ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଗଷ୍ଟ ୯ ତାରିଖ ବିଶ୍ବ ଆଦିବାସୀ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଆଦିବାସୀ ସଂଘ ପକ୍ଷରୁ ଧୁମଧାମରେ ଏହି ଦିବସ ପାଳନ କରାଯାଇଛି। ଲାଞ୍ଜିଗଡ଼ ଆଦିବାସୀ ସଂଘ ପରିଚାଳନା ମଣ୍ଡଳୀ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭା ଆରମ୍ଭ ପୂର୍ବରୁ ବସନ୍ତ ପଡ଼ା ସ୍ଥିତ ଭୈରବୀ ମନ୍ଦିର ଠାରୁ ଧରଣୀପେନୁଙ୍କ ପୂଜାର୍ଚ୍ଚନା କରି ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ଲାଞ୍ଜିଗଡ଼ ବେଦାନ୍ତ ରିଆବ୍ କଲୋନୀ ଖେଳ ପଡିଆରେ ପହଞ୍ଚିଥିଲା। ଅତିଥିମାନଙ୍କୁ ଫୁଲତୋଡା ଦେଇ ସ୍ବାଗତ କରାଯାଇଥିଲା। ଲାଞ୍ଜିଗଡ଼ ଆଦିବାସୀ ସଂଘ ସଭାପତି ଶୁକ୍ରୁ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇଥିଲେ।
ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ରମେଶ ମାଝୀ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜୋନ ୧ ଜିଲ୍ଲା ପରିଷଦ ଅଞ୍ଜଳି ମାଝୀ, ଲାଞ୍ଜିଗଡ଼ ସରପଞ୍ଚ ସଂଘ ସଭାପତି ସାନ୍ଦ୍ରୁ ମାଝୀ, ଲାଞ୍ଜିଗଡ଼ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଫକିର ମୋହନ ମାଝୀ, ଥୁଆମୁଳ ରାମପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଦ୍ରୌପଦୀ ମାଝୀ, ପୂର୍ବତନ ଜିଲ୍ଲାପରିଷଦ ଟଙ୍କଧର ମାଝୀ, ଅବସର ପ୍ରାପ୍ତ ରେଞ୍ଜର ହରିଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମଧ୍ୟ ମଞ୍ଚାସିନ ଥିଲେ।

ଅତିଥିମାନେ କହିଥିଲେ ଯେ, ଆଦିବାସୀମାନେ ପ୍ରକୃତିର ମୂଳ ନିବାସୀ। ପୃଥିବୀକୁ ସଂରକ୍ଷଣ କରିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମାଜିକ ଓ ଅର୍ଥନୈତିକ ବିକାଶ ସହ ଆଦିବାସୀଙ୍କ କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଦରକାର। ଆଗାମୀ ଦିନରେ ଅନ୍ଧବିଶ୍ବାସରୁ ଦୂରେଇ ରହି ମୌଳିକ ଅଧିକାର ପାଇଁ ସମସ୍ତେ ଏକଜୁଟ୍ ହେବା ଉଚିତ। ସହିଦ ରେଣ୍ଡୋ ମାଝୀ ଓ ଲାଞ୍ଜିଗଡ଼ର ଜଳ ପୁରୁଷ କାର୍ଜି ମାଝୀଙ୍କ ଅଧୁରା ସ୍ବପ୍ନକୁ ଯୁବପିଢୀ ସାକାର କରିବେ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ। ପାରମ୍ପରିକ ପୋଷାକ ଓ ବେଶଭୂଷାରେ ସାମିଲ ହୋଇ ଆଦିବାସୀ ଭାଇ ଭଉଣୀମାନେ ଡିଜେ ଓ ଆଦିବାସୀ ବାଜାରେ ନାଚ ଗୀତ ପରିବେଷଣ କରି ପୂରା ଅଞ୍ଚଳକୁ ପ୍ରକମ୍ପିତ କରିଦେଇଥିଲେ।
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଲଳିତ ମୋହନ ଭୋଇ ଓ ନିରଞ୍ଜନ ମାଝୀ। ପାତ୍ର ମାଝୀ, ଲିଙ୍ଗା ମାଝୀ, ପ୍ରଦିପ ମାଝୀ, ଜଳନ୍ଧର ମାଝୀ, ହରି ମାଝୀ, ତୁଳସୀ ମାଝୀ ଓ ସୁଦାନା ମାଝୀ ପ୍ରମୁଖ ସହଯୋଗ କରିଥିଲେ। କେସିଙ୍ଗା ଏସଡିପିଓ ସନ୍ଦିପ କୁମାର ମାଝୀ ଓ ଲାଞ୍ଜିଗଡ଼ ଅତିରିକ୍ତ ତହସିଲଦାର ସତ୍ୟବ୍ରତ ନାୟକଙ୍କ ନେତୃତ୍ବରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।





