ଜୁର୍କାଭଟା ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି: ଯନ୍ତ୍ରଣା ଭୋଗୁଛନ୍ତି ଗ୍ରାମବାସୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗ୍ରାମ ପଞ୍ଚାୟତର ଜୁର୍କାଭଟା ଗାଁ ଦାଣ୍ଡ ୧୭ ନମ୍ବର ୱାର୍ଡରେ ଆଣ୍ଠଏ ପାଣି। ଲୋକ ଯନ୍ତ୍ରଣା ଭୋଗୁଛନ୍ତି। ନେତା ଚୁପ, ପ୍ରଶାସନ ଚୁପ। ପ୍ରଶାସନକୁ ବାରମ୍ବାର ଜଣାଇ ଜଣାଇ ଲୋକେ ନୟାନ୍ତ ହୋଇ ପଡିଥିବା ମତବ୍ୟକ୍ତ କରୁଛନ୍ତି। ଜୁର୍କାଭଟା ଗାଁ ୧୭ ନମ୍ବର ୱାର୍ଡରେ ୮୫ ଘର ପରିବାର ବସବାସ କରୁଛନ୍ତି। ସମସ୍ତେ ପ୍ରାୟ ଚାଷୀ ପରିବାର ଅଟନ୍ତି । ୨୦୦୨ ମସିହାରେ ଏହି ଗାଁ ଦାଣ୍ଡ ଗ୍ରାମ ପଞ୍ଚାୟତ ପାଣ୍ଠିରୁ କଂକ୍ରୀଟ ରାସ୍ତା ନିର୍ମିତ ହୋଇଥିଲା। ହେଲେ ଗତ ଦୁଇବର୍ଷ ହେଲା ଗାଁ ଦାଣ୍ଡରେ ପାଣି ଜମା ହୋଇ ପାର୍ଶ୍ୱରୁ ମାଟି ବୋହି ଆସି ଏହା ପଙ୍କିଳ ରାସ୍ତା ସାଜିଛି। ସାହି ବାସୀଙ୍କ ଦୁଆର ମୁହଁରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଲୋକେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇ ପଡୁଛି। ଦେଶ ୮୦ ତମ ସ୍ୱାଧିନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ନର୍ଲା ବ୍ଲକ ର ନାକ ତଳେ ରହିଥିବା ଜୁର୍କାଭଟା ସ୍ୱାଧିନତା ପାଇଲା ଭଳି ଅନୁମେୟ ହୋଇ ପାରୁନି। ନର୍ଲା ରୁ ମାତ୍ର ୩ କି.ମି. ଦୁରରେ ରହିଥିବା ଜୁର୍କାଭଟା ଗାଁ କୁ କାହିଁକି ପ୍ରଶାସନ ପହଞ୍ଚି ପାରୁନି? ସାହି ବାସିନ୍ଦାଙ୍କ ଏଭଳି ଅକଥନୀୟ ଦୁର୍ଦ୍ଦଶା କୁ କାହିଁକି ଦେଖି ପାରୁନି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏବେ ନର୍ଲା ଏନଏସି ଘୋଷଣା ହୋଇ ସାରିଛି। ନର୍ଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଏହି ଜୁର୍କାଭଟା ଗ୍ରାମ ମଧ୍ୟ ଏନଏସି ଅଧିନରେ ଯାଉଛି। ଏନଏସି ଅଧିନରେ ଆସୁଥିବା ନର୍ଲା ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଦସ୍ୟ ମାନଙ୍କ କ୍ଷମତା ଚ୍ୟୁତ ହୋଇଛି। ନର୍ଲା ଏନଏସି ଅନ୍ତର୍ଭୁକ୍ତ ହୋଇ ସାରିଥିଲେ ମଧ୍ୟ ନା ଏନଏସି ଅଫିସ ହୋଇ ପାରିଛି। ନା ଏନଏସି ଅଧିନରେ କୌଣସି ବିକାଶ କାମ ଆରମ୍ଭ ହେଉଛି। ଏବେ ଦୋ ଛକିରେ ଏହି ଦୁଇ ଗ୍ରାମ ପଞ୍ଚାୟତ ବାସୀ। କିଏ ଶୁଣିବ ଏମାନଙ୍କ ଦୁଃଖ? ଆଗରୁ ଜୁର୍କାଭଟା ଗାଁ ରାସ୍ତାର ଏମିତି ପରିସ୍ଥିତି ହେଉନଥିଲା। ଗତ ଦୁଇ ବର୍ଷ ହେଲା ଅଳ୍ପ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି କୃତ୍ରିମ ପୋଖରୀ ପାଲଟୁଛି। ଡ୍ରେନେଜ ର ସୁବିଧା ନାହିଁ। ରାସ୍ତା ଉପରେ ଆଣ୍ଠୁଏ ପାଣି ଜମା ହେଉଛି। ଲୋକଙ୍କ ଗମନା ଗମନ ରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଛି ବୋଲି ପଡା ବାସିନ୍ଦା ମତବ୍ୟକ୍ତ କରିଛନ୍ତି। ଏବେ ଲୋକେ ଏହାର ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ମତବ୍ୟକ୍ତ କରିଛନ୍ତି। ରାସ୍ତା ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି କରୁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.