ଦୁର୍ଗା ସପ୍ତଶତୀରେ ଦେବୀ ତତ୍ତ୍ଵ: ଏକ ସଂକ୍ଷିପ୍ତ ଆଲୋଚନା

ନବରାତ୍ର ପୂଜା ମୁଖ୍ୟତଃ ଶାକ୍ତ ଉପାସନା ଅଟେ । ଶାକ୍ତ ପରମ୍ପରାରୁ ଦେବୀଙ୍କ ପୂଜା ପଦ୍ଧତିର ଉଦ୍ଭବ ହୋଇଛି । ଦୁର୍ଗା ସପ୍ତଶତୀ ପୁସ୍ତକରେ ଦେବୀ ମହାତ୍ମ୍ୟ ବିଷୟକୁ ନେଇ ଅନେକ ତତ୍ତ୍ଵ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଏଣୁ ଦୁର୍ଗା ସପ୍ତଶତୀକୁ ଦେବୀ ମହାତ୍ମ୍ୟ ବୋଲି ମଧ୍ୟ କୁହାଯାଏ । ଏହା ସାତଶହ ଶ୍ଳୋକ ବିଶିଷ୍ଟ ପୁସ୍ତକଟିଏ ହୋଇଥିବାରୁ ଏହାକୁ ସପ୍ତଶତୀ ଆଖ୍ୟା ଦିଆଯାଇଛି ।

Omkar Vasthu
Omkar Vasthu


ଭାରତର ବିଭିନ୍ନ ସ୍ଥାନରେ ସପ୍ତଶତୀ ପାଠକୁ ଚଣ୍ଡୀପାଠ ବୋଲି କୁହାଯାଏ । କାରଣ ଦେବୀଙ୍କୁ ଚଣ୍ଡୀକା ନାମରେ ମଧ୍ୟ ପୂଜା କରାଯାଇଥାଏ । ଦୁର୍ଗା ସପ୍ତଶତୀ ପୁସ୍ତକରେ ଦେବୀଙ୍କ ବିଭିନ୍ନ ରୂପକୁ ବର୍ଣ୍ଣନା କରାଯାଇଥିବା ସଂଗେସଂଗେ ତାଙ୍କ ତାତ୍ତ୍ବିକ ଗୁଣକୁ ମଧ୍ୟ ବିଶେଷ ଭାବେ ଆଲୋଚନା କରାଯାଇଛି । ଶାକ୍ତ ଦର୍ଶନ ମୁତାବକ ଚଣ୍ଡୀପାଠ ହିଁ ଜୀବନର ପ୍ରକୃତ ସାଧନା ଅଟେ । ନିଷ୍ଠା ଓ ନିୟମର ସହିତ ଚଣ୍ଡୀପାଠ ନକଲେ ଚଣ୍ଡୀପାଠର ମୂଲ୍ୟ ମିଳିନଥାଏ ବୋଲି ଶାକ୍ତ ପଦ୍ଧତିରେ ବର୍ଣ୍ଣନା କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna


ଦୁର୍ଗା ସପ୍ତଶତୀରେ ଦେବୀ ତତ୍ତ୍ଵ ବିଷୟକୁ ଏକ କାହାଣୀ ମାଧ୍ୟମରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଏହି ପରିପ୍ରେକ୍ଷୀରେ ଏହି ପୁସ୍ତକରେ ଦେବୀଙ୍କ ସଂପର୍କରେ କେତୋଟି ହୃଦସ୍ପର୍ଶୀ ସ୍ତବରାଜ ସହ ଦେବୀପୂଜାର ବିଧାନ ସଂପର୍କରେ ସବିସ୍ତୃତ ରେଖାନ୍ୟାସ କରାଯାଇଛି।ଏହି ପୁସ୍ତକର କଥାବସ୍ତୁ ମୁତାବକ, ଅନେକ ବର୍ଷ ପୂର୍ବେ ସୂର୍ଯ୍ୟ ବଂଶରେ ସୁରଥ ନାମକ ଜଣେ ରାଜା ରାଜୁତି କରୁଥିଲେ । ସେ ଜଣେ ଦକ୍ଷ ପ୍ରଜାରଞ୍ଜକ ଶାସକ ଥିଲେ ।

