ପରଲୋକରେ ପ୍ରହରାଜ: ଓଡ଼ିଆ କବିତାର ଗୋଟିଏ ଯୁଗ ଶେଷ ହେଲା: ସାହିତ୍ୟିକ ମହଲରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବରିଷ୍ଠ କବି ପ୍ରହରାଜ ସତ୍ୟନାରାୟଣ ନନ୍ଦ ଆଉ ନାହାନ୍ତି – ଏପରି ଏକ ଦାରୁଣ ଦୁଃସମ୍ବାଦ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳି ଯାଇଛି ଓଡ଼ିଆ ସାହିତ୍ୟିକ ମହଲରେ। ତାଙ୍କ ସାନଭାଇ ପ୍ରହରାଜ ଜୟ ନାରାୟଣ ନନ୍ଦଙ୍କ ଠାରୁ ପ୍ରାପ୍ତ ସୂଚନା ମୁତାବକ ଏବେ ଏବେ ସୁସ୍ଥ ଥିଲେ କବି। କିନ୍ତୁ ତଳେ ପଡିଯାଇ ଆଜି ଅପରାହ୍ନ ସମୟରେ ପ୍ରାଣ ତ୍ୟାଗ କରିଛନ୍ତି ବରିଷ୍ଠ ଓଡିଆ କବି ପ୍ରହରାଜ ସତ୍ୟନାରାୟଣ ନନ୍ଦ। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ମାସ ୯ ତାରିଖରେ ବର୍ଷା ପବ୍ଲିକେଶନ ପ୍ରକାଶ କରୁଥିବା ତାଙ୍କର ଏକ ନୂତନ ବହିର ଉନ୍ମୋଚନ ଆସର କରିବାକୁ ଜୟ ନାରାୟଣ ନନ୍ଦ ଓ କବି ବାଦଲ ମହାନ୍ତି ସମସ୍ତ ଯୋଜନା କରି ସାରିଥିଲେ। ଏଥିପାଇଁ ନୀଳଗିରି ଠାରେ ପାରମ୍ପରିକ ଉନ୍ମୋଚନ ଆସର ନ କରି ଏକ ବନ୍ଧୁମିଳନ କରିବାକୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା। ଅଥଚ କେଡେ ଥାଟ୍ଟରେ ସେ ଚାଲିଗଲେ ଏୟା କହି ଯେ, ଏ ଉତ୍ସବରୁ, ଏ ପୁରସ୍କାର ପ୍ରଦାନରୁ, ଏ ମଞ୍ଚାସୀନତାରୁ କିଛି ମିଳେନା।

୧୯୪୩ ମସିହା ସେପ୍ଟେମ୍ବର ୬ ତାରିଖରେ ପ୍ରହରାଜ ସତ୍ୟନାରାୟଣ ନନ୍ଦ ବାଲେଶ୍ଵରସ୍ଥ ରାଜ ନୀଳଗିରି ଠାରେ ଜନ୍ମ ଗ୍ରହଣ କରିଥିଲେ। କୈଳାଶ ଚନ୍ଦ୍ର ହାଇସ୍କୁଲ ପରେ ଫକୀରମୋହନ କଲେଜରୁ ଉପାଧି ଓ ରେଭେନ୍ସାରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷାଲାଭ ପରେ ସେ ଦୈନିକ ଇଂରାଜୀ ଖବର କାଗଜ ‘ଅମୃତବଜାର ପତ୍ରିକା’ର ସହ ସମ୍ପାଦକ ରୂପେ ଦୀର୍ଘ ୧୦ ବର୍ଷ କାର୍ଯ୍ୟ କରିଥିଲେ। ୧୯୭୫ରୁ ୨୦୦୧ ପର୍ଯ୍ୟନ୍ତ ସେ ଓଡ଼ିଶା ସରକାରଙ୍କ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡିଶା ରିଭିଉ’ର ସମ୍ପାଦକ କାର୍ଯ୍ୟ ତୁଲାଇଛନ୍ତି।

