ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବିରୁଦ୍ଧରେ ଗର୍ଜିଲା ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

● ପଛୁଆ ବର୍ଗ ଓ ଅନୁସୂଚିତ ଜାତିଙ୍କୁ ହକ୍ ଦେବା ପାଇଁ କଲା ଦାବି

● ଲାଞ୍ଜିଗଡ଼, ଥୁଆମୂଳ ରାମପୁର ବ୍ଲକର ସଂରକ୍ଷଣରେ ପୁନଃବିଚାର ଦାବି

ଭବାନୀପାଟଣା: ଏଇ ନିକଟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଜାତିଭିତିକ ସଂରକ୍ଷଣକୁ ନେଇ ଚିଠା ତାଲିକା ପ୍ରକାଶ ପାଇଛି । ତେବେ କଳାହାଣ୍ଡି ଜିଲ୍ଲା ପାଇଁ ପ୍ରସ୍ତୁତ ତାଲିକାରେ ବ୍ୟାପକ ଅସଙ୍ଗତି ଥିବାବେଳେ ଏହାକୁ ଦୂର କରିବା ଦାବିରେ ରାସ୍ତାକୁ ଓହ୍ଲାଇଛି ଓଡିଶାର ଅଗ୍ରଣୀ ସାମାଜିକ ସଂଗଠନ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କଳାହାଣ୍ଡି । ଜିଲ୍ଲାର ୧୩ଟି ବ୍ଲକର ୩୬ ଗୋଟି ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ଜଣେ ବି ପଛୁଆ ବର୍ଗଙ୍କୁ ସାମିଲ ନକରିବା ସହିତ ପେସା ଆଇନର ଆଳ ଦେଖାଇ ଲାଞ୍ଜିଗଡ ଓ ଥୁଆମୂଳରାମପୁର ବ୍ଲକରେ ସମସ୍ତ ସରପଞ୍ଚ ପଦବୀ ଅନୁସୂଚିତ ଜନଜାତିଙ୍କୁ ଦିଆଯାଇ ଜିଲ୍ଲା ତଥା ବ୍ଲକର ଦ୍ୱିତୀୟ ବୃହତ୍ତମ ଜନଗୋଷ୍ଠୀ ଅନୁସୂଚିତ ଜାତିଙ୍କୁ ପ୍ରତିନିଧିତ୍ୱ ନେବା ସୁଯୋଗରୁ ବଞ୍ଚିତ କରିରଖାଯାଇଛି । ବିଗତ ୩୦ ବର୍ଷ ମଧ୍ୟରେ ଅନ୍ୟ ସବୁ କ୍ଷେତ୍ରରେ ପେସା ଆଇନକୁ ନିଷ୍କ୍ରିୟ କରି ଦିଆଯାଇ ଥିବାବେଳେ କେବଳ ପଞ୍ଚାୟତ ନିର୍ବାଚନରେ ପେସା ଆଇନ ଅନୁସାରେ ସଂରକ୍ଷଣକୁ ସମଗ୍ର ଜିଲ୍ଲାରେ ନାପସନ୍ଦ କରାଯାଇଛି । ଏହାଦ୍ୱାରା ଲାଞ୍ଜିଗଡ ବ୍ଲକ ଓ ଥୁଆମୂଳରାମପୁର ବ୍ଲକର ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଅନୁସୂଚିତ ଜାତି ଓ ତୃତୀୟ ଜନସଂଖ୍ୟା ବିଶିଷ୍ଟ ପଛୁଆ ବର୍ଗ ଦୀର୍ଘ ବର୍ଷ ଧରି ଗଣତାନ୍ତ୍ରିକ ଓ ସାମ୍ବିଧାନିକ ପ୍ରକ୍ରିୟାରେ ସାମିଲ ହୋଇପାରୁ ନାହାନ୍ତି । ଯାହା ଜଣେ ନାଗରିକର ମୌଳିକ ଅଧିକାର କ୍ଷୂର୍ଣ୍ଣ କରୁଥିବାରୁ ଏହାର ପ୍ରତିବାଦରେ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ମଙ୍ଗଳବାର କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ।


