ବିପ୍ଲବିନୀ ସରଳା ଦେବୀ

✍🏼 ବିଶ୍ବବିଜୟୀ ଦାଶ

ଓଡ଼ିଶାର ଯେଉଁ କେତେଜଣ ମହୀୟସୀ ମହିଳା ସ୍ୱାଧୀନତା ଆନ୍ଦୋଳନ ଓ ସାହିତ୍ୟ ସେବା କ୍ଷେତ୍ରରେ ଅବତୀର୍ଣ୍ଣା ହୋଇ ଆମ ସମାଜକୁ ଦିଗ୍‌ଦର୍ଶନ ଦେବା ସହ ନାରୀସମାଜକୁ ଉପରକୁ ଉଠାଇବା ପାଇଁ ଅହରହ ଉଦ୍ୟମ କରୁଥିଲେ, ସେହି ମହୀୟସୀ ମହିଳା ମାନଙ୍କ ଭିତରୁ ସରଳା ଦେବୀ ଅନ୍ୟତମ ।ସରଳା ଦେବୀ ୧୯୦୪ ମସିହା ଅଗଷ୍ଟ ୧୯ ତାରିଖରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସରଳା ଦେବୀ ପିଲାଟି ବେଳୁ ଶାନ୍ତ, ସରଳ, ଦୃଢମନା ଓ ସ୍ପଷ୍ଟବାଦିନୀ ଥିଲେ । ନିଜର ସାମାଜିକ ଚଳଣି, ଶିକ୍ଷା ଓ ସଂସ୍କାର ସହ କୌଣସି ପ୍ରକାର ଅବହେଳା କରୁନଥିଲେ । ଆଗରୁ ଚଳି ଆସୁଥିବା ପାରମ୍ପରିକ ଜୀବନ ଶୈଳୀ ଅପେକ୍ଷା ସେ ନିଜ ସହଜତାକୁ ନେଇ ଚଳିବା ବେଶି ପସନ୍ଦ କରୁଥିଲେ । ସେ ସମୟର ରୀତି ନୀତି ତାଙ୍କୁ ଭଲ ଲାଗୁନଥିଲା । ନାରୀ ମାନଙ୍କର ଅସହାୟ ଅବସ୍ଥାକୁ ସେ ଖୁବ୍ କମ୍ ବୟସରୁ ବୁଝିପାରିଥିଲେ ପୁରୁଷ ମାନେ ସବୁ ପ୍ରକାର ସୁବିଧା ସୁଯୋଗ ଭୋଗ କରୁଥିବା ବେଳେ, ନାରୀମାନଙ୍କୁ କରାଯାଉଥିବା ଉପେକ୍ଷା ଓ ଅବହେଳା ତାଙ୍କୁ ଖୁବ୍ ବାଧୁଥିଲା ।ସେସବୁର ପ୍ରତିକାର ପାଇଁ ସେ ପିଲାବେଳୁ ଚିନ୍ତିତ ଥିଲେ । ସେ ସମୟରେ ସେ ଦିଅଁ ଦେବତା, ପୂଜାପାଠ, ଧର୍ମଶାସ୍ତ୍ର ଓ ଉପବାସ ଆଦିରେ ବିଶ୍ୱାସ କରୁଥିଲେ । ଘରୋଇ ଶିକ୍ଷକଙ୍କଦ୍ୱାରା ସେ ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ।ତଥାପି ଅନ୍ୟାନ୍ୟ ଭାଷା ଜାଣିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଥିଲା । ବଙ୍ଗଳା ସାହିତ୍ୟକୁ ସେ ବହୁତ୍ ଭଲ ପାଉଥିଲେ । ଖୁବ୍ କମ୍ ଦିନ ମଧ୍ୟରେ ସେ ବହୁତ ବହି ଓ ପତ୍ର ପତ୍ରିକା ପଢ଼ି ଶେଷ କରିଥିଲେ । ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ଲିଖିତ ଉପନ୍ୟାସ, କବିତା ଓ ବତ୍କୃତା ତାଙ୍କୁ ବେଶି ପ୍ରଭାବିତ କରିଥିଲା । ସେବେଠାରୁ ସେ ନାରୀ ମାନଙ୍କ ଭିତରେ ଥିବା ଅଜ୍ଞାନତା ଓ କୁସଂସ୍କାର ଦୂର କରିବା ପାଇଁ ମନେ ମନେ ସଂକଳ୍ପ ନେଇଥିଲେ । ସମାଜରୁ କୁସଂସ୍କାର ଦୂର ନକଲେ ଦେଶର ଉନ୍ନତି ସମ୍ଭବ ନୁହେଁ, ସେ ଏହା ବୁଝିପାରିଥିଲେ ।ରବୀନ୍ଦ୍ରନାଥଙ୍କ ଅମୀୟ ବାଣୀ “ନ ଜାଗିଲେ ସବୁ ଭାରତ ଲଳନା, ଏ ଭାରତ ଆମର ଜାଗେନା” ତାଙ୍କ ପାଇଁ ଚରମ ବାଣୀ ହୋଇସାରିଥିଲା । ବୟସ ପ୍ରାପ୍ତ ହେଲାରୁ, ଜଗତସିଂହପୁର ଅନ୍ତର୍ଗତ ଚାଟରା ଗ୍ରାମର ଭାଗୀରଥି ମହାପାତ୍ରଙ୍କ ସହିତ ସରଳା ଦେବୀଙ୍କର ବିବାହ ସମ୍ପାଦିତ ହୋଇଥିଲା । ଅଭିଜାତ ପରିବାରରେ ଜନ୍ମ ହୋଇଥିବା ସରଳା, ଜମିଦାର ପରିବାରକୁ ବୋହୁ ହୋଇ ଯାଇଥିଲେ ମଧ୍ୟ ତାଙ୍କ ମନରେ ଗର୍ବ ନଥିଲା । ସ୍ୱାମୀ ଭାଗିରଥି ମହାପାତ୍ର ଜଣେ ସ୍ୱାଧୀନଚେତା ବ୍ୟକ୍ତି ଥିଲେ ।

୧୯୨୦ ମସିହା ଅଗଷ୍ଟ ପହିଲାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ସରକାରୀ କୋର୍ଟ କଚେରୀ ବର୍ଜନ ଏହି ଆନ୍ଦୋଳନରେ ଗୋଟିଏ କାର୍ଯ୍ୟକ୍ରମ ଥିଲା । ଭାଗିରଥି ମହାପାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ହେତୁ ଓକିଲାତି ଛାଡି ଦେଲେ । ସରଳା ଦେବୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା । ୧୯୨୧ ମସିହା ମାର୍ଚ୍ଚ ମାସରେ ଗାନ୍ଧୀଜୀ କଟକ ଆସିଲେ । କଟକ ବାଲୁବଜାର ପାଖରେ ସେ ଗୋଟିଏ ମହିଳା ସଭାରେ ନାରୀ ମାନଙ୍କୁ ସୂତା କାଟି ଖଦି ପିନ୍ଧିବାକୁ, ପରଦା ଛାଡିବାକୁ, ଛୁଆଁ ଅଛୁଆଁ ନମାନିବାକୁ ଉଦ୍ୱୋଧନ ଦେଲେ । ସେହି ସଭାରେ ସରଳା ଦେବୀ ମଧ୍ୟ ଉପସ୍ଥିତ ଥିଲେ । ସେହିଠାରୁ ସେ ପରଦା ପ୍ରଥାକୁ ବର୍ଜନ କଲେ ଓ ଗାନ୍ଧୀଙ୍କର ଅନ୍ୟ ସମସ୍ତ ନୀତିକୁ ମଧ୍ୟ ଅନୁସରଣ କଲେ । ତା ପରେ ସେ କଂଗ୍ରେସର ସଭ୍ୟା ହେଲେ । ସେତେବେଳେ ସଭ୍ୟପଦ ପାଇଁ ନିୟମ ଥିଲା ଯେ, କଂଗ୍ରେସକୁ ଚାରିଅଣା ପଇସା ଦେଇ ରସିଦ୍ ଖାତାରେ ଦସ୍ତଖତ କରିବାକୁ ପଡିବ । ଏହି ଦସ୍ତଖତ ବା ଟିପ ଚିହ୍ନ କଂଗ୍ରେସର ସଭ୍ୟ ଭାବରେ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରୁଥିବାର ପ୍ରମାଣ ରୂପେ ଗ୍ରହଣ କରାଯାଉଥିଲା । କାରଣ କଂଗ୍ରେସ ରସିଦ୍ ବହିରେ ଲେଖା ଥିଲା – “ମୁଁ ଶାନ୍ତି ପୂର୍ଣ୍ଣ ଓ ନ୍ୟାୟ ସଂଗତ ଉପାୟରେ ଭାରତର ସ୍ୱାଧୀନତା ପ୍ରାପ୍ତିରେ ବିଶ୍ୱାସ କରେ । ” ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ଗୋପବନ୍ଧୁ ଦାସ ଚାହୁଁଥିଲେ । ସେଥିପାଇଁ ସେ ଗାନ୍ଧୀଜୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ଏବଂ ସେହି ନିମନ୍ତ୍ରଣ ରକ୍ଷା କରି ଗାନ୍ଧିଜୀ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ । ତାଙ୍କ ସହିତ ପତ୍ନୀ କସ୍ତୁରବା ମଧ୍ୟ ଆସିଥିଲେ । ସେମାନଙ୍କ ଆଗମନ ହେତୁ କଟକ କାଠଯୋଡ଼ି ନଦୀ ପଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶାର ମହିଳା ମାନେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିଲେ । ହେଲେ ସେତେବେଳେ ଏଭଳି ହେବା ସମ୍ଭବ ନଥିଲା । ସରଳା ଦେବୀ କଟକ ସହରର ଗଳିକନ୍ଦି ବୁଲି ମହିଳାମାନଙ୍କୁ ଗାନ୍ଧିଜୀଙ୍କ ସଭାରେ ଯୋଗ ଦେବାପାଇଁ ବୁଝାଇଥିଲେ । ତାଙ୍କର ନିଷ୍ଠା ଓ ଉଦ୍ୟମ ସଫଳ ହୋଇଥିଲା ଓ ସେହି ସଭାରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । ଏହି ସଭାରେ ଗାନ୍ଧିଜୀ ହିନ୍ଦୀରେ ଯେଉଁ ଭାଷଣ ଦେଇଥିଲେ , ସରଳା ଦେବୀ ତାକୁ ଓଡ଼ିଆରେ ଅନୁବାଦ କରି ଅନ୍ୟମାନଙ୍କୁ ବୁଝାଉଥିଲେ । ଗାନ୍ଧିଜୀଙ୍କ ଆହ୍ୱାନରେ ବହୁ ମହିଳା ନିଜର ଅଳଙ୍କାର ମାନ ଖୋଲି ସ୍ୱରାଜ ପାଣ୍ଠିକୁ ଦାନ କରିଥିଲେ । ପାଖରେ ଥିବା ସବୁ ଟଙ୍କା ପଇସା ମଧ୍ୟ ଦେଇଦେଇଥିଲେ । ସେମାନଙ୍କ ସହ ସରଳାଦେବୀ ମଧ୍ୟ ନିଜର ସ୍ୱର୍ଣ୍ଣ ଅଳଙ୍କାର ଦାନ କରିବା ସହ ଭବିଷ୍ୟତରେ ଆଉ ଅଳଙ୍କାର ପିନ୍ଧିବେ ନାହିଁ ବୋଲି ଘୋଷଣା କରିଥିଲେ । ସେହିଦିନଠାରୁ ସେ ସ୍ୱରାଜର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ପଣ କରିଥିଲେ ।

୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଘୋଷଣା ହେବାପରେ ପ୍ରାଦେଶିକ ସ୍ୱାୟତ୍ତ ଶାସନର ଚଳଣିରେ ଓଡ଼ିଶାରେ କଂଗ୍ରେସ ପକ୍ଷରୁ ବିଧାନ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଠିଆ କରାଯାଇଥିଲା ଏବଂ ସେ ସମୟରେ ସରଳା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାଗ ନେଇ ବିଧାନ ସଭାକୁ ନିର୍ବାଚିତ ହେଇଥିଲେ । ସେ ଥିଲେ ଓଡ଼ିଶା ବିଧାନ ସଭାରେ ପ୍ରଥମ ମହିଳା ବିଧାୟିକା । ବିଧାନ ସଭାରେ ବାଲ୍ୟ ବିବାହ ଆଇନ ସଂଶୋଧନ ଓ ପୋଇଲି ପ୍ରଥାକୁ ଉଠାଇ ଦେବା ପାଇଁ ବିଭିନ୍ନ ଆଇନ୍ ପ୍ରଣୟନ କରିବାକୁ ବିଲ୍ ଆଗତ କରିଥିଲେ । ସେ ସମାଜରେ ପ୍ରଚଳିତ କୁପ୍ରଥା ବିରୋଧରେ ବିଧାନ ସଭାରେ ମଧ୍ୟ ସ୍ୱର ଉଠାଇଥିଲେ । ବିଧାୟିକା ହେବା ଫଳରେ ଆଇନ୍ ବଳରେ ଏହି ପ୍ରଥାକୁ ଉଠାଇ ଦେବା ପାଇଁ ସେ ଦୃଢ଼ ପରିକର ହୋଇଥିଲେ । ତାଙ୍କ ଉଦ୍ୟମ ଫଳରେ ଏହି ବିଲ୍ ବିଧାନ ସଭାରେ ଗୃହୀତ ହୋଇଥିଲା । ସେ ବିଧାନ ସଭାରେ ଗୋଟିଏ ଦିନ ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ । ବ୍ରିଟିଶ୍ ଆମଳରେ ବିଧାନ ସଭାରେ ସମସ୍ତ କାର୍ଯ୍ୟ ଇଂରାଜୀ ଭାଷାରେ ହେଉଥିବା ବେଳେ, ସରଳା ବାଚସ୍ପତି ଆସନରେ ବସି ସେଦିନର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ନିର୍ଧାରଣ କରିବାର ନିର୍ଦ୍ଦେଶ ଦେଇଥିଲେ ।ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ଗ୍ରହଣ କରିବାର ପ୍ରୟାସରେ ସେ ଥିଲେ ପ୍ରଥମ ଓ ଅଗ୍ରଗଣ୍ୟ ମହିଳା । ୧୯୪୨-୧୯୫୨ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ସମବାୟ ବ୍ୟାଙ୍କର ପ୍ରଥମ ମହିଳା ନିର୍ଦ୍ଦେଶକ ଥିଲେ । ଓଡ଼ିଆର ଏବଂ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା । ସରଳା ଦେବୀ ସେତେବେଳେ ଗଞ୍ଜାମ ଜିଲ୍ଲାରେ “ଉଦ୍ଯୋଗ ମନ୍ଦିର” ନାମକ ସଂସ୍ଥା ସ୍ଥାପନ କରି ଗ୍ରାମାଞ୍ଚଳରେ ବୁଲି ସତ୍ୟାଗ୍ରହୀ ସଂଗ୍ରହ କରିବାରେ ଲାଗିପଡିଥିଲେ । ତାଙ୍କ ପ୍ରଚେଷ୍ଟାରେ ହେମଲତା ଦେବୀ, ଶୋଭାବତୀ ପଣ୍ଡା ପ୍ରମୁଖ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ । ବହୁ ପୁରୁଷ ସତ୍ୟାଗ୍ରହୀ ମଧ୍ୟ ଏଥିରେ ରହି ଦଲବଦ୍ଧ ହୋଇ ଲୁଣ ମାରି ଲବଣ ଆଇନ୍ ଭଙ୍ଗ କରିଥିଲେ ଓ ଗିରଫ ହୋଇ ଦଣ୍ଡ ଭୋଗୁଥିଲେ । ଯେତେବେଳେ ସରଳା ଦେବୀ ନିଜେ ଲବଣ ଆଇନ୍ ଭାଙ୍ଗିବାର ଘୋଷଣା କଲେ, ସେତେବେଳେ ସରକାରଙ୍କ ଚେତନା ପଶିଲା । ଦିନେ ସେ “ମାନ୍ଦ୍ରାଜ୍ ମେଲ୍”ରେ ଯାଉଥିଲେ । ହଠାତ୍ ଏହା ଗୋଟିଏ ନିର୍ଜନ ସ୍ଥାନରେ ଠିଆ ହୋଇଗଲା । କିନ୍ତୁ ଏହି ରେଳଟି ବଡ଼ ବଡ଼ ଷ୍ଟେସନ୍ ଛଡା ଆଉ କୋଉଠି ଅଟକେନାହିଁ । ସେଦିନ ଗାଡି କାହିଁକି ଅଟକିଲା ବୋଲି ଯାତ୍ରୀମାନେ କାରଣ ଖୋଜିବା ବେଳକୁ ଦଳେ ପୋଲିସ୍ ଜଣେ ଯୁବତୀଙ୍କୁ ରେଳରୁ ଓହ୍ଲାଇ , ପୋଲିସ୍ ଗାଡ଼ିରେ ବସାଇ ନେଇଗଲେ । ସେମାନେ ଜାଣିପାରିଲେ ଯେ ସେ ଯୁବତୀ ଜଣକ ସରଳା ଦେବୀ । ବ୍ରିଟିଶ୍ ସରକାରଙ୍କ ଭୟ ଥିଲା କାଳେ ତାଙ୍କୁ ସର୍ବସାଧାରଣରେ ଗିରଫ କଲେ, ସାଧାରଣ ଜନତା ଉତ୍ତେଜିତ ହୋଇଯିବେ ତେଣୁ ସେ ରେଳରେ ଯାତ୍ରା କରୁଥିବା ସମୟରେ ନିଛାଟିଆ ଜାଗାରେ ରେଳ ଅଟକାଇ ତାଙ୍କୁ ଗିରଫ କରିନେଇଥିଲେ । ପରେ ତାଙ୍କୁ ସୁଦୂର ଭେଲୋର୍ ଜେଲ୍ ପଠାଯାଇଥିଲା । ସେ ଥିଲେ କାରାବରଣ କରିଥିବା ଓଡ଼ିଶାର ପ୍ରଥମ ନାରୀ । ୬ ମାସ ପରେ ସେହି ବର୍ଷ ଡିସେମ୍ବର ୮ ତାରିଖ ଦିନ ତାଙ୍କୁ ସେଠାରୁ ଖଲାସ କରାଯାଇଥିଲା । ୧୯୩୦ ମସିହା ଲବଣ ସତ୍ୟାଗ୍ରହ, ନିଶା ନିବାରଣ ଓ ବିଦେଶୀ ପଦାର୍ଥ ବର୍ଜନ ଆନ୍ଦୋଳନ ଖୁବ୍ ପ୍ରବଳ ହେଲା । ଶେଷରେ ବ୍ରିଟିଶ୍ ସରକାର ଉପାୟହୀନ ହୋଇ ୧୯୩୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହ ସନ୍ଧି କରିଥିଲେ । ଓଡ଼ିଶାରେ ସରଳା ଦେବୀ ଏହିସବୁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
