✍🏼 ବିଶ୍ବବିଜୟୀ ଦାଶ
ରାଧାମୋହନ ଗଡ଼ନାୟକ ଥିଲେ ଜଣେ ସଫଳ ଓ ପ୍ରତିଭାଶାଳୀ ଓଡ଼ିଆ କବି। କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଏହି କବିଙ୍କ କବିତାରେ ଥିଲା ସ୍ୱଦେଶ ପ୍ରୀତି ଓ ସୌନ୍ଦର୍ଯ୍ୟର ଅନୁଭୂତି। ସବୁଜ ଗୋଷ୍ଠୀର ସାହିତ୍ୟ ସାଧନା କାଳରେ ଏକକ କବି ଭାବରେ ସେ ଥିଲେ ପରିଚିତ। ଏହି ମହାନ କବି ଅଗଷ୍ଟ ମାସ ୨୫ ତାରିଖ ୧୯୧୧ ମସିହାରେରେ ଅନୁଗୁଳରେ ଜନ୍ମ ହୋଇଥିଲେ। ଅନୁଗୁଳର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସେ ପଢୁଥିବା ବେଳରେ ‘ସହକାର’ ପତ୍ରିକାର ସମ୍ପାଦକ ଲକ୍ଷ୍ମୀନାରାୟଣ ସାହୁଙ୍କ କବିତା ଆଡ଼କୁ ମନ ବଳାଇଥିଲେ ଓ କବିତା ଲେଖାଲେଖି ଆରମ୍ଭ କରିଥିଲେ। ସେହି ସମୟରେ ତାଙ୍କ ରଚିତ କବିତା “ମୁଁ କି କେବେ ଦୀନହୀନ” ଗଡ଼ଜାତ ବାସିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଉଚ୍ଚଶିକ୍ଷାରୁ ବଞ୍ଚିତ ରାଧାମୋହନ ୧୯୨୭-୧୯୨୮ ମସିହାରେ ଦେଶସେବକ ତଥା ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ମିଶ୍ରଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ ଓ ଜାତି ଏବଂ ଦେଶପ୍ରେମ ମୂଳକ ଅନେକ କବିତାବଳୀ ରଚନା କରିଥିଲେ। ୧୯୨୭ ବେଳକୁ ତାଙ୍କର ରଚିତ ଅନେକ କବିତା ‘ସହକାର’, ‘ନବଯୁଗ’, ‘ପଞ୍ଚାମୃତ’, ‘ଉତ୍କଳ ସାହିତ୍ୟ’, ‘ଗଡ଼ଜାତ ବାସିନୀ’ ଆଦି ପତ୍ରିକାରେ ପ୍ରକାଶିତ ହୋଇ ଅନେକ ଖ୍ୟାତି ଅର୍ଜନ କରିଥିଲା।
ରାଧାମୋହନ ଗଡ଼ନାୟକ ଜଣେ ଆଧୁନିକ କବି। କିନ୍ତୁ ଜଣେ ଆଧିୁନିକ କବି ହେଲେ ବି ତାଙ୍କ ଲୋକପ୍ରିୟତା ଓଡ଼ିଶାର ପ୍ରତିଟି ଶିକ୍ଷିତ ମହଲରେ ଏବଂ ପୁରପଲ୍ଲୀରେ ବ୍ୟାପି ଯାଇଥିଲା। ସେ ନିଜକୁ ଜଣେ ସଂଗ୍ରମୀ ପୁରୁଷ ଭାବେ ଅଭିହିତ କରୁଥିଲେ। ଗାଥା କବିତା ରଚନାକୁ ସେ ଏକ ନୂଆ ଦିଗ ଦେଇଥିଲେ। ଛନ୍ଦର ଲାଳିତ୍ୟ, କବିତାର ଗାମ୍ଭୀର୍ଯ୍ୟ, ଭାଷା ଚାତୁରୀ, ବିଷୟ ଚୟନରେ ସେ ଥିଲେ ଅନନ୍ୟ।ପୁରାଣ ପୃଷ୍ଠାରୁ, ଇତିହାସ ପୃଷ୍ଠାରୁ, କାହାଣୀରୁ, କିମ୍ବଦନ୍ତୀରୁ ବିଭିନ୍ନ ଚରିତ୍ରଙ୍କୁ ନେଇ ସେ କବିତା ରଚ଼ନା କରି ଓଡ଼ିଆ କାବ୍ୟ ଜଗତକୁ ରୁଦ୍ଧିମନ୍ତ କରିଥିଲେ। ‘କାବ୍ୟ ନାୟିକା’, ‘ଉତ୍କଳିକା’, ‘କୈଶୋରିକା’, ‘ଶାମୁକାର ସ୍ୱପ୍ନ’, ‘ପଶୁପକ୍ଷୀର କାବ୍ୟ’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ଦୀପଶିଖା’ ଆଦି ଅନେକ ତାଙ୍କର ଅନବଦ୍ୟ କୃତି। ସେ ପଦ୍ମଶ୍ରୀ, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ବିଷୁବ ପୁରସ୍କାର, ଉତ୍କଳ ରତ୍ନ, ନୀଳଶୈଳ ପୁରସ୍କାର ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେହି ମହାନ୍ କବି ତଥା ଓଡ଼ିଆ କାବ୍ୟ ଜଗତକୁ ନୂତନ ଦିଗ ଦେଇଥିବା ରାଧାମୋହନ ଗଡ଼ନାୟକ ୨୦୦୦ ମସିହା ଫେବୃୟାରୀ ମାସ ୨୧ ତାରିଖରେ ଏହି ଦୁନିଆ ଛାଡ଼ି ଚ଼ାଲି ଯାଇଥିଲେ। ଆଜି ତାଙ୍କର ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ କୋଟି କୋଟି ପ୍ରଣାମ କରୁଛି।