ଷାଠିଏ ଦଶକରୁ ନିରବଚ୍ଛିନ୍ନ ଭାବେ ଓଡ଼ିଆ କବିତା ରଚନା ସହିତ ପ୍ରବନ୍ଧ ସମାଲୋଚନା ସମ୍ପାଦନା ସମୀକ୍ଷା ଅନୁବାଦ ଆଦି ବିଭାଗରେ ଲେଖନୀ ଚଳାଇ ନିଜ ପାଇଁ ଏକ ସ୍ଵତନ୍ତ୍ର ଓ ମର୍ଯ୍ୟାଦାବନ୍ତ ସ୍ଥାନ ଅଧିକାର କରିଥିବା ପ୍ରହରାଜ ସତ୍ୟନାରାୟଣ ନନ୍ଦ ନୀଳ ହଂସର ଜ୍ଵାଳା, ଅଧପତନର ଛନ୍ଦ, ଶବସଙ୍ଗମ ଓ ଅନ୍ୟାନ୍ୟ କବିତା, The intimate Circle, ଜିଅନ୍ତା ଶାଳଗ୍ରାମ, ସପ୍ତଦ୍ଵୀପା ବସୁନ୍ଧରା, ସନେଟ୍ ସା, ହିରଣ୍ୟୟେନ ପାତ୍ରେଣ, ହିରଣ୍ୟୟେନ ସବିତା ରଥେନା, ବର୍ଷାର ପାଦରେ ନୂପୁର, ରେଶମୀ ଡୋରରେ ବନ୍ଧା ଗୋଟିଏ ପକ୍ଷୀ, ନକ୍ଷତ୍ର ସଙ୍ଗମ ଓ ଅନ୍ୟାନ୍ୟ କବିତା, ଶ୍ରୀରାଧାର ପୂର୍ଣ୍ଣାଙ୍ଗ ଆଲୋଚନା, ହାତରେ ମଶାଲ ଧରି ପାହାଡକୁ ଉଠୁଥିବା ଲୋକ, ଶ୍ରେଷ୍ଠ ପ୍ରେମ କବିତା, ଶ୍ରେଷ୍ଠ ପ୍ରେମ ସନେଟ୍, ସାତଟି ଦୀର୍ଘ କବିତା, କବି ଅନନ୍ତ ପଟ୍ଟନାୟକ, ସହସ୍ରାବ୍ଦୀର ସ୍ଵାକ୍ଷରିତ ପାଣ୍ଡୁଲିପି ପ୍ରଭୃତି ପୁସ୍ତକ ରଚନା କରି ଓଡ଼ିଆ ବାଣୀ ଭଣ୍ଡାରରୁ କରିଛନ୍ତି ଶ୍ରୀମଣ୍ଡିତ। ଏହାଛଡା ଗୀତଗୋବିନ୍ଦକୁ ମୁକ୍ତଛନ୍ଦରେ ଇଂଲିଶରେ ଅନୁବାଦ ଓ ଶ୍ରୀମଦ୍ଭାଗବଦ୍ ଗୀତାର ଅନୁବାଦ ତାଙ୍କ ସାହିତ୍ୟ କୃତିର ବିଶେଷ ଦିଗ କହିଲେ ଅତ୍ୟୁକ୍ତି ହେବ ନାହିଁ।

୧୨ ବର୍ଷ ବୟସରେ ତାଙ୍କ ଭିତରେ ହୋଇଥିଲା ସାହିତ୍ୟର ସ୍ଫୁରଣ ଓ ନିଜକୁ ଜଣେ ଭିନ୍ନ ଭାବଭୂମିର କବି ଭାବେ ପ୍ରତିଷ୍ଠା ଦେଇ ହୋଇପାରିଥିଲେ ଅନେକଙ୍କର ପ୍ରିୟ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ସମ୍ବାଦ ପାଇ ଓଡ଼ିଆ ସାହିତ୍ୟ ଜଗତ ସମେତ ସମଗ୍ର ବାଲେଶ୍ଵର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ କବି ସୂର୍ଯ୍ୟ ମିଶ୍ର, ସମରେନ୍ଦ୍ର ନାଥ ମହାପାତ୍ର, ଶ୍ରୀଦେବ, କୃଷ୍ଣ କୁମାର ମହାନ୍ତି, କଥାଶିଳ୍ପୀ ଦାଶ ବେନହୂର, କବି ଶଙ୍କର ପରିଡା, ଗାଳ୍ପିକ ଉଦୟ ନାରାୟଣ ଦାସ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ କବି ପ୍ରହରାଜ ତାଙ୍କ କବିତା ପାଇଁ ଅମର ହୋଇ ରହିବେ ଚିରକାଳ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.