୨୬ ଜଣ ଶିକ୍ଷକଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ, ୪ ଜଣ ସିଆର୍ସିସିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି–୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ଶିକ୍ଷା ସହିତ ସହପାଠ୍ୟକ୍ରମ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଅଗ୍ରପୂଜ୍ୟ ଗଜାନନଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ଜ୍ୱଳନ ସହ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶିକ୍ଷାବିତ୍ ଡ. ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ହୃଷିକେଶ ନାଏକ ଓ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଲାଞ୍ଜିଗଡ଼ର ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ୧୩ଟି ଆଞ୍ଚଳିକ ସାଧନ କେନ୍ଦ୍ରରୁ ୨୬ ଜଣ ଶିକ୍ଷକଙ୍କୁ ସେମାନଙ୍କ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଓ ଶିକ୍ଷାଦାନ କ୍ଷେତ୍ରରେ ଅବଦାନ ପାଇଁ ‘ଶ୍ରେଷ୍ଠ ଶିକ୍ଷକ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
ଶିକ୍ଷକମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେବାର ଏହି ଅଭିନବ ପ୍ରୟାସ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଉପସ୍ଥିତ ଅତିଥି ଓ ଶିକ୍ଷକମାନେ ପ୍ରଶଂସା କରିଥିଲେ।ଏଥିସହିତ ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିଥିବା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରକାଶ କୁମାର ପଧାନ, ସୌଭାଗ୍ୟ ରଞ୍ଜନ ସାହୁ, ଜ୍ୟୋତିର୍ମୟୀ କାଞ୍ଚନବାଳା ମହାରଣା ଓ ତ୍ରିନାଥ ଶ୍ୟାମ କୁମାରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।

ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ଲାଞ୍ଜିଗଡ଼ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଲାଞ୍ଜିଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କମଳା ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ତପିମଣି ଜାନି, ଶିକ୍ଷାବିତ୍ ଡ. ଉମେଶ ଚନ୍ଦ୍ର ଶତପଥୀ, ଡ. ହୃଷିକେଶ ନାଏକ, ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଢଳ ଦେବ ମୁଣ୍ଡ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଡ. ଶିବ ପ୍ରସାଦ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ଉଦ୍ଯାପନୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୁସ୍ଥ ପ୍ରତିଯୋଗିତା ମନୋଭାବ ଓ ନିଜ ପ୍ରତିଭାକୁ ଆଗକୁ ନେବାର ଉତ୍ସାହ ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ, ଲଳିତ ମୋହନ ଭୋଇ ଓ ମନୋଜ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।

ପ୍ରତିଯୋଗିତା ଆୟୋଜନରେ ଦୁର୍ବାଦଳ ପଟେଲ ସହଯୋଗ କରିଥିବା ବେଳେ ୧୩ଟି ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ସାଧନକର୍ମୀ କାର୍ଯ୍ୟକ୍ରମର ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।ସାମଗ୍ରିକ ଭାବେ ‘ସୁରଭି–୨୦୨୬’ ଶିଶୁମାନଙ୍କ ପ୍ରତିଭା ପ୍ରଦର୍ଶନ ସହ ଶିକ୍ଷକମାନଙ୍କ ନିଷ୍ଠା, ପରିଶ୍ରମ ଓ ଅବଦାନକୁ ସମ୍ମାନ ଜଣାଇବାର ଏକ ସୁନ୍ଦର ମଞ୍ଚ ପାଲଟିଥିଲା।





