ଏଣିକି କୋଭିଡ ହସ୍ପିଟାଲରେ ଲାଗିବ CCTV, ସିଧାସଳଖ ରୋଗୀଙ୍କୁ ଦେଖି ପାରିବେ ସମ୍ପର୍କିୟ

ଭୁବନେଶ୍ୱର: କୋଭିଡ୍ ସଂକ୍ରମିତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାର ଅନେକ ଗୁରୁତ୍ତ୍ୱପୂର୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି କୋଭିଡ ହସ୍ପିଟାଲରେ ସିସିଟିଭି ବ୍ୟବସ୍ଥା ଆରମ୍ଭ ହେବ । ରୋଗୀଙ୍କ ସଂପର୍କୀୟ ଚାହିଁଲେ ସିଧାସଳଖ ରୋଗୀଙ୍କୁ ଦେଖି ପାରିବେ । ସିସିଟିଭି ପାଇଁ ସ୍ୱତନ୍ତ୍ର କନଫରେନ୍ସ ହଲର ବ୍ୟବସ୍ଥା କରାଯିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ରାଜ୍ୟର ସମସ୍ତ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ

ପ୍ରାପ୍ତ ସୂଚନା ଆଧାରରେ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ରହିବା ବାଧ୍ୟତାମୂଳକ । ହେଲ୍ପ ଡେସ୍କଗୁଡ଼ିକ ସପ୍ତାହ ସାରା ୨୪ ଘଣ୍ଟା କାର୍ଯ୍ୟ କରିବ ଏବଂ ଏଥିରେ ଟୋଲ୍ ଫ୍ରି ନମ୍ବର ରହିବ । ହେଲ୍ପ ଡେସ୍କର ସୁପରିଚାଳନା ପାଇଁ ସ୍ୱେଚ୍ଛାସେବୀଙ୍କ ସହାୟତା ନିଆଯିବ । ଯଦି ହେଲ୍ପ ଡେସ୍କ କାର୍ଯ୍ୟରେ ରୋଗୀଙ୍କ ସଂପର୍କୀୟ ଅସନ୍ତୋଷ ପ୍ରକାଶ କରନ୍ତି ଓ ଏହା ସତ୍ୟ ପ୍ରମାଣିତ ହୁଏ ତେବେ ଉକ୍ତ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ପଡ଼ିଲେ ସଂପୃକ୍ତ ହସ୍ପିଟାଲର ପ୍ରାପ୍ୟ ଅର୍ଥ ରାଶିକୁ ମଧ୍ୟ ଅଟକାଯିବ । ଏସଂପର୍କିତ ଅଭିଯୋଗର ବିଚାର କରିବ ଏକ ବୈଷୟିକ କମିଟି । ହେଲ୍ପ ଡେସ୍କରେ ମଧ୍ୟ ରହିବ ସୋସିଆଲ ମିଡିଆର ବ୍ୟବସ୍ଥା । ସଂପର୍କୀୟ ଚାହିଁଲେ ରୋଗୀଙ୍କ ଫଟୋଚିତ୍ର ଦେଖିବା ସହ କଥା ମଧ୍ୟ ହୋଇପାରିବେ । ରୋଗୀଙ୍କ ସ୍ୱସ୍ଥ୍ୟାବସ୍ଥା ନେଇ ପ୍ରତିଦିନ ସଂପର୍କୀୟଙ୍କୁ ଅପଡେଟ୍ କରାଯିବ । ଏସଏମେସ କିମ୍ବା ସୋସିଆଲ ମିଡିଆ ସାହଯ୍ୟରେ ଏହି ଅପଡେଟ୍ ଦିଆଯିବ ।

କୋଭିଡ୍ ସଂକ୍ରମିତ ଶିଶୁଙ୍କ ପାଇଁ ସ୍ବତନ୍ତ୍ର କମିଟି

ରାଜ୍ୟରେ କୋଭିଡ୍ ଆକ୍ରାନ୍ତ ଶିଶୁଙ୍କୁ ପର୍ଯ୍ୟବେକ୍ଷଣ ଲାଗି ଏକ କମିଟି ଗଠନ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠନ କରାଯାଇଛି ଏହି କମିଟି । ଡିଏମଇଟିଙ୍କ ଅଧ୍ୟକ୍ଷତାରେ ଏହି ୮ ଜଣିଆ କମିଟି ଗଠନ ହୋଇଛି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଏହି କମିଟିର ସଦସ୍ୟ ଆବାହକ ରହିବେ । ଶିଶୁଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ବଢୁଥିବାରୁ କମିଟି ତର୍ଜମା କରିବ ।

ଟିକାକରଣ ତଦାରଖ ପାଇଁ ୧୨ଜଣିଆ କମିଟି

୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ କୋଭିଡ ସୁରକ୍ଷା ଲାଗି ମଧ୍ୟ କମିଟି ଗଠନ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ୧୨ ଜଣିଆ କମିଟି ଗଠନ ହୋଇଛି । ଏହି କମିଟି ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ହେଉଥିବା ଟିକାକରଣର ତଦାରଖ କରିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.