ଧର୍ମଗଡ଼, ଗୋଲାମୁଣ୍ଡା ଓ କୋକସରା ବ୍ଲକର ବିଭିନ୍ନ ପିଏମ୍ଶ୍ରୀ ବିଦ୍ୟାଳୟ ପରିଦର୍ଶନ କଲେ ଯୁଗ୍ମ ନିର୍ଦ୍ଦେଶକ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ବିଭୁ ପ୍ରସାଦ ତରାଇ ଏବଂ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ପିଏମ୍ଶ୍ରୀ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାଦାନର ଗୁଣବତ୍ତା, ବିଦ୍ୟାଳୟର ପରିବେଶ ଓ ଅନ୍ୟାନ୍ୟ ଶିକ୍ଷାଗତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସେମାନେ ଧର୍ମଗଡ଼, ଗୋଲାମୁଣ୍ଡା ଓ କୋକସରା ବ୍ଲକର ବିଭିନ୍ନ ପିଏମ୍ଶ୍ରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଧର୍ମଗଡ଼ସ୍ଥିତ ପିଏମଶ୍ରୀ କେଡି ୟୁପିଏସ୍ ପରିଦର୍ଶନ ବେଳେ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଧର୍ମଗଡ଼ର ପ୍ରଧାନଶିକ୍ଷକ ବିଶ୍ୱ ରଞ୍ଜନ ବେହେରା ବିଦ୍ୟାଳୟ ଡ୍ୟୁଟି ସମୟରେ ମଦ୍ୟପାନ କରିଥିବା ଏବଂ ଅଧିକାରୀମାନଙ୍କ ସହ ଅନାବଶ୍ୟକ ଭାବେ କଥାବାର୍ତ୍ତା କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଘଟଣାକୁ ଗୁରୁତ୍ୱର ସହ ନେଇ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ତରାଇ ଧର୍ମଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଶ୍ରୀ ବେହେରାଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଧର୍ମଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଆଦେଶ ସଂଖ୍ୟା ୨୬୮୫, ତାରିଖ ୧୬.୧୦.୨୦୨୬ ଅନୁଯାୟୀ ପ୍ରଧାନ ଶିକ୍ଷକ ବିଶ୍ୱ ରଞ୍ଜନ ବେହେରାଙ୍କୁ ନିଲମ୍ବନ କରିଛନ୍ତି। ବିଦ୍ୟାଳୟ ହେଉଛି ଶିକ୍ଷା ଓ ଶୃଙ୍ଖଳାର ମନ୍ଦିର। ଶିକ୍ଷକମାନଙ୍କ ଠାରୁ ଉଚ୍ଚ ନୈତିକତା, ଦାୟିତ୍ୱବୋଧ ଓ ଶୃଙ୍ଖଳା ଆଶା କରାଯାଏ। ଏହି ଘଟଣା ଶିକ୍ଷା ବିଭାଗରେ କର୍ତ୍ତବ୍ୟରେ ଅବହେଳା ଓ ବିଦ୍ୟାଳୟ ସମୟରେ ଅନୁଶାସନହୀନ ଆଚରଣ ପ୍ରତି ବିଭାଗର କଠୋର ମନୋଭାବକୁ ପ୍ରତିଫଳିତ କରୁଛି।






