ଜାତିର ପିତାଙ୍କ ଝିଅଙ୍କୁ ୧୫ ବର୍ଷ ଜେଲ୍ ଦଣ୍ଡାଦେଶ

ଦୋଷୀ ସାବ୍ୟସ୍ତ କଲେ ଅଦାଲତ : ଆଇନଗତ କାର୍ଯ୍ୟାନୁଷ୍ଠନକୁ ଅନ୍ୟାୟ ବୋଲି ଅଭିଯୋଗ କଲେ ସୁ କିଙ୍କ ସମର୍ଥକ ଏବଂ ସ୍ୱାଧୀନ ଆଇନଜ୍ଞ

ଓଡ଼ିଆ ବାର୍ତ୍ତା/ ନେପିୟିଦ: ମିଆଁମାରର ରାଜଧାନୀ ନେପିୟିଦର ଏକ ଅଦାଲତ ଦେଶର ନେତ୍ରୀ ତଥା କୂଟନୀତିଜ୍ଞ ନୋବେଲ ସମ୍ମାନ ପ୍ରାପ୍ତ ଅଙ୍ଗ୍‌ ସାନ୍‌ ସୁ କିଙ୍କୁ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛି । ତାଙ୍କ ପିତା ଅଙ୍ଗ ସାନ ‘ଆଧୁନିକ ମିଆଁମାର’ର ଜାତିର ପିତା ଭାବରେ ଖ୍ୟାତ । ତାଙ୍କ ମା ଖିନ କି ଜଣେ ଲୋକପ୍ରିୟ ନେତ୍ରୀ ଥିଲେ । ଅଙ୍ଗ ସାନ ସୁ କି ବ୍ରିଟିଶ ବର୍ମାର ରେଙ୍ଗୁନରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଅକ୍ସଫୋର୍ଡ ୟୁନିଭରସିଟିରୁ ସ୍ନାତକ ହାସଲ କରିବା ପରେ ସେ ତିନି ବର୍ଷ ପାଇଁ ମିଳିତ ଜାତିସଂଘରେ କାର୍ଯ୍ୟ କରିଥିଲେ । ତେବେ ଗତବର୍ଷ ଫେବ୍ରୁଆରି ମାସରେ ସେନାଦ୍ୱାରା ବିତାଡ଼ିତ ୭୬ ବର୍ଷୀୟ ସୁ କିଙ୍କୁ ଏବେ ୧୫ ବର୍ଷ ଜେଲ୍‌ ଦଣ୍ଡ ଏବଂ ଜରିମାନାର ସମ୍ମୁଖୀନ ହେବେ ।

ସୂଚନା ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଫିଓ ମିନ୍‌ ଥେଇନ୍‌ଙ୍କ ଠାରୁ ସୁ କି ୧୧.୪ କିଲୋ ସୁନା ଓ ନଗଦ ଅର୍ଥୁ ମିଶାଇ ମୋଟ୍‌ ୬୦୦,୦୦୦ ଡଲାର୍‌ ନେଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଫିଓ ମିନ୍‌ ଥେଇନ୍‌ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏବେ ମଧ୍ୟ ସୁ କିଙ୍କ ନାମରେ ଅନ୍ୟୂନ ୧୦ଟି ମାମଲା ରହିଛି । ସୁ କିଙ୍କ ସମର୍ଥକ ଏବଂ ସ୍ୱାଧୀନ ଆଇନଜ୍ଞମାନେ ତାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା ଆଇନଗତ କାର୍ଯ୍ୟାନୁଷ୍ଠନକୁ ଅନ୍ୟାୟ ବୋଲି ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି, ଏମିତି କରି ସୁ କିଙ୍କୁ ସକ୍ରିୟ ରାଜନୀତି ଫେରିବାର ବାଟ ବନ୍ଦ କରାଯାଉଛି । ତେବେ ଏହା ପୂର୍ବରୁ ଅନ୍ୟାନ୍ୟ ମାମଲାରେ ତାଙ୍କୁ ୬ ବର୍ଷ କରାଦଣ୍ଡା ଦେଶ ହୋଇଛି ।

