ବାଲେଶ୍ଵର ଠାରେ ଅନୁଷ୍ଠିତ ହେଲା ‘ନାରୀ ଶକ୍ତି ବନ୍ଦନ’ ସଚେତନତା ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଜି ବାଲେଶ୍ୱର ପ୍ରଶାସନ ପକ୍ଷରୁ ‘ନାରୀ ଶକ୍ତି ବନ୍ଦନ’ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ।ଆଗାମୀ ଦିନରେ ଖୁବ୍ ଶୀଘ୍ର ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ସଂସଦରେ ପାରିତ ହେବ। ଏହା ଦ୍ବାରା ନାରୀ ମାନେ ସାଧାରଣ ନିର୍ବାଚନରେ ୩୩% ସଂରକ୍ଷଣ ପାଇପାରିବେ। ଏହି ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରୁ ବାହାରି ଆୟୁଷ୍ମାନ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଓଡ଼ିଶା ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ସଦର ବିଧାୟକ ମାନସ କୁମାର ଦତ୍ତ ପତାକା ହଲାଇ ଶୋଭାଯାତ୍ରାକୁ ଆରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ନାରୀ ନେତ୍ରୀ ଶ୍ରୀମତୀ ମମତା ମହାପାତ୍ରଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହା ନାରୀ ସଶକ୍ତିକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ। ଏହି ଶୋଭାଯାତ୍ରାରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦୦ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନେ ସାମିଲ ହୋଇଥିଲେ। ନାରୀମାନଙ୍କର ସଶକ୍ତିକରଣ ଉପରେ ନାରା ଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନେ ଆୟୁଷ୍ମାନ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ। ଆୟୁଷ୍ମାନ କଲ୍ୟାଣ ମଣ୍ଡପ ଠାରେ ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହା ଏକ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତ ପୁରୁଷ ଅତିଥିମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କଲା ପରେ ସେମାନେ ମଞ୍ଚ ସାମ୍ନାରେ ଶ୍ରୋତାଙ୍କ ସହିତ ବସିଥିଲେ। କେବଳ ନାରୀ ଶକ୍ତି ହିଁ ମଞ୍ଚାସୀନ ଥିଲେ।

ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ, ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ନାରୀ ନେତ୍ରୀ ଶ୍ରୀମତୀ ମମତା ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି, କେକେଏସ୍ ମହିଳା ମହାବିଦ୍ୟାଳୟର ପ୍ରିନ୍ସିପାଲ ଶ୍ରୀମତୀ ଝାନସି ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ ମୟୂର ବିକାଶ ନାରୀ ସଶକ୍ତିକରଣ ପ୍ରତି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ଗୁଡ଼ିକର ଭୂୟସୀ ପ୍ରଶଂସା କରିଥିବା ବେଳେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଲୁଚିକି ରହିଥିବା ନାରୀ ଶକ୍ତିକୁ ଜାଗରଣ କରିବା ପାଇଁ ସଭାରେ ଉପସ୍ଥିତ ଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କ ଦ୍ଵାରା ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ସଂସଦରେ ଆଗତ କରାଯିବ ଏ ସମ୍ପର୍କରେ ଶ୍ରୀଯୁକ୍ତ ଷଡଙ୍ଗୀ ପୁଙ୍ଖାନୁପୁଙ୍ଖ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କୁ ବୁଝାଇଥିଲେ। ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାର ନାରୀ ଜାତିର ବିକାଶ ପାଇଁ ଅନେକ ଯୋଜନା ମାନ ଆଣିଛନ୍ତି । ସେଗୁଡିକ ହେଲା ବେଟି ବଚାଓ ବେଟି ପଢ଼ାଓ, ପ୍ରଧାନ ମନ୍ତ୍ରୀ ଉଜ୍ଜଳା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ସୁଭଦ୍ରା ଯୋଜନା ଇତ୍ୟାଦି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.