ଓଡିଶାର ବିଭିନ୍ନ ପ୍ରାଚୀନ ଲୋକଗୀତ ମଧ୍ୟରୁ କୃଷକ ଗୀତିକା ଅନ୍ୟତମ । ଏହାକୁ ହଳିଆ ଗୀତ ବୋଲି ମଧ୍ୟ କୁହାଯାଇଥାଏ । ଏହି ଲୋକଗୀତରେ ଓଡିଶାର ଜନ ଜୀବନର ଛବି ଉଦ୍ଭାଷିତ ହୋଇଥାଏ । କୃଷକ ଗୀତିକା ଶୃତି ପର୍ଯ୍ୟାୟର ଗୀତ । ଏହାକୁ ପିଢି ପରେ ପିଢି ସୁଣି ମନେ ରଖିଥାନ୍ତି । ଓଡିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ କଥା ବହୁଳ ପରିମାଣରେ କୃଷକ ଗୀତିକାରେ ଦେଖିବାକୁ ମିଲେ । କୃଷକ ଗୀତିକାରେ ମହାପ୍ରଭୂ ଜଗନ୍ନାଥଙ୍କ ଗାଥାକୁ ନେଇ ଏଥରର ସ୍ବତନ୍ତ୍ର ଉପସ୍ଥାପନା ।
ଓଡିଶାର ଚାଷୀ ପ୍ରବଳ ଧର୍ମ ବିଶ୍ବାସୀ , ସେ ତା’ର କର୍ମ ମଧ୍ୟରେ ଧର୍ମକୁ ଖୋଜିଥାଏ । ଓଡିଶାର ଧାର୍ମିକ ଚିନ୍ତା ଚେତନାରେ ଶ୍ରୀଜଗନ୍ନାଥ ସର୍ବାଧିକ ମାନ୍ୟତା ପ୍ରାପ୍ତ ଓ ଉପାସିତ ଦେବତା । ଲୋକ ବିଶ୍ବାସରେ ଶ୍ରୀଜଗନ୍ନାଥ ହେଉଛନ୍ତି ଆଦିପୁରୁଷ । ସମସ୍ତ ଅବତାର ତାଙ୍କଠାରୁ ସୃଷ୍ଟି । ଚାଷୀ କୃଷ୍ଣ , ରାମ ଓ ଜଗନ୍ନାଥଙ୍କ ମଧ୍ୟରେ ପ୍ରଭେଦ ଦେଖେନାହିଁ । ଏହି କଥା କୃଷକ ଗୀତିକାରେ ସୁନ୍ଦର ଭାବେ ଅଭିବ୍ୟକ୍ତି ଲାଭ କରିଛି –
‘ ଏ…
ଜୟ ଜଗନ୍ନାଥ ହୋ ଜଗତ କରତା
କଂସକୁ ମାରିଣ ରଖିଲ ପିତା ମାତା
ରଖି ନପାରିଲ ଭାରିଜା
ଭାରିଜାକି ରାବଣ ନେଲା ସୀତା ହୋ…।।’
ଶ୍ରୀକୃଷ୍ଣ ହିଁ ଜଗନ୍ନାଥ ଓ ଜଗନ୍ନାଥ ହିଁ ଶ୍ରୀକୃଷ୍ଣ ଏହି ତତ୍ତ୍ବକୁ ସୁନ୍ଦର ଭାବେ କୃଷକ ଗୀତିକାରେ ଉତ୍ଥାପନ କରିଥାଏ ଚାଷୀ । ଓଡିଆ ପ୍ରାଣର ଠାକୁର ଶ୍ରୀ ଜଗନ୍ନାଥ ଦ୍ବାପର ଯୁଗର ଯଦୁପତି ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣଙ୍କ ଦେହବସାନ ପରେ ଅର୍ଜୁନ ଓ ଜାରା ଶବର ତାଙ୍କ ମୃତ ଶରୀରକୁ ଦହନ କଲେ , କିନ୍ତୁ ଶ୍ରୀକୃଷ୍ଣଙ୍କ ମଧ୍ୟସ୍ଥଳ ପୋଡିଲା ନାହିଁ । ହତାଶ ହୋଇ ଦୁହେଁ ତାଙ୍କର ଅର୍ଧଦଗ୍ଧ ଶରିରକୁ ସମୁଦ୍ରରେ ଭସାଇ ଦେଲେ । କାଳାନ୍ତରେ ତାହା ଶ୍ରୀମନ୍ଦିରରେ ପରଂବ୍ରହ୍ମ ଋପେ ପୂଜିତ ହେଲେ । ଏହି କଥା କୃଷକ ଗୀତିକାରେ –
‘ ହୋ…….
