ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ୍ ଓ କାରୁଣ୍ଡ ସେବା ସଂଗଠନ, ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ଉଦିତନାରାୟଣପୁର, କାମଠଣା ସ୍ଥିତ ଦୟାନିଧି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ୧୨୫ତମ ‘ଶିକ୍ଷା ଚେତନା ଅଭିଯାନ ୨୦୨୬’ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଙ୍ଗୁଳୁ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଲୋକନାଥ ଦୁର୍ଗା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ସ୍କୁଲ କମିଟି ସଭାପତି ଲବ ମଙ୍ଗରାଜ, କାରୁଣ୍ଡ ସେବା ସଂଗଠନ ସଭାପତି ଇଞ୍ଜିନିୟର ପୁରୁଷୋତ୍ତମ ଦାସ ଅଗ୍ରୱାଲ, ସମାଜସେବୀ ଚିନ୍ମୟ ବେହେରା ଏବଂ ଅବସରପ୍ରାପ୍ତ ଶିକ୍ଷକ ବାନାମ୍ବର ଦାସ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ସ୍ତରରେ ସଂଗଠନ ତରଫରୁ ଏଭଳି ସଚେତନତାମୂଳକ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନକୁ ପ୍ରଶଂସା କରିବା ସହ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଏହି କ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ବିଭାଗକୁ ନେଇ ରଚନା, ବକ୍ତୃତା, ଚିତ୍ରାଙ୍କନ ଏବଂ ପ୍ରଶ୍ନମଞ୍ଚ (କ୍ୱିଜ୍) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନମଞ୍ଚରେ କଳାହାଣ୍ଡିର ଇତିହାସ, ଓଡ଼ିଶାର ସଂସ୍କୃତି, ପୁରାଣ, ଗଣିତ, ବିଜ୍ଞାନ, ସାଧାରଣ ଜ୍ଞାନ, ମହାପୁରୁଷଙ୍କ ଜୀବନୀ ଓ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଇଥିଲା। କୃତୀ ଛାତ୍ରଛାତ୍ରୀମାନଙ୍କୁ ଆୟୋଜକ ସଂଗଠନ ପକ୍ଷରୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା। ସଭା ଆରମ୍ଭରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶିକ୍ଷୟତ୍ରୀ ସ୍ମିତା ଚୌଧୁରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଗଠନର ସମ୍ପାଦକ ଅବିନାଶ ମୁଣ୍ଡ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରଶ୍ନମଞ୍ଚକୁ ମାନସ ଭୋଇ ବିଚାରକ ଏବଂ ଅଙ୍କିତ କୁମାର ଖମାରୀ ଗଣକ ଭାବେ ପରିଚାଳନା କରିଥିଲେ। ସମଗ୍ର କାର୍ଯ୍ୟକ୍ରମର ସୁପରିଚାଳନାରେ ଅନୁପ କୁମାର ଦାସ ଓ ଶ୍ରଦ୍ଧାଞ୍ଜଳୀ ମହାପାତ୍ର ସହଯୋଗ କରିଥିଲେ। ଏହି ଅବସରରେ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀବାସର ଅନ୍ତେବାସୀମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ସମୀର ସାହୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ।





