ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବଡବାପା ମୃତ, ପୁତୁରା ଗୁରୁତର

ଧକ୍କା ଦେଇଥିବା ବାଇକ୍ ଚାଳକ ଫେରାର

ଲାଞ୍ଜିଗଡ, (ଦୁଃଖିଶ୍ୟାମ ନାଗ): ବିଶ୍ୱନାଥପୁର ଥାନା ହାତୀଶାଳ ଘାଟି ନିକଟରେ ଦୁଇ ଗୋଟି ବାଇକ୍ ଧକ୍କା ହେବା ଫଳରେ ସହଦେବ କରୁଆଁ(୬୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକୀର୍ତ୍ତନ କରୁଆଁ(୩୨) ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ବିଶ୍ୱନାଥପୁର ପୋଲିସ ପହଞ୍ଚି ସହଦେବଙ୍କ ଶବ ଜବତ କରିବା ସହ ସଂକୀର୍ତ୍ତନଙ୍କୁ ବିଶ୍ୱନାଥପୁର ମେଡ଼ିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଯୋଗୁଁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସନ୍ଧ୍ୟା ୫ ଘଣ୍ଟା ସମୟରେ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କୁମଖାଲ ପଞ୍ଚାୟତର ଖଜୁରଗୁଡା ଗ୍ରାମର ସଂକୀର୍ତ୍ତନ ଏକ ହିରୋ ଏକ୍ସଟ୍ରିମ ବାଇକ୍ (ଓଡ଼ି୧୮-୨୧୨୩) ରେ ନିକଟସ୍ଥ ଗାଁ ପିଡେଲବାଜୁର ନିଜ ବଡ ବାପା ସହଦେବଙ୍କୁ ଧରି ବିଶ୍ୱନାଥପୁର ଯାଉଥିଲା। ଠିକ୍ ଏହି ସମୟରେ ହାତୀଶାଳ ଘାଟି ନିକଟରେ ସାମ୍ନା ପଟୁ ବିଶ୍ୱନାଥପୁରଠାରୁ ଆସୁଥିବା ପଲସର ବାଇକ୍ (ଓଡ଼ି୧୮ ସି-୮୪୯୦) ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସହଦେବଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକୀର୍ତ୍ତନ ଗୁରୁତର ଆହତ ହୋଇଛନ୍ତି। ପଲସର ବାଇକ୍ ଚାଳକ ନିଜ ବାଇକ୍ ଛାଡି ଫେରାର ଥିବା ବେଳେ ପୋଲିସ ଘଟଣା ସ୍ଥଳରୁ ଦୁଇ ଗୋଟି ବାଇକ୍ ଜବତ କରି ବିଶ୍ୱନାଥପୁର ଥାନାରେ ରଖିଛି। ସହଦେବଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ କେସ ନଂ ୦୭/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଳେ ପଲସର ବାଇକ୍ ନଂ ଭୂଲ ଥିବା ଯୋଗୁଁ ତଦନ୍ତ ପାଇଁ କଳାହାଣ୍ଡି ଜିଲ୍ଲା ଆର୍ଟିଓଙ୍କୁ ଦିଆ ଯାଇଥିବା ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.