ନପୋଡିଲା ଶବରେ ନହୁଏ ହଲଚଲ
କେମନ୍ତ କରିବା ଏବେ କହ ହୋ ଧନଞ୍ଜୟ
କି କରିବା ବାବୁରେ ଏହିତ ମହାମେରୁ
ଭସାଇଦେବା ସମୁଦ୍ରେ ସେ ତାକୁ ରକ୍ଷାକରୁ ହୋ..।।’
ସମୟର ଗତି ସହ ଜାରା ଶବର ବିଶ୍ବାବସୁ ଋପେ ଜନ୍ମ ଗ୍ରହଣ କଲେ । ପୂର୍ବ ସ୍ବିକୃତ ଫଳରେ ସେ କୃଷ୍ଣଙ୍କ ଦେହାବଶେଷକୁ ଏକାନ୍ତରେ ପୁଜା କରିବାକୁ ଲାଗିଲେ । ଏହା ପରେ ଇନ୍ଦ୍ରଦ୍ୟୁମ୍ନ , ରାଣୀ ଗୁଣ୍ଡିଚା, ବିଦ୍ୟାପତି, ଲଲିତା, ଦେଉଳ ତୋଳା ଆଦି ନାନା ପ୍ରସଙ୍ଗକୁ ଗୀତର ଋପ ଦେଇ ଗାନ କରିଥାଏ କୃଷକ । –
‘ହୋ…….
ହାଣିଲି ମହାଲିମ୍ବ ସଖିରେ ଭସାଇ ଦେଲି ଜଳେ
ସେ ଯାଇ ଲାଗିଲା ବାଙ୍କି ମୁହାଣରେ
ଦେବତା ବୋଲି ପୂଜାକି ପାଇଲା
ପାଇଲାତ ବଡ ଦେଉଳରେ ହୋ…।।’
‘ହୋ…
ହଟିଆ ଠାକୁର ସଖିରେ ହଟ ଭିଆଇଲା
ମହାମେରୁ ମହାଦାରୁ ଅଚଳ ହୋଇଲା
ଅଚଳ ହୋଇଲା ସଖିରେ ଡାକ ଶବରକୁ
ଭକତ ବିଶ୍ବାବସୁ ସିଏହିଁ ଯାହା କରୁ ହୋ….।।’
ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟରେ ଘୋଷ ଯାତ୍ରା ବା ରଥ ଯାତ୍ରା ଶ୍ରେଷ୍ଠ । ମହାପ୍ରଭୂ ଶ୍ରୀଜଗନ୍ନାଥ ଭାଇ ଭଉଣୀ ସାଙ୍ଗରେ ରତ୍ନ ବେଦୀରୁ ବାହାରି ସମସ୍ତ ଭକ୍ତଜନଙ୍କୁ ଦର୍ଶନ ଦେଇ କୃତାର୍ଥ କରିଥାନ୍ତି । ଚତୁର୍ଧା ମୂର୍ତିଙ୍କ ରଥ ଯାତ୍ରାର ବର୍ଣନା କୃଷକ ଗୀତିକାରେ –
‘ହୋ …
ଆଷାଢ ମାସରେ ସଖୀରେ ମେଘ ଘଡଘଡି
ବାହାରିଲେ ମହାପ୍ରଭୁ ନନ୍ଦିଘୋଷ ଚଢି
ଆଗେ ବଳଭଦ୍ର କିରେ ମଝିରେ ଭବାନୀ
ପଛେ ପଛେ ବିଜେକଲେ ଯାଦବ ଚୁଡାମଣୀ ହୋ…।।’
ଶ୍ରୀଜଗନ୍ନାଥଙ୍କୁ ନେଇ କେତେ ଶାସ୍ତ୍ର ପୁରାଣ , ଗୀତି କବିତା , ଭଜନ ଜଣାଣ , ଲୋକ କଥା , ଲୋକଗୀତର ଶୃଷ୍ଟି ହୋଇଛି ତାର କଳନା ନାହିଁ । ମହାରାଜା ପୁରୁଷୋତ୍ତମ ଦେବଙ୍କ କଞ୍ଚି ଅଭିଯାନ ଓ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ କଥା ଓଡିଶାର ଘରେ ଘରେ କିମ୍ବଦନ୍ତି ହୋଇ ରହିଛି । ଏହି ପ୍ରସଙ୍ଗରେ ମାଣିକ ଗଉଡୁଣୀର କଥା କୃଷକ ଗୀତିକାରେ ଅତି ସୁନ୍ଦର ଭାବରେ ପରିପ୍ରକାଶ ପାଇଛି –
