ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଗୁଜରାଟର ଦ୍ବାରକାରୁ ଓଡ଼ିଶାର ପୁରୀ ପର୍ଯ୍ୟନ୍ତ ପୂର୍ବ-ପଶ୍ଚିମ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଦେଶର ସଡ଼କ, ରେଳ, ଜଳମାର୍ଗ ଭଳି ଭିତ୍ତିଭୂମିର ବିକାଶ ତଥା ସଂଯୋଗୀକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ରାଧିକାର ଦିଆଯାଉ ଥିବାରୁ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଦ୍ବାରକାରୁ ପୁରୀ ପର୍ଯ୍ୟନ୍ତ ଏହି ପ୍ରସ୍ତାବିତ ଏକ୍ସପ୍ରେସ- ୱେ ନିର୍ମାଣ କରାଯିବା ଆଶା କରାଯାଉଛି। ଏଥି ପାଇଁ ଆଲୋଚନା ଜାରି ରହିଛି। ସୂଚନା ଅନୁସାରେ, ବର୍ତ୍ତମାନ ଦ୍ବାରକାରୁ ପୁରୀ ପର୍ଯ୍ୟନ୍ତ ସିଧା ଯାତ୍ରା ଏତେଟା ସହଜ ନୁହେଁ। ଦେଶରେ ଏହି ଦୁଇ ପ୍ରମୁଖ ଧାମ ମଧ୍ୟରେ ଦୂରତା ପ୍ରାୟ ୨୧୫୦ କିମି ଓ ଯାତ୍ରା ସମୟ ୪୫ ଘଣ୍ଟାରୁ ଅଧିକ ଲାଗିଥାଏ। ଯଦି ପୂର୍ବ- ପଶ୍ଚିମ ଏକ୍ସପ୍ରେସ ୱେ ନିର୍ମାଣ କରାଯାଏ, ଦୁଇ କ୍ଷେତ୍ର ମଧ୍ୟରେ ଯାତ୍ରା ସୁବିଧାଜନକ ହୋଇପାରିବ।ସୂଚନା ଅନୁସାରେ, ଦ୍ବାରକା – ପୁରୀ ଏକ୍ସପ୍ରେସ ୱେ ନିର୍ମାଣ ହେଲେ ଓଡ଼ିଶା ସମେତ ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼କୁ ସିଧାସଳଖ ଲାଭ ମିଳିବ। ଏହା ଗୁଜରାଟର ଜାମନଗର, ରାଜକୋଟ, ଭଦୋଦରା ଓ ଗୋଧ୍ରା; ମଧ୍ୟପ୍ରଦେଶର ଝାବୁଆ, ଧାର୍, ଇନ୍ଦୋର, ହରଦା ଓ ବୈତୁଲ; ଛତିଶଗଡ଼ର ଦୁର୍ଗ, ଭିଲାଇ, ରାୟପୁର ଓ ମହାସମୁଦ ଏବଂ ଓଡ଼ିଶାର ବୌଦ୍ଧ, ନୟାଗଡ଼, ଭୁବନେଶ୍ବର ଓ ପୁରୀକୁ ସଂଯୋଗ କରିବା ପରିକଳ୍ପନା କରାଯାଉଛି। ଦେଶରେ ଭିତ୍ତିଭୂମିର ବିକାଶ ପାଇଁ ମୋଦୀ ସରକାରଙ୍କ ଅନ୍ତରୀଣ ବଜେଟ୍ରେ ୧୧.୧୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଯଦି ପ୍ରସ୍ତାବିତ ଏକ୍ସପ୍ରେସ ୱେ ନିର୍ମାଣ ହୁଏ, ତାହାହେଲେ ଖାଲି ଧାର୍ମିକ ପର୍ଯ୍ୟଟନ କାହିଁକି ବ୍ୟବସାୟ, ଉଦ୍ୟୋଗ ଓ ଅନ୍ୟାନ୍ୟ ବ୍ୟାବସାୟିକ କାର୍ଯ୍ୟକଳାପ ବୃଦ୍ଧି ହେବା ସହିତ ରୋଜଗାରର ସମ୍ଭାବନା ସୃଷ୍ଟି ହୋଇପାରିବ।