ସରଳା ଦେବୀ ଅଳ୍ପ ବୟସରୁ ସାହିତ୍ୟ ଚର୍ଚ୍ଚା ଆରମ୍ଭ କରିଥିଲେ । ସେ ଯୁଗରେ “ପରିଚାରିକା” ନାମକ ଗୋଟିଏ ମାସିକ ପତ୍ରିକା କିଛି ବର୍ଷ ପ୍ରକାଶିତ ହୋଇଥିଲା । ବସନ୍ତ କୁମାରୀ ଦେବୀ ଏହି ପତ୍ରିକାର ସମ୍ପାଦିକା ଥିଲେ । ସରୋଜିନୀ ଦେବୀ, କୋକିଳ ଦେବୀ, ପ୍ରମିଳା ସୁନ୍ଦରୀ ଦେଇ, ରମା ସୁନ୍ଦରୀ ଦେଇ, କାଞ୍ଚନ ମଣି ଦେଇ ପ୍ରମୁଖ ବହୁ ମହିଳାଙ୍କ ରଚନା ସେହି ପତ୍ରିକାରେ ପ୍ରକାଶିତ ହୋଇଥିଲା । ପକ୍ଷ ୧୩୨୫ରୁ ୧୩୨୭ ମଧ୍ୟରେ ଛପା ହୋଇଥିବା “ପରିଚାରିକା”ରେ ସରଳା ଦେବୀଙ୍କର ମଧ୍ୟ ବହୁ ରଚନା ଦେଖିବାକୁ ମିଳେ । ସେଗୁଡିକ ଭିତରୁ “ଧୌର୍ଯ୍ୟଶାଳୀ ସାମ୍ରାଜ୍ଞି – ଶୈବ୍ୟା”, “କଳ୍ପିତ ମୃତ୍ୟୁ” ଓ “ପ୍ରତୀକ୍ଷା” ଅନ୍ୟତମ । ୧୫ ବର୍ଷ ବୟସରୁ ତାଙ୍କର ଏଭଳି ରଚନାରୁ ତାଙ୍କର ସାହିତ୍ୟିକ ପ୍ରତିଭାର ପରିଚୟ ମିଳିଥିଲା । ତାଙ୍କ ଭିତରେ ସୃଜନଶୀଳ ସାହିତ୍ୟ ପ୍ରତିଭା ପୂରି ରହିଥିଲା । ଅଳକା ଆଶ୍ରମରୁ ପ୍ରକାଶିତ ହାତଲେଖା “ଅଳକା” ଠାରୁ ଆରମ୍ଭ କରି “ସରକାର”,”ନବ ଭାରତ” ଇତ୍ୟାଦି ଓଡ଼ିଶାର ବିଶିଷ୍ଟ ପତ୍ର ପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶ ପାଉଥିଲା । ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପଲବ୍ଧି କରି ଲୋକ ଶିକ୍ଷା ଉଦ୍ଦେଶ୍ୟରେ ଗାଁ ଲୋକଙ୍କ କଥା, ନାରୀର ଆଇନଗତ ଅଧିକାର ଆଦି ବିଷୟରେ ଛୋଟଛୋଟ ପୁସ୍ତକ ରଚନା କରି ତାହାର ପ୍ରଚାର ପ୍ରସାର କରିଥିଲେ । “ହିନ୍ଦୁସ୍ତାନ ଗ୍ରନ୍ଥମାଳା” ନାମକ ସଂସ୍ଥା ସ୍ଥାପନ କରି ସେ ତା’ର ସମ୍ପାଦିକା ହୋଇଥିଲେ । ନାରୀର ଆର୍ଥିକ ଅବସ୍ଥା ବିଷୟରେ ତାଙ୍କର ଗବେଷଣା, ଭାଷଣ ଓ ରଚନା ସେତେବେଳେ ସମାଜ ମଧ୍ୟରେ ଏକ ଆଲୋଡନ ସୃଷ୍ଟି କରିଥିଲା । ସେ “ସବିତା” ନାମକ ଗୋଟିଏ ପତ୍ରିକାର ସମ୍ପାଦନା ସହ ସେଥିରେ ନିଜର ମତାମତ ମଧ୍ୟ ପ୍ରକାଶ କରୁଥିଲେ । ୧୯୩୫ ମସିହାରେ “ଭାରତୀୟ ମହିଳା ପ୍ରସଙ୍ଗ” ନାମରେ । ତାଙ୍କର ଏକ ପ୍ରବନ୍ଧ ପୁସ୍ତକ ଓ ନାରୀ ଜଗତ ନାମକ ଏକ ପ୍ରବନ୍ଧ ଗ୍ରନ୍ଥ ହିନ୍ଦୁସ୍ତାନ ସାହିତ୍ୟ ମନ୍ଦିର ପ୍ରକାଶ କରିଥିଲା ।