Udyog Nursery
Udyogi Nursery

ଥରେ ସେ ଶତ୍ରୁମାନଙ୍କ ଦ୍ଵାରା ପରାଜିତ ହୋଇ ରାଜ୍ୟ ଛାଡ଼ି ବନକୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ସେ ଜଙ୍ଗଲକୁ ପଳାୟନ କରିଥିଲେ ସିନା, ହେଲେ ନିଜ ରାଜ୍ୟର କଥାଗୁଡ଼ିକୁ ଭୁଲି ପାରି ନଥିଲେ । ସବୁବେଳେ ରାଜ୍ୟ କଥା ଭାବି ଭାବି ମାନସିକ ଅସ୍ଥିରତାରେ ଉବୁଡୁବୁ ହେଉଥିଲେ । ଜଙ୍ଗଲ ରେ ଏମିତି ହତାଶରେ ବୁଲୁ ବୁଲୁ ଦିନେ ସେ ବ୍ରହ୍ମଜ୍ଞ ମେଧା ଋଷିଙ୍କ ଆଶ୍ରମରେ ପହଞ୍ଚିଲେ ।


ଆଶ୍ରମର ସୁନ୍ଦର ପରିବେଶରେ ମୁଗ୍ଧ ହୋଇ ସେ ମେଧା ଋଷିଙ୍କ ପାଖରେ ଆଶ୍ରୟ ନେଇଥିଲେ । ସେହି ଆଶ୍ରମରେ ସମାଧୁ ନାମକ ଜଣେ ବୈଶ୍ୟଙ୍କ ସହ ତାଙ୍କର ଦେଖା ହୋଇଥିଲା । ସମାଧୁ ବଶ୍ୟ ବି ଅନୁରୂପ ପରିସ୍ଥିତିରେ ପଡ଼ି ତାଙ୍କ ଘରଦ୍ଵାର ଛାଡ଼ି ଜଙ୍ଗଲକୁ ଚାଲି ଆସିଥିଲେ । ସେ ମଧ୍ୟ ଏମିତି ବୁଲୁ ବୁଲୁ ସୁରଥଙ୍କ ପରି ମେଧା ଋଷିଙ୍କ ଆଶ୍ରମରେ ପହଞ୍ଚି ସେହି ଆଶ୍ରମ ପରିବେଶ ଭିତରେ ରହିବାପାଇଁ ଇଚ୍ଛା ପ୍ରକାଶ କରିଥିଲେ । ସୁରଥ ଓ ସମାଧିଙ୍କ ମଧ୍ୟରେ କ୍ରମଶଃ ବନ୍ଧୁତ୍ୱ ସଂପର୍କ ବଢ଼ିବାକୁ ଲାଗିଲା । ଉଭୟେ ଗୋଟିଏ ଦଶାର ଶୀକାର ହୋଇ ମେଧା ଋଷିଙ୍କ ପାଖରେ ଆଶ୍ରୟ ନେଇଥିବାରୁ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ସଂପର୍କ କ୍ରମଶଃ ଘନିଷ୍ଠ ହେବାକୁ ଲାଗିଲା । ସମାଧି ବଶ୍ୟ ମଧ୍ୟ ବାରମ୍ବାର ତାଙ୍କ ଘର ଓ ପରିଜମାନଙ୍କ କଥା ଭାବି ଭାବି ଦୁଃଖରେ ଭାଙ୍ଗି ପଡୁଥାନ୍ତି ।


