କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନର୍ଲାର ରାଜନୈତିକ ପାଣିପାଗ ସରଗରମ ହୋଇ ଉଠିଛି । ନର୍ଲା ବ୍ଲକରେ ତିନୋଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏସବୁ ଆସନରେ ପ୍ରାର୍ଥୀ ଦେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ଜୋନ୍-୨୬ (ନର୍ଲା-୧ ରୁପ୍ରା ମହିଳାଙ୍କ ପାଇଁ ସଂରକ୍ଷିତ ଆସନ) ପାଇଁ ବିଜେପି ପ୍ରାର୍ଥୀନୀ ଭାବରେ ସଞ୍ଜୁ ସାହୁ, ବିଜେଡି ତରଫରୁ ନମ୍ରତା ସାହୁ ଓ କଂଗ୍ରେସ ତରଫରୁ ଜ୍ୟୋତି ବେହେରା ପ୍ରାର୍ଥୀନୀ ରହିଥିବା ବେଳେ ଜିଲ୍ଲା ପରିଷଦ ଜୋନ୍-୨୭ (ନର୍ଲା-୨ ସରିଆଁ ଅନୁସୂଚୀତ ଜନଜାତି ପାଇଁ ସଂରକ୍ଷିତ ଆସନ) ଜୋନ ପାଇଁ ବିଜେପି ତରଫରୁ ସୁଶ୍ରୀ ରୀନା ଭୋଇ, ବିଜେଡି ତରଫରୁ ହରିଶଙ୍କର ମାଝୀ ଓ କଂଗ୍ରେସ ତରଫରୁ ରୋଶନ କୁମାର ମାଝୀ ପ୍ରାର୍ଥୀ ରହିଛନ୍ତି । ସେହିଭଳି ଜିଲ୍ଲା ପରିଷଦ ଜୋନ ନଂ-୨୮ (ନର୍ଲା- ୩ ଅନୁସୂଚୀତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଆସନ) ନିମନ୍ତେ ବିଜେପି ତରଫରୁ ପ୍ରଣତି ମହାନନ୍ଦ, ବିଜେଡି ତରଫରୁ ଲିଲି ଦୀପ ଓ କଂଗ୍ରେସ ତରଫରୁ ସୁନୀତା ନାଏକ ପ୍ରାର୍ଥୀନୀ ରହିଛନ୍ତି । ପଞ୍ଚାୟତ ନିର୍ବାଚନକୁ ନେଇ ନର୍ଲା ରାଜନୀତି ବେଶ ସରଗରମ ହୋଇ ଉଠିଥିବା ବେଳେ ନର୍ଲା ଜୋନ-୨ ଆସନକୁ ନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ଗତଥର ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିବା ଶୁଶ୍ରୀ ରିନା ଭୋଇ ଏଥର ମଧ୍ୟ ବିଜେପି ପ୍ରାର୍ଥୀନୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଗତଥର ନିର୍ବାଚନରେ ସେ ହ୍ୟାଟ୍ରିକ ମାରି କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କୁ ଚିତ କରି ଦେଇଥିଲେ । ଗତ ୨୦୧୭ ନିର୍ବାଚନରେ ନର୍ଲାର ତିନୋଟି ଯାକ ଜିଲ୍ଲା ପରିଷଦ ଆସନକୁ ଅକ୍ତିଆର କରିଥିଲା ବିଜେପି । ଏଥର କିନ୍ତୁ ପରିସ୍ଥିତି ଭିନ୍ନ ପ୍ରକାରର ଥିବା ଅନୁମାନ କରାଯାଉଛି । ଏଥର ବିଜେଡି ପକ୍ଷରୁ ହରିଶଙ୍କର ମାଝୀ ଲଢେଇ କରୁଛନ୍ତି । ଶ୍ରୀ ମାଝୀ ନର୍ଲା ବ୍ଲକ ଯୁବ ବିଜେଡି ସଭାପତି ଭାବେ ନିଜର ସାଙ୍ଗଠନିକ ଦକ୍ଷତା ପ୍ରତିପାଦନ କରିଛନ୍ତି । ଦୀର୍ଘ ବର୍ଷଧରି ବିଜେଡି ସହ ଜଡିତ ଥିବା ହରିଶଙ୍କର ସାଧାରଣ ଜନତାଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି । ନିର୍ବାଚନ ପୂର୍ବରୁ ଶ୍ରୀ ମାଝୀ ଗାଁ ଗାଁ ବୁଲି ତୃଣମୂଳ ସ୍ତରରେ ବିଜେଡିର ସାଙ୍ଗଠନିକ ସ୍ଥିତିକୁ ଅଧିକ ମଜଭୁତ କରି ପାରିଥିଲେ । ଏହାକୁ ଦୃଷ୍ଟିରେ ରଖି ବିଜେଡି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ନେଇ ଅଞ୍ଚଳବାସୀ ବେଶ ଖୁସି ଥିବାରୁ ଏଥର ନର୍ଲା ଜୋନ-୨ରେ ବିଜେଡିର ପଲ୍ଲା ଭାରି ଥିବାପରି ମନେହେଉଛି । ଏପଟେ କଂଗ୍ରେସ ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରି ରୋଶନ କୁମାର ମାଝୀଙ୍କୁ ଲଢେଇକୁ ଛାଡିଛି । ଗତଥର ଏହି ଆସନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ଥିଲା । ତେବେ କିଏ ଏଥର ବାଜି ମାରିବ ତାହା ଦେଖିବାକୁ ବାକି ରହିଲା ।