ଟାଇମ୍‍ପାସ୍‍ ସାହିତ୍ୟପର୍ବରେ ଅନୁଷ୍ଠିତ ହେଲା ଅଭିନବ କାର୍ଯ୍ୟକ୍ରମ ‘ଉଚ୍ଚାରଣ’ : ଭାଗ ନେଲେ ୨୪ କବି

ଲୋକାର୍ପିତ ହେଲା ୧୨ଟି ନୂଆ ପୁସ୍ତକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଷଷ୍ଠ ରାଜ୍ୟ ପୁସ୍ତକ ମହୋତ୍ସବ ଅବସରରେ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ ଅଭିନବ ସାହିତ୍ୟପର୍ବ। ସାତକଡ଼ି ହୋତା ମଞ୍ଚରେ ଆୟୋଜିତ ଏହି ଉତ୍ସବରେ ଗିରିବାଳା ମହାନ୍ତିଙ୍କ ‘ଯିବାଲୋକ’, ପ୍ରବାସିନୀ ମହାକୁଡ଼ଙ୍କ ‘ଶ୍ରେଷ୍ଠ କବିତା’, ପଞ୍ଚାନନ ନାୟକଙ୍କ ‘ନଷ୍ଟ ପ୍ରେମିକ’, ଅଶୋକ କୁମାର ସିଂହଙ୍କ ‘ଅନ୍ତରଙ୍ଗ ଆବେଗ’, ବିଜନବାଳା ପାଟଯୋଷୀଙ୍କ ‘କାୟାପୁରୁଷ’, ଅମରେନ୍ଦ୍ର ମାଧବ ଦାଶଙ୍କ ‘କବିତା ଧାଡ଼ି ବାହାରେ’ ଆଦି କବିତା ସଂକଳନ; ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କ ‘ପଳାତକ’, ବିରଜା ରାଉତରାୟଙ୍କ ‘ନୂଆ ଗପର ଇଏମଆଇ’ ଆଦି ଗଳ୍ପ ସଂକଳନ; କାଳନ୍ଦି ସାମଲଙ୍କ ଉପନ୍ୟାସ ‘ସେକେଣ୍ଡ କଣ୍ଟା’ ଏବଂ ହିରଣ୍ମୟୀ ମିଶ୍ରଙ୍କ ‘ବର୍ଣ୍ଣାଳିର ଯେତେ ରଙ୍ଗ’, ଡ. ବାସନ୍ତୀ ମହାନ୍ତିଙ୍କ ‘ଅପ୍ରମିତ ସୁରେନ୍ଦ୍ର’, ପରଂବ୍ରହ୍ମ ତ୍ରିପାଠୀଙ୍କ ‘କିମଧିକମ’ ଆଦି ପ୍ରବନ୍ଧ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରକାଶ ମହାପାତ୍ର, ସୂର୍ଯ୍ୟ ମିଶ୍ର, ପରେଶ ପଟ୍ଟନାୟକ, କଇଳାଶ ପଟ୍ଟନାୟକ ପ୍ରମୁଖ ଅତିଥିମାନେ ଏହି ପୁସ୍ତକସବୁକୁ ଲୋକାର୍ପଣ କରିଥିଲେ।

ଏହି ଅବସରରେ ଟାଇମ୍‍ପାସ୍‍ ପକ୍ଷରୁ କବିତାର କଳାତ୍ମକ ଉପସ୍ଥାପନାକୁ ନେଇ ‘ଉଚ୍ଚାରଣ’ ପ୍ରଥମ ଭାଗର ଅଡ଼ିସନ୍‍ ରାଉଣ୍ଡ୍‍ ଆୟୋଜିତ ହୋଇଥିଲା। ଅନୀତା ଦାସ, ଅପର୍ଣ୍ଣା ସିଂହ, ଅମିତ କୁମାର ସାହୁ, ଅଂଶୁମାନ ସାହୁ, ଆଶିଷ କୁମାର ମିଶ୍ର, ଆଶୁତୋଷ ସାହୁ, ଗୌରୀ ସାହୁ, ଚିନ୍ମୟ କୁମାର ନାୟକ, ଜିତୁ ପ୍ରଧାନ, ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ବିଶ୍ୱଜିତ ଦାସ, ବୀରେନ୍ଦ୍ର ନାୟକ, ମନୀଷା ବିଶ୍ୱାଳ, ଶୁଭଶ୍ରୀ ପ୍ରଭା ସ୍ୱାଇଁ, ସଂଗ୍ରାମ ମହାରଣା, ସସ୍ମିତା ଘୋଷ୍‌, ସୁଚରିତା ପାତ୍ର, ସୁବ୍ରତ କୁମାର ସେନାପତି, ସୁମିତ ପଣ୍ଡା, ସ୍ୱାଗତିକା ମିଶ୍ର ପ୍ରମୁଖ କୋଡ଼ିଏ ଜଣ କବି ଏଥିରେ ସ୍ୱରଚିତ କବିତାର ଉପସ୍ଥାପନ କରିଥିଲେ।

‘ଉଚ୍ଚାରଣ’ ପ୍ରତିଯୋଗିତାର ନିରୀକ୍ଷକ ଭାବେ ବିଶିଷ୍ଟ କଥାକାର ଅଜୟ ସ୍ୱାଇଁ ଯୋଗ ଦେଇଥିବା ବେଳେ ବିଚାରକ ଭାବେ ଉପସ୍ଥିତ ଥିଲେ ଗାଳ୍ପିକା ବିୟତ୍‍ପ୍ରଜ୍ଞା ତ୍ରିପାଠୀ, କବି ଶକ୍ତି ମହାନ୍ତି ଓ ଅଭିନେତା ଅଭିଷେକ ଗିରି।

ଅଂଶୁମାନ ସାହୁ ଓ ବେଦପ୍ରକାଶ ନାୟକ ଉତ୍ସବ ସଂଚାଳନ କରିଥିବା ବେଳେ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ‘ଟାଇମପାସ୍‍’ର ନିର୍ଦ୍ଦେଶକ ସରୋଜ ବଳ। ପରିଚାଳନାରେ ସହଯୋଗ କରିଥିଲେ ଅବିନାଶ ସାହୁ, ସତ୍ୟଜିତ୍‍ ମିଶ୍ର ଏବଂ ଆଶିଷ କୁମାର ମିଶ୍ର। ପୁସ୍ତକମେଳାକୁ ଆସିଥିବା ଶତାଧିକ ସାହିତ୍ୟପ୍ରେମୀ ତଥା ଲେଖକ ଯୋଗ ଦେଇ ସାହତ୍ୟପର୍ବକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.