ଜାତୀୟ ସଡକ ସୁରକ୍ଷା ମାସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ରାୟଗଡ, (ଶିବ ନାରାୟଣ ଗୈାଡ): ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ ନିମନ୍ତେ ଆଜି ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଆଚଂଳକ ପରିବହନ ଅଧିକାରୀ ଦିଲ୍ଳୀପ କୁମାର ଦଳେଇ, ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ପ୍ରମୁଖ ଉପସ୍ଥିତ ରହି ରାୟଗଡ ଜିଲ୍ଳାରେ କିପରି ସଡକ ଦୁର୍ଘଟଣା ହ୍ରାସ ପାଇବ ଓ ଧନଜୀବନ ରକ୍ଷା କରାଯାଇ ପାରିବ ସେ ବିଷୟରେ ବିସୃତ ଭବେ ଆଲୋଚନା କରିଥିଲେ । ଚଳିତ ବର୍ଷ ସଡକ ସୁରକ୍ଷା କାର୍ଯ୍ୟକ୍ରମ କରାଯାଇ ଏକ ମାସ ଧରି ଜନସଚେତନତା ସୃଷ୍ଟି କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୧୮ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୧୭ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ସେହିପରି ଜାନୁଆରୀ ୧୮ତାରିଖରୁ ସପ୍ତାହ ବ୍ୟାପି ବିଭିନ୍ନ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ ସଚେତନତା କରାଯିବା ନିମନ୍ତେ ଜିଲ୍ଳାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ସଚେତନତା ସପ୍ତାହ ପାଳନ ପରେ ନୂତନ ଏମଭିଆଇ ଏକ୍ଟ ଅନୁୟାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିନିମନ୍ତେ ଆରଟିଓ ଓ ଆରକ୍ଷୀ ଅଧୀକ୍ଷକଙ୍କ ଟିମ୍ ବିିଭିନ୍ନ ଦିନ ବିଭିନ୍ନ ସ୍ଥାନରେ ମିଳିତ ଭାବରେ ଯାନବାହନ ଯାଂଚ କରିବେ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର କହିଥିଲେ । ଚଳିତ ବର୍ଷ ସଚେତନତା ମାଧ୍ୟମରେ ଯେପରି ୨୦ପ୍ରତିଶତ ଦୁର୍ଘଟଣା ରୋକାଯାଇ ପାରିବ ସେଥିପାଇଁ ପ୍ରଚେଷ୍ଠା କରାଯିବ ବୋଲି ଜିଲ୍ଳାପାଳ ସଡକ ସୁରକ୍ଷା କମିଟିକୁ ଆହ୍ୱାନ କରିଥିଲେ । ଏହି ବୈଠକରେ ନିଷ୍ପତି ଅନୁଯାୟୀ ଜିଲ୍ଳାର ଦୁର୍ଘଟଣା ପ୍ରବଣ ସ୍ଥାନଗୁଡିକ ଚିହ୍ନଟ କରାଯିବ ବୋଲି ଆରଟିଓ ଶ୍ରୀ ଦଳାଇ ପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ, ସିଡିଏମଓ, ଟ୍ରକ ଓ ବସ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.