ବାରମାସୀ ଦଣ୍ଡ ନୃତ୍ୟ : ରାଧା କୃଷ୍ଣଙ୍କ ଅପୂର୍ବ ଲିଳା ମାଧୁର୍ଯ୍ୟର ଗାଥା

ଯଦୁ ନନ୍ଦନ ଶ୍ରୀକୃଷ୍ଣ ସକଳ ଶାସ୍ତ୍ରର ମୂଳ ଓ ପରମ ପୁରୁଷ ଭାବେ ଭାରତୀୟ ସଂସ୍କୃତି ପରମ୍ପରାରେ ପ୍ରତଃ ସ୍ମରଣିୟ ନାମ । ରାସେଶ୍ବରୀ ଶ୍ରୀରାଧା ଭଗବାନ ଶ୍ରୀକୃଷ୍ଣଙ୍କ ଆହ୍ଲାଦିନୀ ଶକ୍ତି । ରାଧା ବିନା କୃଷ୍ଣ ଅଧୁରା । ରାଧା କୃଷ୍ଣଙ୍କୁ ନେଇ କେତେଯେ ଶାସ୍ତ୍ର ପୁରାଣ, କାବ୍ୟ କବିତା, ନାଟକ, ଲୋକକଥା ପୁଷ୍ଟ ହୋଇଛି ତାହାର କଳନା ନାହିଁ ।


ରାଧା କୃଷ୍ଣଙ୍କ ଅପୂର୍ବ ଲିଳା ମାଧୁର୍ଯ୍ୟର ଗାଥା ବାରମାସୀ ଦଣ୍ତ ନୃତ୍ୟରେ ଅତି ସୁନ୍ଦର ଭାବେ ବର୍ଣ୍ଣତ ହୋଇଥିବା ଦେଖିବାକୁ ମିଳେ । ଏହାକୁ ‘ଦଣ୍ ନାଟ୍ ‘ ବୋଲିମଧ୍ୟ କୁହାଯାଇଥାଏ

ସନାତନସଂସ୍କୃତିର ୪ଟି ଦଣ୍ତ ମଧ୍ୟରୁ ଶିବଦଣ୍ତ ଅନ୍ୟତମ । ବାରମାସୀ ଦଣ୍ତ ନୃତ୍ୟ ଶିବଦଣ୍ତ ଅନ୍ତର୍ଗତ । ବାର ଭାଇ ବାର ଭୋକ୍ତା ପ୍ରଥମେ ଦଣ୍ଡ ନୃତ୍ୟ ଆରମ୍ଭ କରିଥିବା ଲୋକଶୃତିରୁ ଜଣାପଡେ । ପ୍ରାଚୀନ ସାସ୍କୃତିକ ଧାରାରେ ପ୍ରଥମେ ଶିବ ପାର୍ବତୀ ବାହାରି ଝାମୁଯାତ୍ରା ଚରିତ ବୁଝାଇବା ପରେ ରାଧା କୃଷ୍ଣ ଲିଳା ଆରମ୍ଭ ହେଉଥିଲା ।


କିନ୍ତୁ ବର୍ତମାନ ଏଥିରେ ସାମାନ୍ୟ ବ୍ୟତିକ୍ରମ ହୋଇ ଶିବ ପାର୍ବତିଙ୍କ ଅଭିନୟକୁ ବାଦ ଦିଆଯାଇଛି । ତେବେ ପ୍ରଥମେ ଢ଼ୁଲିଆ ବାଦ୍ୟ ମାଧ୍ୟମରେ କାଲିସୁନ୍ଦରୀ, ଜାଡେନ, ଦୂଆରସୁନୀ, ବୁଢାରଜା, ଡଙ୍ଗରବୁଢା, ବସ୍ତରେନ ସହ ଅଭିଚାର ତନ୍ତ୍ରର ଅନେକ ଦେବାଦେବୀ, ପଞ୍ଚ ଦେବାଦେବୀ ଓ ଗ୍ରାମ ଦେବତୀଙ୍କୁ ବାଦ୍ୟ ମାଧ୍ୟମରେ ଆବାହନ କରିଥାଏ ।


ଏସବୁ ପ୍ରାଚୀନ ଧାରା ଅନୁସାରେ ପର୍ଯ୍ୟାୟ କ୍ରମେ ଅନୁଶୃତ ହୋଇଥାଏ । ଷୋହଲ ଭର୍ନି ବାଦ୍ୟର ଶକ୍ତ ଶୃଙ୍ଖଳ ମଧ୍ୟରେ ପରିବେଷିତ ଏହି ଦଣ୍ଡ ନୃତ୍ୟରେ ଢ଼ୁଲିଆ ମୂଖ୍ୟ ଭୂମିକା ନିର୍ବାହ କରିଥାଏ । ଏଥିରେ ରାଧା, କୃଷ୍ଣ, ଦୂତିକା, ବାଣୀ(କୁଟିଲା), ଚନ୍ଦ୍ରସେଣା ଆଦି ଚରିତ୍ର ଅଭିନୟ କରିଥାନ୍ତି ।