୨୦୨୦ ସାଧାରଣ ନିର୍ବାଚନରେ ସୁ କିଙ୍କ ‘ନ୍ୟାସ୍‌ନାଲ ଲିଗ୍‌ ଫର୍‌ ଡେମୋକ୍ରାସି ପାର୍ଟି’ ଦଳ ବିପୁଳ ବିଜୟ ହାସଲ କରିଥିଲା । ମାତ୍ର ୨୦୨୧ ଫେବ୍ରୁଆରି ୧ ତାରିଖରେ ସେନା କ୍ଷମତା ଅକ୍ତିଆର୍‌ କରିବା ପରେ ସାଂସଦମାନଙ୍କୁ ସେମାନଙ୍କ ଆସନରେ ବସାଇ ଦିଆଗଲା ନାହିଁ । ସୁ କି ଏବଂ ତାଙ୍କ ଦଳ ଓ ସରକାରର ଅନେକ ବରିଷ୍ଠ ସହଯୋଗୀମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଅଙ୍ଗ ସାନ୍‌ ସୁ କି ଜଣେ ବର୍ମୀୟ ରାଜନେତ୍ରୀ, କୂଟନୀତିଜ୍ଞା, ଲେଖିକା, ଏବଂ ୧୯୯୧ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ । ସେ ଜବାହର ଲାଲ ନେହରୁ ସମ୍ମାନରେ ମଧ୍ୟ ମମ୍ମାନିତ ହୋଇଛନ୍ତି । ମିଆଁମାରର ସାମରିକ ଶାସନଠାରୁ ଆଂଶିକ ଗଣତନ୍ତ୍ରକୁ ପରିବର୍ତ୍ତନ କରିବାରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ବର୍ତ୍ତମାନ ‘ନ୍ୟାସନାଲ୍‌ ଲିଗ୍‌ ଫର ଡେମୋକ୍ରାସି’ ଦଳର ନେତ୍ରୀ ଓ ମିଆଁମାରର ପ୍ରଥମ ତଥା ବର୍ତ୍ତମାନର ରାଜ୍ୟ ପରାମର୍ଶଦାତା (ପ୍ରଧାନମନ୍ତ୍ରୀଙ୍କ ସହ ସମାନ) ପଦବୀରେ ରହିଥିଲେ । ସାନ ସୁ କି ୧୯୮୮ର ବିଦ୍ରୋହ ସମୟରେ କ୍ଷମତାସୀନ ହୋଇଥିଲେ ଏବଂ ନ୍ୟାସନାଲ ଲିଗ ଫର ଡେମୋକ୍ରାସିର (ଏନଏଲଡି) ସାଧାରଣ ସଚିବ ହୋଇଥିଲେ ।

ଏହି ଦଳକୁ ସେ ସାମରିକ ହୁଣ୍ଟାକୁ ସମାଲୋଚନା କରିଆସୁଥିବା ଅନେକ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ସାହାଯ୍ୟରେ ନୂତନ ଭାବେ ଗଠନ କରିଥିଲେ । ୧୯୯୦ ନିର୍ବାଚନରେ ଏନଏଲଡି ସଂସଦରେ ୮୧% ସିଟ ଜିତିଥିଲା । କିନ୍ତୁ ସେନା ଶକ୍ତି ହସ୍ତାନ୍ତର କରିବାକୁ ମନା କରିଦେଇଥିବାରୁ ଫଳାଫଳକୁ ନାକଚ କରିଦିଆଯାଇଥିଲା । ଏହା ଫଳରେ ଆନ୍ତର୍ଜାତୀୟ ହତାଶା ସୃଷ୍ଟି ହୋଇଥିଲା । ତେବେ ନିର୍ବାଚନ ପୂର୍ବରୁ ସେ ଗୃହଗିରଫରେ ଅଟକ ହୋଇରହିଥିଲେ । ସେ ୧୯୮୯ରୁ ୨୦୧୦ ପର୍ଯ୍ୟନ୍ତ ୨୧ ବର୍ଷ ମଧ୍ୟରୁ ପ୍ରାୟ ୧୫ ବର୍ଷ ଧରି ଗୃହ ଗିରଫରେ ରହି ବିଶ୍ୱର ସବୁଠାରୁ ପ୍ରମୁଖ ରାଜନୈତିକ ବନ୍ଦୀ ହୋଇଥିଲେ । ୧୯୯୯ରେ ଟାଇମ ପତ୍ରିକା ତାଙ୍କୁ ଗାନ୍ଧୀ ସନ୍ତାନଗଣଙ୍କ ଭିତରୁ ଏକ ବୋଲି ଏବଂ ଅହିଂସା କ୍ଷେତ୍ରରେ ଗାନ୍ଧୀଙ୍କ ଆଧ୍ୟାତ୍ମିକ ଉତ୍ତରାଧିକାରୀ ଭାବେ ନାମିତ କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.