ଅନୁସୂଚିତ ବ୍ଲକ ଭାବେ ଘୋଷିତ ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଆଦିବାସୀଙ୍କ ତଳକୁ ଅନୁସୂଚିତ ଜାତିର ଲୋକେ ବସବାସ କରୁଥିବାରୁ ସେମାନଙ୍କୁ ମଧ୍ୟ ରାଜନୈତିକ ସଂରକ୍ଷଣରେ ସଂଖ୍ୟା ଆନୁପାତିକ ସ୍ଥାନ ଦେବାକୁ ଫେଡେରେସନ ଦାବି କରିଛି । ସମ୍ବିଧାନର ପଂଚମ ଅନୁଚ୍ଛେଦ ଦ୍ୱାରା ଅନୁସୂଚିତ ଅଂଚଳ ଘୋଷିତ ଲାଞ୍ଜିଗଡ ବ୍ଲକରେ ଆଦିବାସୀଙ୍କ ଜନସଂଖ୍ୟା ପରେ ଅନୁସୂଚିତ ଜାତି ବର୍ଗଙ୍କ ସଂଖ୍ୟା ରହିଛି । ସେହିପରି ଗତ ୨୦୧୧ ଜନଗଣନାର ଦଶବର୍ଷ ପରେ ୨୦୨୧ ସୁଦ୍ଧା ଉଭୟ ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ତେବେ ଲାଞ୍ଜିଗଡ ବ୍ଲକର ସମସ୍ତ ୨୬ ଗୋଟି ଗ୍ରାମପଂଚାୟତର ସରପଂଚ ପଦବୀ ପେସା ଆଇନ-୧୯୯୬ ଅନୁସାରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ କରାଯାଇଛି । ତେବେ ଅନୁସୂଚିତ ଅଂଚଳ ଭାବେ ଆଦିବାସୀଙ୍କ ଭଳି ଅନୁସୂଚିତ ଜାତିଙ୍କ ସଂଖ୍ୟା ଦୃଷ୍ଟିରୁ ପ୍ରାୟ ସମାନ ଥିବାବେଳେ ଏହି ବର୍ଗଙ୍କୁ ତାଙ୍କ ରାଜନୈତିକ ଅଧିକାରରୁ ବଂଚିତ କରାଯାଇଛି ।


