେ ଏଠାକୁ ଆସିଲେ ତା’ ଛାତି ଫାଟି ଯିବ। ଏଣୁ ଏଠାକୁ ବାଳୀ ଆସେ ନାହିଁ। ସୁଗ୍ରୀବଙ୍କ ସବୁକଥା ଶୁଣି ଶ୍ରୀରାମ କହିଲେ, ମିତ୍ର! ତୁମେ ଚିନ୍ତାକରନାହିଁ, ମୁଁ ନିଶ୍ଚୟ ବାଳୀକୁ ବଧକରି ତୁମ ରାଜ୍ୟ ଏବଂ ପତ୍ନୀଙ୍କୁ ଫେରାଇ ଦେବି। ତୁମେ ଯାଇ ବାଳୀକୁ ଯୁଦ୍ଧ ପାଇଁ ଆହ୍ଵାନ କର। ତୁମ ଯୁଦ୍ଧ ଚାଲିଥିଲା ବେଳେ ମୁଁ କୌଶଳ କରି ବାଳୀକୁ ମାରି ଦେବି। ସୁଗ୍ରୀବ ବାଳୀଙ୍କ ନିକଟକୁ ଯାଇ ଯୁଦ୍ଧପାଇଁ ଆହ୍ବାନ କଲାରୁ ଦୁହିଁଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ଲାଗି ଗଲା।ଶ୍ରୀରାମ ଗଛ ଆଢ଼ୁଆଳରେ ଥାଇ ସୁଯୋଗ ଉଣ୍ଡୁ ଥାନ୍ତି। କିନ୍ତୁ, ବାଳୀ ଏବଂ ସୁଗ୍ରୀବ ଦେଖିବାକୁ ଏକାପରି ହୋଇ ଥିବାରୁ, ସେ ଆଉ ବାଳୀକୁ ମାରି ପାରିଲେନାହିଁ। ସୁଗ୍ରୀବ ବାଳୀଠାରୁ ପରାସ୍ତ ହୋଇ ଫେରି ଆସିଲେ।

ସୁଗ୍ରୀବଙ୍କୁ ଶ୍ରୀରାମ ସବୁ କଥା ବୁଝାଇ, ପୁଣି ବାଳୀ ସହିତ ଲଢ଼ିବା ପାଇଁ ପଠାଇଲେ। ଦୁହିଙ୍କ ମଧ୍ୟରେ ଭୟଂକର ଯୁଦ୍ଧ ଲାଗିଲା। ବାଳୀ ସୁଗ୍ରୀଵଙ୍କୁ ତଳେ ପକେଇ ମାଡ଼ି ବସିଥାଏ, ଏହି ସମୟରେ ଶ୍ରୀରାମ ଏକ ତୀକ୍ଷ୍ମଶର ବିନ୍ଧିଦେଲେ। ଭୀଷଣ ଗର୍ଜନ କରି ବାଳୀ ଭୂମିରେ ପଡ଼ି ପ୍ରଭୁ ଶ୍ରୀରାମଙ୍କୁ ଚାହିଁ କହିଲା, ତୁମର ଯଦି ମୋତେ ମାରିବାର ଥିଲା, ଏପରି ଲୁଚି କରି ମାରିଲ କାହିଁକି। ମୋତେ ମାରି ତୁମେ କଅଣ ପାଇଲ। ତୁମେ ଚାହିଁଥିଲେ, ରାବଣ ଠାରୁ ମୁଁ ତୁମ ପତ୍ନୀଙ୍କୁ ଉଦ୍ଧାରକରି ଆଣିଥାନ୍ତି। ରାବଣର ମୋତେ ପ୍ରାଣରେ ଭୟ, କାରଣ ଥରେ ତାକୁ କାଖରେ ଯାକି ମୁଁ ଏପରି ଫିଙ୍ଗି ଦେଲି ଯେ ସେ ଯାଇ ସାତ ସମୁଦ୍ର ଆର ପାରିରେ ପଡ଼ିଲା। ଶ୍ରୀରାମ କହିଲେ, ଶୁଣ ବାଳୀ! ମୁଁ ତୁମକୁ କାହିଁକି ମାରିଲି। ତୁମେ ଅନ୍ୟାୟ ଭାବେ ତୁମ ଅନୁଜ ପତ୍ନୀ ରୋମାକୁ ତୁମ ପତ୍ନୀ କରି ରଖିଛ। ଅନୁଜର ପତ୍ନୀ ତୁମର କନ୍ୟା ସ୍ୱରୂପା। ତୁମେ ତାକୁ ଯେପରି ପାପ ଦୃଷ୍ଟିରେ ରଖିଛ ତାହା ଅକ୍ଷମଣୀୟ।