ଦିନକର ଘଟଣା ସେମାନେ ଆଶ୍ରମରେ ବସି ଭାବିବାକୁ ଲାଗିଲେ, କି ବିଚିତ୍ର ଏ ମନଟା ଦେଖିଲ । ନିଜର ସଂପର୍କୀୟ ମାନେ ସେମାନଙ୍କ ଦୁଃଖର କାରଣ ହୋଇଥିଲେ ବି ସେମାନଙ୍କ ମାୟାରେ ଜୁଡୁବୁଡୁ ହୋଇ ସେମାନଙ୍କୁ କେମିତି ଭୁଲି ପାରୁନାହାନ୍ତି ।


ଏହି ସମସ୍ୟାର ସମାଧାନ ପାଇଁ ସେମାନେ ମେଧା ଋଷିଙ୍କ ପାଖକୁ ଯାଇ ବିନିତ ଭାବରେ ଜଣାଇଲେ, ହେ ଋଷି ଶ୍ରେଷ୍ଠ ! ଆପଣ ଆମକୁ ଆଶୀର୍ବାଦ କରନ୍ତୁ । ଏ କ୍ରନ୍ଦନଶୀଳ ଦୁନିଆଟା ଆମର ଦୁଃଖର କାରଣ ହେଲେ ବି, ଆମେ ଆମ ସଂସାରକୁ ତଥା ପରିବାରବର୍ଗଙ୍କୁ ଆଦୌ ଭୁଲି ପାରୁ ନାହୁଁ । ସେହି ଧନ-ସଂପତ୍ତି ପୂର୍ବବତ୍ ଆମ ମନକୁ ବାରମ୍ବାର ଆକର୍ଷିତ କରି ଆମକୁ ଅଧିକରୁ ଅଧିକତର ଦୁଃଖ ଦେଉଛି । ଆମେ ଆମ ସାଂସାରିକ ଆସକ୍ତିରୁ ଆଦୌ ମୁକୁଳି ପାରୁନୁ । ଏହି ମୋହର କାରଣ କ’ଣ, ଦୟାକରି ଏ ସନ୍ଦେହରୁ ଆମକୁ ମୁକ୍ତି ଦିଅନ୍ତୁ ।


ଏହି ପ୍ରଶ୍ନର ଉତ୍ତରରେ ମେଧା ଋଷି ସୁରଥ ଓ ସମାଧିଙ୍କ ସନ୍ଦେହ ମୋଚନ ପାଇଁ ସେମାନଙ୍କୁ ଯାହା ଶୁଣାଇଥିଲେ, ତାହା ହିଁ ଦେବୀ ଭାଗବତର ମୁଖ୍ୟ ସାରାଂଶ ଅଟେ ।ଦେବୀ ତତ୍ତ୍ଵର ବ୍ୟାଖ୍ୟାରୁ ଜଣାଯାଏ ଯେ, ମନୁଷ୍ୟର ମନ ଏକ ମାୟାଶକ୍ତି ଦ୍ଵାରା ବନ୍ଧା ହୋଇଥିବାରୁ ତା’ର ବିଚାର ଶକ୍ତି ଏକ ଅନ୍ଧକାର ଭିତରେ ଆବୃତ ହୋଇ ରହିଥାଏ । ସବୁକଥା ଅନୁଧ୍ୟାନ କରିବା ପାଇଁ ମନର ଯଥୋଚିତ ଶକ୍ତି ଓ ସାମର୍ଥ୍ୟ ରହିଥିଲେ ବି ଏହି ମାୟାଶକ୍ତିର ଆଭରଣ ଯୋଗୁଁ ସେ ଦୁଃଖ ଓ ଦୁର୍ଦ୍ଦଶା କାରଣ ଅର୍ଥାତ୍ ଧନ, ସଂପତ୍ତିର ମୋହ ଭିତରେ ଉବୁଡୁବୁ ହୋଇ ସେହି ଚିନ୍ତାରେ ସବୁବେଳେ ଘାରି ହୋଇ ବିଚଳିତ ହୋଇଥାଏ । ଏହା ମାୟା ଦେବୀଙ୍କ ଅଲୌକିକ ଶକ୍ତି ଅଟେ । ତାକୁ ହିଁ ତନ୍ତ୍ରଶାସ୍ତ୍ରରେ ବିଶ୍ଵମାୟା ବୋଲି କୁହାଯାଏ । ଏହି ବିଶ୍ଵମାୟା ବା ମହାମାୟା ପରଂବ୍ରହ୍ମ ପରମାତ୍ମାଙ୍କ ବିଶ୍ଵବ୍ୟାପିନୀ ବିମୋହିନୀ ଶକ୍ତି ଅଟନ୍ତି । ଯେଉଁସବୁ ଦୃଶ୍ୟ ଏହି ଜଗତରେ ଆମର ଦୃଷ୍ଟିଗୋଚର ହେଉଛି, ତାହା ସବୁ ପରଂବ୍ରହ୍ମଙ୍କ ପରାଶକ୍ତିର କ୍ରିୟା ଫଳରେ ସମ୍ଭବପର ହୋଇଥାଏ ।