ଅନ୍ୟ କ୍ଷେତ୍ରରେ ଲାଞ୍ଜିଗଡ ବ୍ଲକ ଅଂଚଳରେ ପେସା ଆଇନକୁ ଏକ ପ୍ରକାର ନିଷ୍କ୍ରିୟ କରି ରଖାଯାଇଥିବାବେଳେ କିନ୍ତୁ ଏହାରି ଆଳରେ ବର୍ତମାନର ପଂଚାୟତିରାଜ ନିର୍ବାଚନରେ ସଂରକ୍ଷଣ ଦିଆଯାଇ ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଲୋକଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗରୁ ବଂଚିତ କରାଯାଇଛି । ତେବେ ଲଗାତାର ଭାବେ ତିରିଶ ବର୍ଷ ଧରି ଅନୁସୂଚିତ ବ୍ଲକରେ ଅନୁସୂଚିତ ଜାତିର ଲୋକଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ନଦେବା ଫଳରେ ଅନୁସୂଚିତ ଜାତିର ଲୋକେ ନିଜର ସାମ୍ବିଧାନିକ ଅଧିକାରରୁ ବଂଚିତ ହେବା ସହ ଅବହେଳିତ ହୋଇ ପଡିରହିଛନ୍ତି । ଲାଞ୍ଜିଗଡ ବ୍ଲକରେ ବିଗତ ତିରିଶ ବର୍ଷ ଧରି ପେସା ଆଇନର କାର୍ଯ୍ୟକାରିତା ଉପରେ ପ୍ରଶାସନ ଓ ସରକାର ନିରବ ଥିବାବେଳେ କେବଳ ନିର୍ବାଚନ ସମୟରେ ପେସା ଆଇନର କାର୍ଯ୍ୟକାରୀ କରିବା ବ୍ଲକ ଅଂଚଳବାସୀଙ୍କୁ ନିରାଶ କରିଛି । ଏଣୁ ଏସବୁ ପ୍ରଶ୍ନ ଉତ୍‌ଥାପନ କରିବା ସହିତ ସମିତି ସଦସ୍ୟ ପଦବୀରେ ସଂରକ୍ଷଣ ଭଳି ଲାଞ୍ଜିଗଡ ବ୍ଲକରେ ଅତି କମ୍‌ରେ ଛଅଟି ସରପଂଚ ପଦବୀ ଅନୁସୂଚିତ ଜାତି ଓ ଦୁଇଟି ପଛୁଆ ବର୍ଗଙ୍କୁ ସଂରକ୍ଷଣ ପାଇଁ ପୁନଃବିଚାର କରିବାକୁ ଦାବି କରିଛି ଫେଡେରେସନ । ସେହିପରି ଥୁଆମୂଳ ରାମପୁର ବ୍ଲକରେ ମଧ୍ୟ ସମାନ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଏହାଦ୍ୱାରା ପେସା ଆଇନର କାର୍ଯ୍ୟକାରିତା ସହିତ ପଂଚାୟତିରାଜ ବ୍ୟବସ୍ଥାରେ ଅନୁସୂଚିତ ଜାତି ଓ ପଛୁଆବର୍ଗଙ୍କୁ ମଧ୍ୟ ସାମ୍ବିଧାନିକ ରାଜନୈତିକ ଅଧିକାର ମିଳିପାରିବ ବୋଲି ଫେଡେରେସନର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।


ଜନସଂଖ୍ୟା ଓ ରାଜନୈତିକ ସଂରକ୍ଷଣର ଆବଶ୍ୟକତା ଦୃଷ୍ଟିରୁ ବ୍ଲକର ଲାଞ୍ଜିଗଡ, ଚମ୍ପାଦେଇପୁର, ଗୋବର୍ଦ୍ଧନପୁର, ଛତ୍ରପୁର, ଲାଞ୍ଜିଗଡରୋଡ, ବିଶ୍ୱନାଥପୁର ଗ୍ରାମପଞ୍ଚାୟତର ସରପଂଚ ପଦବୀ ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖାଗଲେ ବ୍ଲକର ଦ୍ୱିତୀୟ ବୃହତମ ଜନଗୋଷ୍ଠୀ ଅନୁସୂଚିତ ଜାତିର ଲୋକେ ପ୍ରତିନିଧିତ୍ୱର ସୁଯୋଗ ପାଇପାରିବେ ବୋଲି ଦାବି କରିବା ସହିତ ଆଜି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ଫେଡେରେସନର ଜିଲ୍ଲା ସଭାପତି ଧନଞ୍ଜୟ ଦୀପ, ସାଧାରଣ ସଂପାଦକ ଯତୀନ୍ଦ୍ର କର, ସଂପାଦକ ଶ୍ରୀବତ୍ସ ତାଣ୍ଡି, ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ଉପଦେଷ୍ଟା ତିଳକରାମ ନିଆଲ, ସୁବାସ ନାଗ, ସୂର୍ଯ୍ୟନାରାୟଣ କୁମାର, ଥୁଆମୂଳରାମପୁର ବ୍ଲକରୁ ମୂରଲୀଧର ନାଏକ, ନର୍ଲା ବ୍ଲକରୁ ରଘୁନାଥ ଦୀପ, ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗ, ହରିହର କୁମାର, ଶ୍ରାବଣୁ ନାଗ,କଲମପୁର ବ୍ଲକରୁ ବଳରାମ ଦୁର୍ଗାଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ଫେଡେରେସନର ବହୁ ସଦସ୍ୟ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.