ଏଥିରେ ବିଭିନ୍ନ ଦେଶରେ ଦେଖା ଦେଇଥିବା ନାରୀ ଜାଗରଣ ବିଷୟରେ ଆଲୋଚନା କରାଯାଇଥିଲା । ୧୯୫୮ ମସିହାରେ ବିଶ୍ୱ ବିପ୍ଲବୀଣି ନାମକ ତାଙ୍କର ଏକ ପୁସ୍ତକକଟକ ପବ୍ଲିସିଂ ହାଉସ୍ ପ୍ରକାଶ କରିଥିଲା । ଏଥିରେ ବିଶ୍ୱ ତଥା ଭାରତର ବିପ୍ଲବିଣୀ ନାରୀମାନଙ୍କର ଜୀବନ କାହାଣୀ ସଂକ୍ଷେପରେ ପ୍ରକାଶ କରାଯାଇଥିଲା । ଏହାବ୍ୟତୀତ “ରାୟ ରାମନନ୍ଦ”, “ସରଳା ମହାଭାରତରେ ନାରୀ ଚରିତ୍ର” , ବାସନ୍ତୀ ପ୍ରଭୃତି ଗ୍ରନ୍ଥ ଓ ଉପନ୍ୟାସରେ ବିଶେଷଭାବେ ଅବଦାନ କରିଥିଲେ ।

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ୱାରା ଗଠିତ ନ୍ୟାସନାଲ ପ୍ଲାନିଙ୍ଗ କମିଟିରେ ସରଳା ଦେବୀ ସଦସ୍ୟା ରହି ଓଡ଼ିଶାର ମଙ୍ଗଳ ପାଇଁ ଅନେକ ଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ୧୯୪୧ ମସିହାରେ କଂଗ୍ରେସ ତରଫରୁ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଓଡ଼ିଶାରୁ ଗାନ୍ଧିଜୀ, ସରଳା ଦେବୀଙ୍କୁ ତାହାର ପ୍ରଥମ ସତ୍ୟାଗ୍ରହୀ ରୂପେ ବାଛିଥିଲେ । ସେ ଯୁଦ୍ଧ ବିରୋଧୀ ଧ୍ୱନି ଦେଇ ୬ ମାସ କାଳ କାରାବରଣ କରିଥିଲେ । ୧୯୫୫ ମସିହା ସୀମା ଆନ୍ଦୋଳନ ଓ ୧୯୫୮ ମସିହା ଛାତ୍ର ଆନ୍ଦୋଳନରେ ସେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ । ୧୯୮୬ ମସିହା ଆକ୍ଟୋବର ୪ ତାରିଖ ଦିନ ୮୨ ବର୍ଷ ବୟସରେ ସରଳା ଦେବୀଙ୍କର ପରଲୋକ ହୋଇଥିଲା । ଓଡ଼ିଶାର ନାରୀ ଆନ୍ଦୋଳନର କର୍ଣ୍ଣଧାର, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବରେଣ୍ୟ ଲେଖିକା ସରଳା ଦେବୀଙ୍କ ମୃତ୍ୟୁ ଓଡ଼ିଶା ଇତିହାସରେ ବିରାଟ ଦୁର୍ବିପାକ ସଦୃଶ ଲିପିବଦ୍ଧ ହୋଇ ରହିଯାଇଛି । ଏହି ମହୀୟସୀ ମହିଳାଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ ଶତ ଶତ ପ୍ରଣାମ ।

ଯୁବ ସ୍ତମ୍ଭକାର
ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ମୋବାଇଲ: ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.