ଏହି ସମୟରେ ବାଳୀ ପତ୍ନୀ ତାରା ପୁତ୍ର ଅଙ୍ଗଦକୁ ସାଙ୍ଗରେ ଧରି ଆସି ଶ୍ରୀରାମଙ୍କ ସମ୍ମୁଖରେ ବିଳାପ କରିବାକୁ ଲାଗିଲେ। ତାଙ୍କ ବିକଳ ଦେଖି ଶ୍ରୀରାମ ମଧ୍ୟ କାନ୍ଦି ପକାଇଲେ। ବାଳୀ ଓ ତାରାଙ୍କୁ ସାନ୍ତ୍ଵନା ଦେଇ ପ୍ରଭୁ କହିଲେ, ହେ ବାଳୀ! ହେ ତାରା! ମୁଁ ତୁମକୁ ଏହି ବର ଦେଉଛି, ଦ୍ୱାପରଯୁଗରେ ମୋର କୃଷ୍ଣାବତାର ହେବ। ତୁମ ପୁଅ ଅଙ୍ଗଦ, ଜନ୍ମହେବ ଜରା ଶବର ରୂପରେ। ମୁଁ ଶିଆଳିଲଟାରେ ଶୋଇ ବିଶ୍ରାମ କରୁଥିଲା ବେଳେ ଜରା ମୋତେ ଶରବିଦ୍ଧ କରି ହତ୍ୟାକରି, ପିତୃ ହତ୍ୟାର ପ୍ରତିଶୋଧ ନେବ। ପ୍ରଭୁଙ୍କ ଠାରୁ ଏତକ ଶୁଣି ସାରିଲା ପରେ, ବାଳୀର ପ୍ରାଣବାୟୁ ଉଡ଼ିଗଲା। ମୃତ୍ୟୁପୂର୍ବରୁ ସେ କହିଗଲା, ହେ ପ୍ରଭୋ! ମୁଁ ଆପଣଙ୍କୁ ଚିହ୍ନିପାରି ନଥିଲି। ଆଜି ମୁଁ ଆପଣଙ୍କ ହାତରେ ମୁକ୍ତି ପାଇଗଲି।ବାଳୀ ମୃତ୍ୟୁପରେ ସୁଗ୍ରୀବ କିଷ୍କିନ୍ଧ୍ୟା ରାଜପଦରେ ଅଭିଷିକ୍ତ ହେଲେ। ଅଙ୍ଗଦ ହେଲେ ତାଙ୍କର ମନ୍ତ୍ରୀ। ରୋମା ଏଵଂ ତାରା ହେଲେ, ତାଙ୍କର ଦୁଇ ରାଣୀ। ପରବର୍ତ୍ତୀ କାଳରେ, ତାଙ୍କ ମନ୍ତ୍ରୀ ହନୁମାନ ଲଙ୍କାକୁ ଯାତ୍ରା କରି ସୀତାଙ୍କୁ ଠାବକଲେ। ପୁଣି ସୁଗ୍ରୀବଙ୍କ ନେତୃତ୍ୱରେ ସମସ୍ତ ବାନରବଳ ଧରି ପ୍ରଭୁ ଶ୍ରୀରାମ ସାଗର ଲଂଘନ କଲେ ଓ ଲଙ୍କାରେ ରାବଣ ନିଧନ କରି ଜାନକୀଙ୍କୁ ଉଦ୍ଧାର କଲେ।

ଅର୍ଜୁନୀ ଚରଣ ବେହେରା 
ମୋ: ୭୬୯୩୦୯୧୯୭୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.