ତତ୍ତ୍ୱଜ୍ଞାନୀ ଋଷିଗଣ ଏହି ଗୃଢ଼ ତତ୍ତ୍ଵକୁ ବ୍ୟାଖ୍ୟାକରି କହିଛନ୍ତିଯେ ପରଂବ୍ରହ୍ମ ଓ ଏ ଜଗତକୁ ଆଭରଣ କରି ରଖିଥିବା ମାୟାଶକ୍ତି ତତ୍ତ୍ୱତଃ ଏକ ଓ ଅଭିନ୍ନ ଅଟନ୍ତି । ବାହାରକୁ ସେମାନଙ୍କ ଭିତରେ ପାର୍ଥକ୍ୟ ରହିଥିବା ପରିଦୃଷ୍ଟ ହେଉଥିଲେ ମଧ୍ୟ ବାସ୍ତବରେ ସେମାନେ ଏକ ହିଁ ଏକ ଅଟନ୍ତି । ଏଣୁ ପରମାତ୍ମା ପରଂବ୍ରହ୍ମ ଓ ତାଙ୍କ ପରାଶକ୍ତିଙ୍କ ମଧ୍ୟରେ କୌଣସି ପ୍ରଭେଦ ନଥାଏ । ତତ୍ତ୍ୱଜ୍ଞ ମାନଙ୍କ ମତରେ ପରମାତ୍ମାଙ୍କ ଅବ୍ୟକ୍ତ ଭାବ ଓ ବ୍ୟକ୍ତ ସ୍ଵରୂପକୁ ମହାମାୟା ହିଁ ସଂଯୋଜିତ କରି ରଖିଛନ୍ତି ।


ପରଂବ୍ରହ୍ମ ତାଙ୍କ ସର୍ବ ପରିବ୍ୟାପ୍ତ ଗୁଣ ଯୋଗୁଁ ନିଷ୍କ୍ରିୟ ହୋଇଥିଲେ ବି ସେ ପରାଶକ୍ତିଙ୍କ (ଯାହାଙ୍କୁ ଆମେ ଦେବୀମାତା ବୋଲି ଆରାଧନା କରିଥାଉ) ସଂସ୍ପର୍ଶରୁ ଏ ବିଶ୍ଵସୃଷ୍ଟିର ସକ୍ରିୟ କାରଣ ହୋଇଥାନ୍ତି । ଏ ବିଶ୍ୱରେ ସ୍ଥୁଳ ଠାରୁ ସୂକ୍ଷ୍ମ ଯାହାକିଛି ରହିଛି, ତାହା ସେହି ପରମାତ୍ମାଙ୍କ ପରିପ୍ରକାଶ ତଥା ପରଂବ୍ରହ୍ମଙ୍କ ଅଲୌକିକ ବିକାଶ ଅଟେ ।

ଉପସ୍ଥାପନା:
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡ଼ିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.