ଓଡିଶା ରାଜ୍ୟ ବ୍ୟାଟମିଂଟନ ସଂଘ ବିକାଶ କମିଟିର ବୈଠକ

ରାୟଗଡ, (ଶିବ ନାରାୟଣ ଗୈାଡ): ଓଡିଶା ରାଜ୍ୟ ବ୍ୟାଟମିଂଟନ ଆସୋସିଏସନ୍ ବିକାଶ କମିଟି ତରଫରୁ ରାୟଗଡ ସ୍ଥିତ ଇନଡୋର ଷ୍ଟାଡିୟମ ପରିସରରେ ରାୟଗଡ ଜିଲ୍ଳା ବ୍ୟାଟମିଂଟନ୍ ଆସୋସିଏସନ୍ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶାରେ ବ୍ୟାଟମିଂଟନ ଖେଳରେ ଉନ୍ନତୀ ଆଣିବା ପାଇଁ ଓଡିଶାର ପ୍ରତ୍ୟେକ ଜିଲ୍ଳାକୁ ୮ଟି ଜୋନରେ ବିଭକ୍ତ କରାଯାଇ ପ୍ରତ୍ୟେକ ଜୋନରେ ଜଣେ ଲେଖାଁଏ ଜୋନାଲ ମୁଖ୍ୟଙ୍କୁ ନିଯୁକ୍ତ କରାଯାଇଛି । ଏହି ଜୋନଗୁଡିକ ମଧ୍ୟରେ ରାୟଗଡ ୬ନମ୍ବର ଜୋନରେ ସ୍ଥାନ ପାଇଥିବା ନେଇ ଓଡିଶା ରାଜ୍ୟ ବ୍ୟାଟମିଂଟନ ଆସୋସିଏସନ ପକ୍ଷରୁ ବୈଠକରେ ପ୍ରକାଶ ପାଇଥିଲା ।


ଅବିଭକ୍ତ କୋରାପୁଟ ଜିଲ୍ଳାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ ଓ ଗଜପତି ଆଦି ୫ଟି ଜିଲ୍ଳାକୁ ନେଇ ରାୟଗଡ ଜୋନ ଗଠିତ ହୋଇଥିବା ନେଇ ଜଣାପଡିଛି । ରାୟଗଡ ଜିଲ୍ଳାର ଖେଳାଳୀମାନେ ବ୍ୟାଟମିଂଟନ ପ୍ରତି କିପରି ଆଗ୍ରହ ପ୍ରକାଶ କରିବେ ଏବଂ ଜିଲ୍ଳା, ରାଜ୍ୟ ତଥା ଜାତୀୟ ସ୍ତରରେ କିପରି ଭଲ ପ୍ରଦର୍ଶନ କରିପାରିବାର ମୂଳ ଉଦ୍ଦେଶ୍ୟ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ମାଧ୍ୟମରେ ବ୍ୟାଟମିଂଟନ କିପରି ବିକାଶ ହୋଇପାରିବ ଏ ନେଇ ରାୟଗଡ ଜିଲ୍ଳା ବ୍ୟାଟମିଂଟନ ବିକାଶ କମିଟି ଗଠନ କରାଯାଇଛି ଯାହାକି ଜିଲ୍ଳାର ସମସ୍ତ ବ୍ଳକର ଖେଳାଳୀମାନଙ୍କୁ ନେଇ ଗଠିତ ହୋଇଛି ।


ଜିଲ୍ଳାର କୋଲନରା, କାଶିପୁର ଏବଂ କଲ୍ୟାଣସିଂହପୁର ବ୍ଳକକୁ ନେଇ ଗ୍ରୁପ-ଏ କମିଟି ଗଠନ କରାଯାଇଥିବା ବେଳେ ଏଥିରେ ରାୟଗଡ ବ୍ୟାଟମିଂଟନ ଆସୋସିଏସନ (ଆରବିଏ)ର ସଭାପତି ଏନ.ନାରାୟଣ ରାଓଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ରାମନାଗୁଡା, ଗୁଣପୁର, ଗୁଡାରୀ ଏବଂ ପଦ୍ମପୁର ବ୍ଳକକୁ ଗ୍ରୁପ-ବିରେ ନିଆଯାଇଥିବା ବେଳେ ଭିନୀତ ଅଗ୍ରୱାଲଙ୍କୁ ଏହାର ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ସି-ଗ୍ରୁପ୍ ରେ ବିଷମକଟକ, ମୁନିଗୁଡା ଏବଂ ଚନ୍ଦ୍ରପୁର ବ୍ଳକ ସାମିଲ କରାଯାଇଥିବା ବେଳେ ହେମନ୍ତ ଗୋଲାନୀଙ୍କୁ ଏହାର ଦାୟିତ୍ୱ ନ୍ୟସ୍ତ କରାଯାଇଛି ।


ବୈଠକରେ ସେଂଚ୍ୟୁରିଆନ ପବ୍ଳିକ ସ୍କୁଲ ନିର୍ଦ୍ଦେଶକ ରାଜେଶ ପାଢୀ ଉପସ୍ଥିତ ରହି ଜିଲ୍ଳା ବେସରକାରୀ ବିଦ୍ୟାଳୟ ଆସୋସିଏସନ ମାଧ୍ୟମରେ ବ୍ୟାଟମିଂଟନ ଖେଳର ବିକାଶ ନିମନ୍ତେ ବୈଠକର ନିଷ୍ପତି ବାର୍ତାକୁ ଆଗକୁ ନେବାକୁ ଚେଷ୍ଠା କରିବେ ବୋଲି ନିଜ ମତପ୍ରକାଶ କରିଥିଲେ । ଜିଲ୍ଳା କ୍ରୀଡା ଅଧିକାରୀ ଶେଖ ଅଲ୍ଳୀନୁର ବୈଠକରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଖେଳର ବିକାଶ ନିମନ୍ତେ ଉଦ୍ୟମ ପ୍ରଚେଷ୍ଠାକୁ ପ୍ରଶଂସା କରିବା ସହ ପ୍ରଶାସନ ତରଫରୁ ଆବଶ୍ୟକ ସମସ୍ତ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ବୈଠକରେ ରାୟଗଡ ଜୋନ-୬ ଜୋନାଲ ମୁଖ୍ୟ ଶୈଳେନ୍ଦ୍ର ଚୈାଧୁରୀ ତଥା କୋରାପୁଟ ବ୍ୟାଟମିଂଟନ ଆସୋସିଏସନ୍ ସଂପାଦକ,ଜୋନାଲ ମୁଖ୍ୟ ଜୟରାମ ବର୍ମା, ରାଜ୍ୟ ବିକାଶ କମିଟି ସଦସ୍ୟ ମୋତିରଂଜନ ବେହେରା ତଥା କୋରାପୁଟ ବ୍ୟାଟମିଂଟନ ଆସୋସିଏସନ ସଭାପତି, ଜୋନାଲ ସଂଯୋଜକ ଗିରିଶ ବେହେରା, ଆରବିଏ ସଭାପତି ଏନ.ନାରାୟଣ ରାଓ, ସଂପାଦକ ସୁରେଶ ଚନ୍ଦ୍ର ପଣ୍ଡା, ପିଏ-ଆଇଟିଡିଏ ଟୁକୁ ବାରିକ ପ୍ରମୁଖ ମଂଚାସୀନ ହୋଇଥିଲେ । ଏହି ବୈଠକରେ ଆରବିଏର ସମସ୍ତ ପଦାଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.