ଶିକ୍ଷା ସପ୍ତାହ: କଳାହାଣ୍ଡିର ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ଦିବସ ପାଳିତ

ଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସହଯୋଗ ଓ ନବୋନ୍ମେଷକୁ ଉତ୍ସାହିତ କରିବ ଶିକ୍ଷା ସପ୍ତାହ :ଡିଇଓ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଜାତୀୟ ଶିକ୍ଷାନୀତି (ଏନଇପି)- ୨୦୨୦ର ଚତୁର୍ଥ ସ୍ଵନକ୍ଷତ୍ର ଅବସରରେ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ‘ଶିକ୍ଷା ସପ୍ତାହ’ ପାଳନ କରାଯାଉଛି। ସପ୍ତାହର ପ୍ରଥମ ଦିନ ଶିକ୍ଷଣ ସାମଗ୍ରୀ (ଟିଏଲଏମ) ଦିବସ ପାଳନ ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ସ୍ଥାନୀୟ ପ୍ରସଙ୍ଗ ଓ ସାଧନର ଗୁରୁତ୍ଵ ଏବଂ ଶ୍ରେଣୀକକ୍ଷରେ ତାହାର ବ୍ୟବହାର ଉପରେ ଆଲୋକପାତ କରିବା ଥିଲା ଏହି ଦିବସ ପାଳନର ଉଦ୍ଦେଶ୍ୟ। 

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ମାର୍ଗଦର୍ଶିକା ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ଦିନକୁ ସ୍ୱତନ୍ତ୍ର ଭାବେ ପାଳନ କରାଯିବ। ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାବିତ୍, ନୀତି ପ୍ରଣେତା ଓ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସହଯୋଗ ଓ ନବୋନ୍ମେଷ (ଇନୋଭେସନ୍)କୁ ଉତ୍ସାହିତ କରିବା ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ। ଏହା ପିଲାମାନଙ୍କୁ ନୂଆ ନୂଆ କଥା ଶିଖିବା ପାଇଁ ଅନୁପ୍ରାଣିତ କରିବା ସହ ଶିକ୍ଷାର ମହତ୍ତ୍ଵକୁ ହୃଦୟଙ୍ଗମ କରିବାରେ ସାହାଯ୍ୟ କରିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ସୁଶାନ୍ତ କୁମାର ଚୋପଦାର ମତ ପ୍ରକାଶ କରିଛନ୍ତି। 

ସପ୍ତାହବ୍ୟାପୀ ବିଭିନ୍ନ ପ୍ରସଙ୍ଗ ଆଧାରିତ ଦିବସ ପାଳନର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଦିନ ଟିଏଲଏମ ଦିବସ ପାଳିତ ହୋଇଥିବା ବେଳେ ଦ୍ଵିତୀୟ ଦିନ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫଏଲଏନ) ଦିବସ, ତୃତୀୟ ଦିନ କ୍ରୀଡ଼ା ଦିବସ, ଚତୁର୍ଥ ଦିନ ସାଂସ୍କୃତିକ ଦିବସ, ପଞ୍ଚମ ଦିନ ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ, ଷଷ୍ଠ ଦିନ ଇକୋ କ୍ଲବ, ବିଦ୍ୟାଳୟ ପୋଷଣ ଦିବସ ଏବଂ ସପ୍ତମ ଦିନ ଗୋଷ୍ଠୀ ଭାଗୀଦାରିତା ଦିବସ ପାଳନ କରାଯିବ। 

ସମଗ୍ର ଶିକ୍ଷା କଳାହାଣ୍ଡିର ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମର ତଦାରଖ କରୁଥିବା ବେଳେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚୋପଦାର ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏଡିଇଓ)ପବିତ୍ର ମୋହନ ସାହୁ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.