ହରିବଂଶ ଓ ଅନ୍ୟାନ୍ୟ ଶାସ୍ତ୍ରକୁ ମାଧ୍ୟମ କରି ଏହା ଅଭିନିତ ହୋଇଥାଏ । ଏହାର ପଦ ସବୁ ଉଭୟ କୋଶଳୀ ଓ ଓଡିଆ ରେ ରଚନା କରାଯାଇଥାଏ । ଏଥିରେ ଶୃଙ୍ଗାର ରଶର ମାତ୍ରା ଅଧିକ ଥିବାରୁ ଦର୍ଶକଙ୍କୁ ଦିର୍ଘ ସମୟଧରି ବାନ୍ଧି ରଖିବାରେ ସହାୟକ ହୋଇଥାଏ।

ଦଣ୍ତ ନୃତ୍ୟ ମାଧ୍ୟମରେ ଦର୍ଶକ ରାଧା କୃଷ୍ଣକଂ ଅପୂର୍ବ ସାସ୍ବତ ପ୍ରେମ କାହାଣୀ ଓ ଯଦୁବଂଶ ଚରିତ ଶ୍ରବଣ କରିବା ସହ ପ୍ରାଚିନ ସଂସ୍କୃତି ଓ ପରମ୍ପରା ବିଷୟରେ ଜ୍ଞାନ ଆହାରଣ କରିଥାନ୍ତି ।

ବାରମାସୀ ଦଣ୍ଡନୃତ୍ୟ ଯାଦବ ସଂସ୍କୃତିର ଅନେକ ଦିଗକୁ ଦର୍ଶାଇ ଥାଏ । ଏହା ମୂଖ୍ୟତଃ ହରିବଂଶ ମହାପୁରାଣର କଥାବସ୍ତୁକୁ ନେଇ ଗତିଶିଳ ହୋଇଥାଏ । ଏହା ସହ ଅନ୍ୟାନ୍ୟ ପୁରାଣ, ଉପ-ପୁରାଣର କଥା କେତେକାଂଶରେ ବର୍ଣନା କରାଯାଇଥାଏ ।


ଭଗବାନ ଶ୍ରୀକୃଷ୍ଣ ଜନ୍ମ , ବାଲ୍ୟକାଳ ବର୍ଣ୍ଣନା, ଗୋପୀ ଗୋପାଳ ଜନ୍ମ, ଗୋ ମହାତ୍ମ୍ୟ, ରାଧା ଜନ୍ମ , ଚନ୍ଦ୍ରସେଣା , ଦୂତୀକା , କୁଟିଲାଙ୍କ ଜନ୍ମ, ଗୋପାଳଙ୍କ ଧର୍ମକର୍ମ ଆଦି ବିଭିନ୍ନ ବିଷୟରେ ଏହି ନାଟ ଶ୍ରୋତା ଓ ଦର୍ଶକଙ୍କୁ ସହଜ ସରଳ ଭାଷା ମାଧ୍ୟମରେ ଜଣାଇବାକୁ ସକ୍ଷମ ହୋଇଥାଏ ।


ଇତିହାସରୁ ଜଣାଯାଏଯେ ମଧ୍ୟଯୁଗରେ ଶୈବ ଓ ବୈଷ୍ଣବ ଧର୍ମ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିଲା । ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ ଓ ଅନ୍ୟାନ୍ୟ ସନ୍ଥମାନେ ସନାତନ ଧର୍ମଧାରାର ଏହି ଦୁଇ ସାଖାର ବିବାଦର ଅନ୍ତ ଘଟାଇ ଅପୂର୍ବ ସମନ୍ବୟ ରକ୍ଷା କରିବାରେ ସମର୍ଥ ହୋଇଥିଲେ ।


ସେହି ସମୟରେ ଏହି ଦଣ୍ତନୃତ୍ୟ ଶୈବ ଓ ବୈଷ୍ଣବ ଧର୍ମ ର ଏକକ ପ୍ରଚାରକ ଭାବେ ପଶ୍ଚିମ ଓଡିଶା ଓ ବସ୍ତର୍ ଅଞ୍ଚଳରେ ବିଶେଷ ଜନାଦୃତି ଲାଭ କରିପାରିଥିଲା ।


ବାରମାସୀ ଦଣ୍ତ ନୃତ୍ୟ ପଶ୍ଚିମ ଓଡିଶାର ଏକ ପ୍ରସିଦ୍ଧ ଲୋକସଂସ୍କୃତି ଏଥିରେ ଦ୍ବିମତ ନାହିଁ । ବର୍ତମାନ ଏହାକୁ ବିଶ୍ବ ସ୍ଥରରେ ପହଞ୍ଚାଇବାକୁ ସମୟ ଆମକୁ ଆହ୍ବାନ କରୁଛି । ଏଥି ପାଇଁ ପ୍ରଶାସନ, ସରକାର, କଳାକାର, ସାସ୍କୃତିକ ଅନୁଷ୍ଠାନ, କଳାପ୍ରେମୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବଦାନ୍ୟବ୍ୟକ୍ତି, ଜନସାଧାରଣ ଓ ଗବେଷକ ମାନେ ଆଗେଇ ଆସି ଏହି ମହାନ ସଂସ୍କୃତିକୁ ଦେଶ ବିଦେଶରେ ପହଞ୍ଚାଇବା ଜରୁରି ହୋଇପଡିଛି ।

✒️ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ‘ଓଡ଼ିଆ ବାର୍ତ୍ତା’

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.