‘ହୋ……
କାଞ୍ଚି ବିଜୟ ପାଇଁରେ ବିଜୟେ ଚୁଡାମଣୀ
ତାଙ୍କୁ ଦଧୀ ଭୂଞ୍ଜାଇଲୁ ମାଣିକ ଗଉଡୁଣୀ
ଚର୍ମ ନେତ୍ରେ ଦେଖିଲୁ ଗୋ ଜଗତର ନାଥ
ତୋର ପାଦ ତଳେ କରେ ମୁହିଁ ପ୍ରଣିପାତ ହୋ…।’
ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଯିଏ ଯେଉଁ ରୂପରେ ଧ୍ୟାନ କରିଛନ୍ତି ସେ ତାଙ୍କୁ ସେହି ରୂପରେ ଦର୍ଶନ ଦେଇଛନ୍ତି । ନାନା ତତ୍ତ୍ବ ନାନା ପଥ ଶ୍ରୀଜଗନ୍ନାଥଙ୍କ ଠାରୁ ସୃୃଷ୍ଟି ହୋଇ ତାଙ୍କ ଠାରେ ଲିନ ହୋଇଛନ୍ତି । ଓଡିଶାର ଚାଷୀ ସରଳ ବିଶ୍ବାସୀ । ତା’ର ଦୃଷ୍ଟିରେ ଶ୍ରୀଜଗନ୍ନାଥ ଜଗତର ନାଥ ସେହିଁ ରଘୁକୂଳ ତିଲକ ଶ୍ରୀରାମ ଓ ମାୟାଧର ଶ୍ରୀକୃଷ୍ଣ । ଯୁକ୍ତି ତର୍କରୁ ଦୁରରେ ରହି ସେ ଶ୍ରୀଜଗନ୍ନାଥଙ୍କ ଚିନ୍ତା ଚେତନା ମଧ୍ୟରେ ମଜ୍ଜିଯାଇ କୃଷି କର୍ମକୁ ପ୍ରାଧାନ୍ୟ ଦେଇଥାଏ । କୃଷକ ଗୀତିକାରେ ଶ୍ରୀରାମ ଜଗନ୍ନାଥ ଋପେ ବର୍ଣିତ ହୋଇଛନ୍ତି –
‘ଏ………
ଉଆଁସୀ କନିଆକୁ ସଖିରେ ଜଗନ୍ନାଥ ବର
ଡାଲ କୁଡିଆକୁ ଯେ ମଲ୍ଲିଫୁଲ ଭାର
ସେବତୀ ଫୁଲର ଛାଉଣୀ
ଛାଉଣୀତ ଶ୍ରୀରାମ ବସା ଘର ହୋ….।।’
ଓଡିଆ ପ୍ରାଣର ଠାକୁର ଶ୍ରୀଜଗନ୍ନାଥ ଙ୍କ ମହିମା ଅନନ୍ତ । ତାଙ୍କ ମହିମା ବର୍ଣନା କରିବାରେ ବେଦ ବେଦାନ୍ତ ଅକ୍ଷମ ହୋଇଥିବା ବେଳେ ଶୃତି ପର୍ଯ୍ୟାୟର ଲୋକଗୀତ କୃଷକ ଗୀତିକା କିପରି ସକ୍ଷମ ହୋଇ ପାରିବ । ତେବେ ସେ ଯାହାହେଉ କୃଷକ ଗୀତିକା ଜଗନ୍ନାଥ ତତ୍ତ୍ବ ଓ ଗାଥାରେ ପୂର୍ଣ୍ଣତା ଲାଭ କରି ଏକ ଅନନ୍ୟ ଲୋକଗୀତ ଭାବରେ ଆଜି ମଧ୍ୟ ଜନମାନସରେ ସ୍ବତନ୍ତ୍ର ସ୍ଥାନ ଅଧୀକାର କରିପାରିଛି ।
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡିଆ ବାର୍ତ୍ତା odiabarta.in