ଓଡିଆ ବାର୍ତ୍ତା/ ଭୁବନେଶ୍ୱର | କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ତାଙ୍କର ଉଲ୍ଲେଖନୀୟ ଶୈକ୍ଷିକ ସଫଳତା ପାଇଁ ଭୁବନେଶ୍ୱରସ୍ଥିତ ଆଇକନିକ୍ ଓଏଭିଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଡ. ଏନ୍. ତିରୁମାଲା ନାୟକ ମୁଖ୍ୟ ଅତିଥି ଭାବେ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସ୍ମିତା ରାଉତ ସମ୍ମାନୀତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ଓଏଭି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ର ଉତ୍ସ ବୋଲି ଶାସନ ସଚିବ ଡ. ନାୟକ କହିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ଓଏଭିର ସ୍ୱୟଂ ସ୍ୱାଗତ କରଙ୍କୁ ରାଜ୍ୟ ସ୍ତରରେ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ଭାବେ ପୁରସ୍କୃତ କରାଯାଇଥିଲା। ସ୍ୱୟଂ ଚଳିତ ବର୍ଷ ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟ ମଧ୍ୟରେ ନିଟ ଟପର, ଜେଇଇ ଏବଂ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାରେ ଶ୍ରେଷ୍ଠ ୧୦ଜଣ ମଧ୍ୟରେ ସ୍ଥାନ ହାସଲ କରିବା ସହ ନାଇଜର୍ ଓ ଆଇଜର ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଯଥାକ୍ରମେ ୧୩ ଓ ୧୮୬ ସ୍ଥାନ ହାସଲ କରି ଥିବାରୁ ତାଙ୍କୁ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ସମ୍ମାନ ପ୍ରଦାନ କରାଯାଇଛି। ସ୍ୱୟଂ ସ୍ୱାଗତ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଓ ଶିକ୍ଷୟତ୍ରୀ ସସ୍ମିତା ଦାସଙ୍କ ସୁପୁତ୍ର ଅଟନ୍ତି।ତାଙ୍କର ଏହି ସଫଳତା କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଆଣିଦେଇ ଥିବାରୁ ନର୍ଲା ଆଦର୍ଶ ବିଦ୍ୟାଳୟ ର ପ୍ରିନ୍ସିପାଲ ଓ ସମସ୍ତ ଷ୍ଟାଫ ଶୁଭେଚ୍ଛା ଜଣାଇଥିବା ବେଳେ ଵିଭିନ୍ନ ମହଲ ରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।





