ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ନେଇ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଭବାନୀପାଟଣା ସ୍ଥିତ ଶିକ୍ଷକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ସଭାପତି ପଦ୍ମଲୋଚନ ନାଏକ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ କୁମାର ନାୟକ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଂଗଠନର ବିଭିନ୍ନ ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ବୈଠକରେ ରାଜ୍ୟ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇ ସଂଗଠନକୁ ଆଗାମୀ ଦିନରେ କିପରି ଅଧିକ ସୁଦୃଢ଼, ସଶକ୍ତ ଓ କାର୍ଯ୍ୟକ୍ଷମ କରାଯାଇପାରିବ; ସେ ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ। ସେ ବିଶେଷ ଭାବେ ନୂତନ ପେନ୍ସନ୍ ଯୋଜନା (NPS) ଅନ୍ତର୍ଗତ ଶିକ୍ଷକମାନଙ୍କର ଦୁଇଟି ପ୍ରମୁଖ ଦାବି, ଯଥା—ପ୍ରାରମ୍ଭିକ ନିଯୁକ୍ତି ସ୍ତରରେ ଗ୍ରେଡ ପେ ସଂଶୋଧନ ଏବଂ ଠିକା ନିଯୁକ୍ତି କାଳକୁ ଚାକିରି ସେବାରେ ଗଣନା କରି ଛଅଟି ନୋସନାଲ୍ ଇନ୍କ୍ରିମେଣ୍ଟ୍ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଦାବିଗୁଡ଼ିକର ସଫଳ ରୂପାୟନ ପାଇଁ ରାଜ୍ୟର ସମସ୍ତ ଶିକ୍ଷକ ସଂଗଠନକୁ ଏକତ୍ରିତ ହୋଇ ସାମୂହିକ ଭାବେ ଆନ୍ଦୋଳନ ଓ ପ୍ରୟାସ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହାସହିତ କଳାହାଣ୍ଡି ଜିଲ୍ଲାରେ ଦୀର୍ଘଦିନ ଧରି ଅପେକ୍ଷିତ ଥିବା ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଇବା ପାଇଁ ସଂଗଠନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ଆଶ୍ୱାସନା ପ୍ରଦାନ କରିଥିଲେ।
ଉକ୍ତ ବୈଠକରେ ଜିଲ୍ଲାର ୧୩ଟି ବ୍ଲକର ସଭାପତି, ସମ୍ପାଦକ, ସଂଯୋଜକ ଓ ବିଭିନ୍ନ ପଦାଧିକାରୀଙ୍କ ସହ ଉପଦେଷ୍ଟା ଗଣେଶ ବେହେରା ଏବଂ ବିନୋଦ ବିହାରୀ ମଣ୍ଡଳ ତଥା ଜିଲ୍ଲା କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ। ସଭା ପରିଚାଳନା ସଦର ବ୍ଲକ ସଭାପତି ମଧୁସୂଦନ ପ୍ରଧାନ କରିଥିବାବେଳେ ଜିଲ୍ଲା ଯୁଗ୍ମ ସମ୍ପାଦକ ତରଙ୍ଗ ଚଣ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପଧାନ, ଉପସଭାପତି ବୀରେନ୍ଦ୍ର ବାଗ ଓ ସୁରେନ୍ଦ୍ର କୁମାର ଦୋରା, ଜିଲ୍ଲା ଯୁଗ୍ମ ସମ୍ପାଦକ ବେଣୁଧର ବିଶ୍ୱାଳ ଓ ସୁବାସ ଚନ୍ଦ୍ର ବାଗ, ଜିଲ୍ଲା ସଂଗଠନିକ ସମ୍ପାଦକ ଶିବପ୍ରସାଦ ଦାସ, ଜିଲ୍ଲା ସଂଯୋଜକ କ୍ଷୀରସାଗର ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ତପନ କୁମାର ବେହେରା ଏବଂ ଜିଲ୍ଲା କୋର୍ କମିଟି ସଦସ୍ୟ ରାମେଶ୍ୱର ନାଏକ, ଅମରେନ୍ଦ୍ର ପଟ୍ଟନାୟକ, ଦିଲ୍ଲୀପ ଖାନସମା ଓ ଶ୍ରୀନିବାସ ଆଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ଶିକ୍ଷକ ପଦୋନ୍ନତି, ସଂଗଠନକୁ ଅଧିକ ସୁଦୃଢ଼ ଓ ସଶକ୍ତ କରିବା, ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଏବଂ ଆଗାମୀ ଗୁରୁ ଦିବସ ପାଳନକୁ ଆଡମ୍ବରପୂର୍ଣ୍ଣ ଓ ସଫଳ କରିବା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ଏବଂ ଏହି ସମ୍ପର୍କରେ ଆବଶ୍ୟକୀୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।





