ରାୟଗଡ଼ାରେ ଜିଲ୍ଲାସ୍ତରୀୟ ପୋଷଣ ମାସ ୨୦୨୬ ପାଳନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାର କଲେକ୍ଟରେଟ୍ ପରିସରସ୍ଥିତ ନୂତନ ବୈଠକ ଗୃହରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ ସଫଳତାର ସହ ଆୟୋଜିତ ହୋଇଛି । ପୋଷଣ ସମ୍ପର୍କରେ ଜନସଚେତନତା ବୃଦ୍ଧି,କୁପୋଷଣ ନିରାକରଣ ଏବଂ ସୁସ୍ଥ ଖାଦ୍ୟା ଭ୍ୟାସକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାୟଗଡ଼ା ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ଦେଓ ଉପସ୍ଥିତ ସମସ୍ତ ମାନ୍ୟବର ଅତିଥିଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ସ୍ୱାଗତ ଅଭିଭାଷଣ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ରନାଥ କାହିଁର, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନାଲ ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.କିଶୋର କୁମାର ବରାଇ, ଡେପୁଟି କଳଲେକ୍ଟର ଶ୍ରୀମତୀ ଅକ୍ଷୟମିତା କାର୍ତ୍ତିକ ଏବଂ ସହକାରୀ ଜିଲ୍ଲାପାଳ ଶ୍ରୀମତୀ ଦୀପରାଣୀ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ “ଆମ ଅଙ୍ଗନୱାଡ଼ି – ଆମ ଦାୟିତ୍ୱ” ବାର୍ତ୍ତା ମାଧ୍ୟମରେ ଅଙ୍ଗୱାବାଡ଼ି କେନ୍ଦ୍ରର ଗୁରୁତ୍ୱ, ଶିଶୁ ଓ ମାତୃ ପୋଷଣ ଏବଂ କୁପୋଷଣ ରୋକିବାରେ ସମସ୍ତଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସ୍ତରୀୟ ଦଳ ପାରମ୍ପରିକ ସ୍ଥାନୀୟ ଖାଦ୍ୟ ଓ ବିଭିନ୍ନ ପ୍ରକାରର ସ୍ଥାନୀୟ ପନିପରିବା ପ୍ରଦର୍ଶନ କରିଥିଲେ । ଏହି ଖାଦ୍ୟ ଗୁଡ଼ିକର ପୋଷଣମୂଲ୍ୟ ଏବଂ ସନ୍ତୁଳିତ ଖାଦ୍ୟରେ ସେଗୁଡ଼ିକର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ସ୍ଥାନୀୟ ଭାବେ ଉପଲବ୍ଧ ପୋଷ୍ଟିକ ଖାଦ୍ୟର ଉପଯୋଗ ବୃଦ୍ଧି କରିବା ସହ ସୁସ୍ଥ ଖାଦ୍ୟା ଭ୍ୟାସକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହ ବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ, ବିତର୍କ, ପ୍ରବନ୍ଧ ଲିଖନ, କୁଇଜ୍ ଓ ପୋଷଣଯୁକ୍ତ ଖାଦ୍ୟ ପ୍ରସ୍ତୁତି ପ୍ରଦର୍ଶନୀ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲାସ୍ତରରେ ସମ୍ମାନିତ କରାଯାଇଥିଲା । ଏହା ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପୋଷଣ ସମ୍ପର୍କିତ ଜ୍ଞାନ ଓ ସଚେତନତା ବୃଦ୍ଧି କରିବାର ପ୍ରୟାସ କରାଯାଇଥିଲା । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଜିଲ୍ଲା ପୋଷଣ ସଂଯୋଜିକା ଶ୍ରୀମତୀ ମଧୁଲତା ଦଣ୍ଡସେନା ଏବଂ ଜିଲ୍ଲା ପ୍ରକଳ୍ପ ସହାୟକ ଶ୍ରୀମତୀ ଅପୂର୍ବା ରଥଙ୍କ ସମନ୍ୱୟରେ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ସି ଡ଼ି ପି ଓ, ଅଙ୍ଗୱାବାଡ଼ି ସୁପରଭାଇଜର, ଅଙ୍ଗୱାବାଡ଼ି କର୍ମୀ, ବ୍ଲକ ସଂଯୋଜକ (ପୋଷଣ), କଲେଜ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଯୋଗଦେଇଥିଲେ । ସମସ୍ତ ଅଧିକାରୀ,କର୍ମଚାରୀ ଓ ଅଂଶୀଦାରଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା । ଏହି ଅଭିଯାନ ଏକ ସୁସ୍ଥ, ସଚେତନ ଓ କୁପୋଷଣମୁକ୍ତ ଜିଲ୍ଲା ଗଠନ ପାଇଁ ସମସ୍ତଙ୍କ ସାମୂହିକ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.