ଲୁଲ୍ଲା ପଞ୍ଚାୟତରେ କଂଗ୍ରେସର ସାଂଗଠନିକ ଶକ୍ତି ବୃଦ୍ଧି: ପଞ୍ଚାୟତ କମିଟି ଗଠିତ; ସଭାରେ ଏକଜୁଟ ହେଲେ ଶତାଧିକ କର୍ମୀ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲୁଲ୍ଲା ଗ୍ରାମ ପଞ୍ଚାୟତରେ କଂଗ୍ରେସର ସାଂଗଠନିକ କାର୍ଯ୍ୟକଳାପକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ପଞ୍ଚାୟତ କମିଟି ଗଠନ କରାଯାଇଛି। ଏନେଇ ବ୍ଲକ କଂଗ୍ରେସ ସଭାପତି ମୋହନ ପାତ୍ର ହିଆଲଙ୍କ ସଭାପତିତ୍ୱରେ ଲୁଲ୍ଲା ପଞ୍ଚାୟତରେ ଏକ ସାଂଗଠନିକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଡ. ରୂପକ ତୁରୁକ ଯୋଗଦେଇଥିଲେ। ତାଙ୍କ ସହ ପୂର୍ବତନ ବିଧାୟକ ନିମାଇଁ ଚନ୍ଦ୍ର ସରକାର, ଜିଲ୍ଲା ପରିଷଦ ସଭ୍ୟ ଧନପତି ସାଅନ୍ତା, ଜୋନ ସଭାପତି ଭଗବାନ ବାରିକ, ସାଂସଦ ପ୍ରତିନିଧି ରାଜେନ୍ଦ୍ର ହୁଇକା, ଜିଲ୍ଲା କଂଗ୍ରେସ ସମ୍ପାଦକ ସୁନାମ କନ୍ଦପାନ, ବ୍ଲକ ସମ୍ପାଦକଙ୍କ ସମେତ ଦଳର ବହୁ ନେତା ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ସାଂଗଠନିକ ସଭାରେ ପଞ୍ଚାୟତ ସ୍ତରରେ କଂଗ୍ରେସ ସଂଗଠନକୁ ଅଧିକ ସକ୍ରିୟ କରିବା ସହ ତୃଣମୂଳ ସ୍ତରରେ କର୍ମୀମାନଙ୍କୁ ଏକଜୁଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଦଳର ନୀତି ଓ କାର୍ଯ୍ୟକ୍ରମକୁ ଗାଁ ଗାଁରେ ପହଞ୍ଚାଇବା, ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ଏବଂ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହୋଇ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ଲୁଲ୍ଲା ଗ୍ରାମ ପଞ୍ଚାୟତ ପାଇଁ କଂଗ୍ରେସର ନୂତନ ପଞ୍ଚାୟତ କମିଟି ଗଠନ କରାଯାଇଥିଲା। କମିଟିରେ ଦଳର ସକ୍ରିୟ କର୍ମୀ ଓ ନେତାମାନଙ୍କୁ ସାମିଲ କରାଯାଇ ପଞ୍ଚାୟତରେ କଂଗ୍ରେସର ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନବଗଠିତ ପଞ୍ଚାୟତ କମିଟି ଆଗାମୀ ଦିନରେ ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ସଫଳ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ କଂଗ୍ରେସ ସହ ଯୋଡ଼ିବା ଦିଗରେ କାର୍ଯ୍ୟ କରିବ ବୋଲି ଦଳୀୟ ନେତାମାନେ ଆଶା ପ୍ରକାଶ କରିଥିଲେ। ସଭା ଶେଷରେ ଉପସ୍ଥିତ କଂଗ୍ରେସ କର୍ମୀମାନେ ନୂତନ କମିଟିକୁ ସ୍ୱାଗତ କରିବା ସହ ପଞ୍ଚାୟତରେ ଦଳର ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.