ଅଳ୍ପ ଗଳ୍ପ ପୁରାଣ ପ୍ରସଙ୍ଗରୁ : ପ୍ରଣାମର ମହତ୍ବ

ମହାଭାରତ ଯୁଦ୍ଧ ଚାଲିଥାଏ । ପିତାମହ ଭିଷ୍ମ ପାଣ୍ଡବ ମାନଙ୍କୁ ବଧ କରିବାକୁ ପ୍ରତିଜ୍ଞା ନେଇ ସାରିଥାନ୍ତି । ଏହି କଥାକୁ ନେଇ ପାଣ୍ଡବ ଶିବିରରେ ଭାଲେଣି ପଡିଲା । ପିତାମହ ଭିଷ୍ମଙ୍କ ପ୍ରତିଜ୍ଞା ବିଫଳ ହେବନାହିଁ । ଏଥକୁ ଉପାୟ କ’ଣ ? ମହାରାଜ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ପାଞ୍ଚ ଭାଇଙ୍କ ଜୀବନ ଭାର ନ୍ୟସ୍ଥ କଲେ । ଶ୍ରୀକୃଷ୍ଣ କିଛି ନକହି ସେହି ସ୍ଥାନରୁ ଉଠି ଚାଲି ଆସିଲେ । ରାତ୍ରୀର ମାତ୍ରା ବଢୁଥାଏ, ତାସହ ଶ୍ରୀକୃଷ୍ଣଙ୍କ ଚିନ୍ତାବି । ପରିଶେଷରେ ତାଙ୍କୁ ଗୋଟିଏ ଉପାୟ ଦିଶିଗଲା । ରାତ୍ରୀର ଅନ୍ଧକାରରେ ଦ୍ରୋପଦୀଙ୍କୁ ସାଙ୍ଗରେ ଧରି ଭିଷ୍ମଙ୍କ ଶିବିରରେ ପହଞ୍ଚିଗଲେ ମାୟାଧର । ଶିବିର ବାହାରେ ଛିଡା ହୋଇ ଶ୍ରୀକୃଷ୍ଣ ଦ୍ରୋପଦୀଙ୍କୁ କହିଲେ – ଭିତରକୁ ଯାଇ ପିତାମହଙ୍କୁ ପ୍ରଣାମ କରିଆସ । ଶ୍ରୀକୃଷ୍ଣଙ୍କ କଥା ଅନୁସାରେ ଦ୍ରୋପଦୀ ଭିତରକୁ ଯାଇ ପିତାମହଙ୍କୁ ପ୍ରଣାମ କଲେ । ଭିଷ୍ମ ସାଙ୍ଗେ ସାଙ୍ଗେ  ତାଙ୍କୁ ‘‘ଅଖଣ୍ଡ ସୌଭାଗ୍ୟବତୀ ଭବ’’ କହି ଆଶିର୍ବାଦ ପ୍ରଦାନ କଲେ । ଏହାପରେ ଭିଷ୍ମ ପୁଚ୍ଛାକଲେ – ପୁତ୍ରୀ, ଏତେ ରାତିରେ ତୁମେ ଏହି ସ୍ଥାନକୁ କିପରି ଆସିଲ, କ’ଣ ଶ୍ରୀକୃଷ୍ଣ ତୁମକୁ ନେଇ ଆସିଛନ୍ତି । ଦ୍ରୋପଦୀ କହିଲେ ହଁ ସେ ଶିବିର ବାହାରେ ଅଛନ୍ତି । ଭିଷ୍ମ ଦ୍ରୋପଦୀଙ୍କୁ ସାଙ୍ଗରେ ଧରି ଶିବିର ବାହାରକୁ ଆସିଲେ । ଶ୍ରୀକୃଷ୍ଣ ପିତାମହଙ୍କୁ ପ୍ରଣାମକରି କୁଶଳ ମଙ୍ଗଳ ପୁଚ୍ଛାକଲେ । ପିତାମହ ଭିଷ୍ମ କହିଲେ – ମୋର ଗୋଟିଏ ପ୍ରତିଜ୍ଞାକୁ ଅନ୍ୟ ଏକ ପ୍ରତିଜ୍ଞା ଦ୍ବାରା ହତ କରିବାର କାର୍ଯ୍ୟ ଶ୍ରୀକୃଷ୍ଣ ହିଁ କରିପାରିବେ । ଦ୍ରୋପଦୀଙ୍କ ପ୍ରଣାମ ଦ୍ବାରା ତାଙ୍କ ପତି ମାନଙ୍କ ପ୍ରାଣ ରକ୍ଷା ହେଲା । ସେହିଦିନ ଦ୍ରୋପଦୀ ପ୍ରଣାମର ମହତ୍ବ ବିଷୟରେ ଭଲ ଭାବରେ ବୁଝିପାରିଲେ ।

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.