ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୯୫ତମ କାର୍ଯ୍ୟକ୍ରମ ବିଷୁବ ବିଶ୍ଳେଷଣ ମହୋତ୍ସବ ଓ ଓଡ଼ିଆ ନବବର୍ଷ ସାହିତ୍ୟ ସଙ୍ଗୀତ ସଙ୍ଗମ ସ୍ୱାମୀ ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମ ଡଗରପଡା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ ସାମନ୍ତରାୟ ବିଷୁବ ସଂକ୍ରାନ୍ତିର ଆଧ୍ୟାତ୍ମିକ ତତ୍ତ୍ୱ ସ୍ପଷ୍ଟ ରୂପେ ବ୍ୟାଖ୍ୟା କରି ଓଡ଼ିଆ ନବବର୍ଷକୁ ବିଶ୍ୱରେ ପ୍ରତ୍ୟେକ ଓଡ଼ିଆ ଭାଷାଭାଷୀ ପାଳନ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ସଭାକୁ ବାବାଜୀ ନୀଳାଚଳ ଦାସ ଉଦ୍ଘାଟନ କରି ଓଡ଼ିଆ ନବବର୍ଷ ପାଳନ ବିଶ୍ୱରେ ଓଡ଼ିଶାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସ୍ପଷ୍ଟ କରିଥିଲେ । ମୁଖ୍ୟ ଅତିଥି ପ୍ରଫେସର ଡ଼କ୍ଟର ସୁରେଖା ସୁନ୍ଦରୀ ସ୍ୱାଇଁ କୈବଲ୍ୟ ସାହିତ୍ୟ ସଂସଦର ଆଧ୍ୟାତ୍ମିକ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଡ଼କ୍ଟର କୃତିବାସ ନାୟକ, ବିଶିଷ୍ଟ ବରିଷ୍ଠ ଶିଶୁ ସାହିତ୍ୟିକ ବିଷୁବ ସଂକ୍ରାନ୍ତିର ପୌରାଣିକ ଉତ୍ସ ଏବଂ ପାଳନ ବିଧି ବ୍ୟାଖ୍ୟା କରିଥିଲେ । ସମ୍ମାନିତ ଅତିଥି ଭାବେ ଡାକ୍ତର ଲକ୍ଷ୍ମଣ ସାହୁ, ବରଦା ପ୍ରସନ୍ନ ଦାସ, ଡ଼କ୍ଟର ମନୋରଞ୍ଜନ ବେଉରା, ବିଜୟ କୁମାର ସିହ୍ନା, ଡ଼କ୍ଟର ମୀରା ବେଉରା, ଡ଼କ୍ଟର ସୌଦାମିନୀ ତ୍ରିପାଠୀ ଯୋଗଦାନ କରି ବିଷୁବ ସଂକ୍ରାନ୍ତି ମାହାତ୍ମ୍ୟ ବ୍ୟାଖ୍ୟା କରିଥିଲେ । ନିମନ୍ତ୍ରିତ କବି କବୟିତ୍ରୀ ” ବିଶ୍ୱରେ ବିଷୁବ ” ଶୀର୍ଷକରେ କବିତା ପାଠ କରିଥିଲେ । ଦୟାନିଧି ସାଂସ୍କୃତିକ କଳା ପରିଷଦର ନୃତ୍ୟଶିଳ୍ପୀବୃନ୍ଦ ମନୋମୁଗ୍ଧକର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ସତ୍ୟ ସନାତନ ବେଦିକ ବିଦ୍ୟାଳୟର ବିଦ୍ୟାର୍ଥୀମାନେ ବେଦ ପାଠ ଏବଂ ଗୀତା ପାଠ କରିଥିଲେ । କବୟିତ୍ରୀ ରଶ୍ମିତା ପତି ହନୁମାନ ଆରାଧନା ଶ୍ଳୋକ ଗାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ବିଷୁବ ପୁରସ୍କାର ସହିତ ମିଷ୍ଟାନ୍ନ, ଗୀତା, ଆଧ୍ୟାତ୍ମିକ ପୁସ୍ତକ, ବର୍ଣ୍ଣବୋଧ, କଲମ, ଖାତା ବଣ୍ଟନ କରାଯାଇଥିଲା । ସାହିତ୍ୟିକ ଏବଂ କଳାକାର ମାନଙ୍କୁ ବିଷୁବ ସାରସ୍ଵତ ସମ୍ମାନ ପ୍ରଦାନ କରାଯାଇଥିଲା । କଣ୍ଠଶିଳ୍ପୀମାନେ ଭକ୍ତି ସଙ୍ଗୀତ ଗାନ କରିଥିଲେ । ଅଧ୍ୟାପିକା ତେଜସ୍ଵୀନି ସାମଲ ମଞ୍ଚ ପରିଚାଳନା କରିଥିଲେ ।





