ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ କାଶିବାହାଲ ସ୍ଥିତ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଗେଟରେ ଫସି ରହିଥିବା ଜଣେ ଯୁବକଙ୍କୁ ଶୁକ୍ରାବାର ଅଗ୍ନିଶମ ବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଯୁବକ ହେଲେ କନ୍ଦାବୁଟ୍ରା ଗ୍ରାମର କୁମର ରାଉତ (୩୦)। ସୂଚନା ଅନୁସାରେ, କୁମର ରାଉତ କେନାଲର ପାୱାର ଚେନାଲ ଗେଟ ତଳକୁ କୌଣସି ପ୍ରକାରେ ଯାଇ ଫସି ରହିଥିଲେ। ତେବେ କେନାଲ ଗେଟରେ ନିୟୋଜିତ କର୍ମଚାରୀ ଏହା ଦେଖିବାପରେ କୌଣସି ଅଘଟଣ ଆଶଙ୍କା କରି ସ୍ଥାନୀୟ କାଶିବାହଲ ଗ୍ରାମର ଜଣେ ସାମାଜିକକର୍ମୀ ସୂଚନା ଦେଇଥିଲେ। ପରେ ସେ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ଓଆସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କର୍ମଚାରୀ କଶ୍ୟପ କୁମାର ପଟ୍ଟନାୟକ, ରାଧେଶ୍ୟାମ ପ୍ରଧାନୀ, ସୁନୀଲ ରଞ୍ଜନ ବାରଳା, ହେମନ୍ତ ନାଏକ, ଉମାକାନ୍ତ ନାଏକ, ଦେବାଶିଷ ମହାପାତ୍ର ଓ ସୁମିତ ରଞ୍ଜନ ବିଶ୍ୱଳା ପହଞ୍ଚି ସୁରକ୍ଷିତ ଭାବରେ ଯୁବକଙ୍କୁ ଉଦ୍ଧାର କରିଛନ୍ତି।





