ଲାଞ୍ଜିଗଡ଼, (ଦୁଃଖିଶ୍ୟାମ ନାଗ): ଲାଞ୍ଜିଗଡ଼ ରୋଡ଼ ରେଳଷ୍ଟେସନର ସିକେରକୁପା ଫାଟକ ପାଖରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି। ସେ ଟ୍ରେନରେ କଟି ମୃତ୍ୟୁବରଣ କରିଥିବା ସଂଦେହ କରାଯାଉଛି। ମୃତକ ଜଣକ ଲାଞ୍ଜିଗଡ଼ ବେଦାନ୍ତ ମେଡିକାଲ କର୍ମଚାରୀ ତଥା ଭବାନୀପାଟଣା ବାସିନ୍ଦା ଜଗନ୍ନାଥ ବାଗ(୪୭) ବୋଲି ଜଣାପଡିଛି। ସେ ୨୦୦୫ ମସିହାରୁ ଲାଞ୍ଜିଗଡ ବେଦାନ୍ତ ମେଡ଼ିକାଲରେ କାମ କରୁଥିଲେ। ସ୍ବର୍ଗତ ଜଗନ୍ନାଥ ଫେବୃୟାର ୧ରୁ ଛୁଟିରେ ଥିଲେ ଏବଂ ଫେବୃଆରୀ ୭ ତାରିଖ ଦିନ ନିଜ କାର୍ଯ୍ୟରେ ଯୋଗଦେବାର ଥିଲା।
ବୁଧବାର ତାଙ୍କ ପୁଅର ନିର୍ବନ୍ଧ ଲାଞ୍ଜିଗଡରେ ହୋଇଥିଲା। ଏହାପରେ ଆଜି (ଗୁରୁବାର) ସନ୍ଧ୍ୟା ସମୟରେ ଭବାନୀପାଟଣା ଠାରୁ ସେ ବାହାରିଥିଲେ। ତେବେ ସିକେରକୁପା ଟ୍ରେନ ଫାଟକ ପାଖରେ ତାଙ୍କ ବାଇକ୍ (ଓଡି ୦୮ ଏଲ ୬୪୭୪) ଠିଆ ହୋଇଛି ଓ ୨୦୦ ମିଟର ଦୂରରେ ତାଙ୍କର ମୃତ ଦେହ ପଡିଥିବା ଦେଖାଯାଇଛି। ଏହି ଖବର ପାଇ ପରିବାର ଲୋକେ ଓ ମେଡ଼ିକାଲ କର୍ମଚାରୀ ଘଟଣା ସ୍ଥଳକୁ ଯାଇଥିବା ଜଣାପଡିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।