ଓଡ଼ିଆ ବାର୍ତ୍ତା/ ଶ୍ରୀନଗର: ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ସେନା ଉପରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୪ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ, ସେନା ଗାଡ଼ିରେ ଯବାନମାନେ ମାଛେଡି-କାଣ୍ଡଲି-ମଲହାର ରୋଡରେ ରୁଟିନ ପ୍ୟାଟ୍ରୋଲିଂ କରୁଥିଲେ । ଏହି ସମୟରେ ନିକଟସ୍ଥ ପାହାଡ଼ ଉପରେ ରହି ଏକାଧିକ ଆତଙ୍କବାଦୀ ଗାଡ଼ି ଉପରକୁ ଗୁଳି ଓ ଗ୍ରେନେଡ ମାଡ଼ କରିଥିଲେ । ଏଥିରେ ପ୍ରଥମେ ୧୦ ଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୪ ଜଣ ମୃତ୍ୟୁ ହୋଇଯାଇଥିଲା । ସୂଚନା ଅନୁସାରେ ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ପଞ୍ଜାବର ପଠାନକୋଟ ଜିଲ୍ଲାକୁ ଲାଗି ରହିଛି । କଠୁଆ ସହରଠାରୁ ୧୫୦ କିଲୋମିଟର ଦୂର ଲୋହାଇ ମଲହାରର ବଡନୋଟା ଗାଁରେ ସେନାର କିଛି ଗାଡ଼ି ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଟାର୍ଗେଟ କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ ଗ୍ରେନେଡ ଫିଙ୍ଗିବା ପରେ ଗୁଳି ଚଳନା କରିଥିଲେ । ସେନା ପକ୍ଷରୁ ଏହାର ଜବାବ ଦିଆଯାଇଥିଲା । କିନ୍ତୁ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲ ମଧ୍ୟଦେଇ ଫେରାର ହୋଇଯାଇଥିଲେ । ତେବେ ସଂପୃକ୍ତ ଅଂଚଳରେ ସେନା ଓ ପାରାମିଲିଟାରୀ ଫୋର୍ସର ମିଳିତ କମ୍ବିଂ ଅପରେସନ ଜାରି ରହିଛି ।