ନଦୀନାଳ ଓ ଚାଷଜମି ଡେଇଁ ଶବ ବୋହି ଶ୍ମଶାନ ଯାଉଛନ୍ତି ଗ୍ରାମବାସୀ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଜୀବନ ଥିବାବେଳେ ଭଲ ରାସ୍ତା ପାଇଁ ସଂଘର୍ଷ, ଆଉ ମୃତ୍ୟୁ ପରେ ଶେଷ ଯାତ୍ରା ପାଇଁ ମଧ୍ୟ ସେହି ସଂଘର୍ଷ। ଏଭଳି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଡୁଟିଗୁଡ଼ା ଗାଁର ଗ୍ରାମବାସୀ। ଦୀର୍ଘଦିନ ଧରି ଶ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ଗାଁରେ କାହାର ମୃତ୍ୟୁ ହେଲେ ପରିବାର ଲୋକ ଓ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଯାଉଛି। ଶବକୁ କାନ୍ଧରେ ବୋହି ନଦୀନାଳ, ଚାଷଜମି ଓ ଅସମତଳ ରାସ୍ତା ଡେଇଁ ଶ୍ମଶାନକୁ ଯିବାକୁ ପଡ଼ୁଛି। ବର୍ଷାଦିନେ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ୁଛି। ନଦୀନାଳରେ ପାଣି ବଢ଼ିଲେ ଶବକୁ ନେଇ ଶ୍ମଶାନ ଯିବା ଗ୍ରାମବାସୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଯାଉଛି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବଞ୍ଚିଥିବା ବେଳେ ଲୋକେ ଜୀବନକୁ ବାଜି ଲଗାଇ ରାସ୍ତା ପାର ହେଉଛନ୍ତି, ହେଲେ ମୃତ୍ୟୁ ପରେ ମଧ୍ୟ ଶବକୁ ଶ୍ମଶାନ ନେବା ପାଇଁ ଭଲ ରାସ୍ତାଟିଏ ମିଳୁନାହିଁ। ଏହା କେବଳ ରାସ୍ତା ସମସ୍ୟା ନୁହେଁ, ମୃତକଙ୍କ ପ୍ରତି ଶେଷ ସମ୍ମାନର ପ୍ରଶ୍ନ ବୋଲି ଗ୍ରାମବାସୀ କହିଛନ୍ତି। ଶ୍ମଶାନ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଦାବି କରାଯାଇଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ସମାଧାନ ହୋଇନାହିଁ। ଫଳରେ ପ୍ରତ୍ୟେକ ମୃତ୍ୟୁ ପରେ ପୁଣିଥରେ ସେହି ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ଏବେ ଗ୍ରାମବାସୀଙ୍କ ଏକମାତ୍ର ପ୍ରଶ୍ନ—ଶେଷ ଯାତ୍ରା ପାଇଁ ରାସ୍ତା କେବେ ମିଳିବ? ଶବକୁ କେବେ ମିଳିବ ସମ୍ମାନ? ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ କରି ଶ୍ମଶାନକୁ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ଡୁଟିଗୁଡ଼ାବାସୀ ଦାବି କରିଛନ୍ତି।





