ବଡ଼ପୋଡ଼ାଗୁଡ଼ା ପଞ୍ଚାୟତକୁ ମଦମୁକ୍ତ କରିବା ଦାବି: ଥାନା ଅଧିକାରୀଙ୍କୁ ଦାବିପତ୍ର ଦେଲେ ଶତାଧିକ ମହିଳା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଅଞ୍ଚଳର ମହିଳାମାନେ ଦୃଢ଼ ସଂକଳ୍ପ ନେଇଛନ୍ତି। ଶୁକ୍ରବାର ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଶୁକ୍ରବାର ଦିନ ଶତାଧିକ ମହିଳା ଆମପାଣି ଥାନାର ଦ୍ବାରସ୍ଥ ହୋଇଥିଲେ। ଏବଂ ଥାନା ଆଇଆଇସି ଜ୍ୟୋତି ପ୍ରକାଶ ତାଣ୍ଡିଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମହିଳା ମାନେ ଦାବି କରିଛନ୍ତି। ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ପଞ୍ଚାୟତର ପ୍ରାୟ ପ୍ରତ୍ୟେକ ଗ୍ରାମରେ ଦେଶୀ, ବିଦେଶୀ ଏବଂ ବେଆଇନ ହାତରନ୍ଧା ମଦ ବିକ୍ରି ଅବାଧରେ ଚାଲିଥିବା ଯୋଗୁଁ ପରିବେଶ ଅଶାନ୍ତ ହୋଇପଡ଼ିଛି। ମଦ୍ୟପାନ ପ୍ରଭାବରେ କିଶୋର ଓ ଯୁବ ପିଢ଼ିଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହେଉଛନ୍ତି। ବିଶେଷକରି ପରିବାରର ମୁଖିଆ ବା ପୁରୁଷମାନେ ମଦ୍ୟପାନ କରିବା କାରଣରୁ ପ୍ରତିଦିନ ଘରେ ଅଶାନ୍ତି, ପରିବାର କଳହ ଏବଂ ମାରପିଟ୍ ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ବର୍ତ୍ତମାନ ପାର୍ବଣ ଋତୁ ହେଇଥିବା ବେଳେ ବିଭିନ୍ନ ଗ୍ରାମରେ ପୂଜାର୍ଚ୍ଚନା ଜାରି ରହିଛି। ଏଭଳି ସମୟରେ ତୁରନ୍ତ ବେଆଇନ୍ ଭାବେ ବିକ୍ରୀ କରୁଥିବା ମଦ ବେପାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ବଡ଼ପୋଡ଼ାଗୁଡ଼ା ନାରୀ କମିଟି ସଭାନେତ୍ରୀ ପ୍ରଭାତୀ ଦାସ, ଉପ ସଭାନେତ୍ରୀ ଯମୁନା ନାଏକ, ସମ୍ପାଦିକା ଲକ୍ଷ୍ମୀ ବେମାଲ, ସହ ସମ୍ପାଦିକା ମମତା ବେମାଲ, ଜନେକ ନାଏକ, ବିପରି ନାଏକ, ମଞ୍ଜରୀ ବାଗ, ପ୍ରମିଳା ନାଗ, ଲଲିତ ବାଗ, ମନ୍ଦାର ଦଣ୍ଡସେନା, ଉର୍ମିଳା ଦୁର୍ଗା, କମଲା ବଞ୍ଜରା, ଏସ୍ଏଚଜି ମହିଳା ସମେତ ୧୨ ଖଣ୍ଡ ଗ୍ରାମର ଶତାଧିକ ମହିଳା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.