ଚନ୍ଦ୍ର କୁମାର ମହାନ୍ତିଙ୍କ କବିତା ଉପରେ ଗବେଷଣା ପାଇଁ ଆନ୍ତର୍ଜାତିକ ସମ୍ମାନ ପାଇଲେ ଓଡ଼ିଆ ଗବେଷକ ସନ୍ତୋଷ କୁମାର ନାୟକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଗବେଷକ ଓ ଅଧ୍ୟାପକ ସନ୍ତୋଷ କୁମାର ନାୟକ ବିଶିଷ୍ଟ କବି ସ୍ୱର୍ଗତ ଚନ୍ଦ୍ର କୁମାର ମହାନ୍ତିଙ୍କ ଓଡ଼ିଆ କବିତା ଉପରେ ତାଙ୍କର ଗବେଷଣା କାର୍ଯ୍ୟ ପାଇଁ ଆନ୍ତର୍ଜାତିକ ସ୍ତରରେ ସମ୍ମାନିତ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଇଂଲିଶ ଗବେଷଣା ପ୍ରବନ୍ଧ “The Road That Outlives Its Own End: Liminal Consciousness, Apophatic Seeking, and the Philosophy of Infinite Arrival in Chandra Kumar Mohanty’s Sari Saru Nathibā Bāta” ଆନ୍ତର୍ଜାତିକ ସ୍ତରର ପିୟର-ରିଭ୍ୟୁଡ୍ ଓ ସୂଚୀଭୁକ୍ତ ଗବେଷଣା ପତ୍ରିକା International Journal of Humanities and Social Sciences Research Studies (IJHSSRS) ରେ ପ୍ରକାଶ ପାଇଛି। ଏହି ଉଲ୍ଲେଖନୀୟ ଗବେଷଣା ଅବଦାନ ପାଇଁ ପତ୍ରିକାର ସମ୍ପାଦକୀୟ ବୋର୍ଡ ସନ୍ତୋଷ କୁମାର ନାୟକଙ୍କୁ ସର୍ଟିଫିକେଟ୍ ଅଫ୍ ପବ୍ଲିକେସନ୍ ପ୍ରଦାନ କରି ସମ୍ମାନିତ କରିଛି। ଏହି ଗବେଷଣା ସ୍ୱର୍ଗତ ଚନ୍ଦ୍ର କୁମାର ମହାନ୍ତିଙ୍କ ଚର୍ଚ୍ଚିତ କବିତା ‘ସରି ସରୁ ନଥିବା ବାଟ’ ଉପରେ ଆଧାରିତ। ଏହି ଗବେଷଣା ପ୍ରବନ୍ଧରେ କବିତାଟିର ଅସ୍ତିତ୍ୱବାଦୀ, ଦାର୍ଶନିକ, ଭାଷାତାତ୍ତ୍ୱିକ ଓ ଅଧିବିଦ୍ୟାମୂଳକ ଦିଗଗୁଡ଼ିକର ଏକ ବ୍ୟାପକ ଓ ବହୁମାତ୍ରିକ ବିଶ୍ଳେଷଣ କରାଯାଇଛି। ନାୟକ ତାଙ୍କ ଅଧ୍ୟୟନରେ ଦର୍ଶାଇଛନ୍ତି ଯେ, ଏହି କବିତାଟି କେବଳ ସାହିତ୍ୟିକ ଅଭିବ୍ୟକ୍ତି ନୁହେଁ, ବରଂ ମାନବ ଚେତନା, ଅନନ୍ତ ଅନ୍ୱେଷଣ, ଅସମ୍ପୂର୍ଣ୍ଣତା ଓ ସତ୍ୟ ସନ୍ଧାନର ଏକ ଗଭୀର ଦାର୍ଶନିକ ଚିନ୍ତନ। ଜୁଲାଇ-ଅଗଷ୍ଟ ୨୦୨୬ ସଂଖ୍ୟାରେ ପ୍ରକାଶିତ ଏହି ଗବେଷଣା ପ୍ରବନ୍ଧରେ ଚନ୍ଦ୍ର କୁମାର ମହାନ୍ତିଙ୍କ କାବ୍ୟଦୃଷ୍ଟିକୁ ବିଶ୍ୱ ସାହିତ୍ୟ, ତୁଳନାତ୍ମକ କାବ୍ୟତତ୍ତ୍ୱ, ଫେନୋମେନୋଲୋଜି, ଅସ୍ତିତ୍ୱବାଦୀ ଦର୍ଶନ ଏବଂ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ପ୍ରସଙ୍ଗରେ ବିଶ୍ଳେଷଣ କରାଯାଇଛି। ଏହା ଆଧୁନିକ ଓଡ଼ିଆ କବିତାର ସାର୍ବଜନୀନ ଗୁରୁତ୍ୱକୁ ବିଶ୍ୱ ପରିସରରେ ପ୍ରତିଷ୍ଠିତ କରିଛି।
ବାଲେଶ୍ଵର ଜିଲ୍ଲାରେ ୧୯୯୦ରେ ଜନ୍ମିତ ସନ୍ତୋଷ କୁମାର ନାୟକ ବର୍ତ୍ତମାନ ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ସହକାରୀ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି।ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ଏହି ସଫଳତାକୁ ଓଡ଼ିଶା ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଭାବେ ସ୍ୱାଗତ କରାଯାଇଛି। ଏହି ଆନ୍ତର୍ଜାତିକ ସ୍ୱୀକୃତି ଓଡ଼ିଆ ସାହିତ୍ୟର ସମୃଦ୍ଧିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା ସହ ସ୍ୱର୍ଗତ ଚନ୍ଦ୍ର କୁମାର ମହାନ୍ତିଙ୍କ ସୃଜନଶୀଳ ଅବଦାନକୁ ଅଧିକ ବ୍ୟାପକ ପାଠକବର୍ଗଙ୍କ ନିକଟରେ ପହଞ୍ଚାଇବ ବୋଲି ମତ ପ୍ରକାଶ ପାଇଛି। ଚନ୍ଦ୍ର କୁମାର ମହାନ୍ତିଙ୍କ ଅନୁରାଗୀ, ସାହିତ୍ୟିକ ଓ ଗବେଷକମାନଙ୍କ ସହିତ ତାଙ୍କର କବି-ପୁତ୍ର ତଥା ସାହିତ୍ୟିକ ଉତ୍ତରାଧିକାରୀ ଉତ୍ପଳ ମହାନ୍ତି ସନ୍ତୋଷ କୁମାର ନାୟକଙ୍କୁ ଏହି ବିରଳ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏପରି ଗବେଷଣାମୂଳକ କାର୍ଯ୍ୟ ଭବିଷ୍ୟତରେ ଓଡ଼ିଆ ସାହିତ୍ୟକୁ ଆନ୍ତର୍ଜାତିକ ଏକାଡେମିକ୍ ପରିସରରେ ଆହୁରି ସୁଦୃଢ଼ ସ୍ଥାନ ପ୍ରଦାନ କରିବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.