T-20 ଶେଷ ମ୍ୟାଚ୍ ଖେଳିବେନି ବିରାଟ କୋହଲି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍‌ ଆଜି ଇନ୍ଦୋରରେ ଖେଳାଯିବ । ଭାରତ ଆଗୁଆ ଏହି ଟି-୨୦ ସିରିଜ୍‌କୁ ଜିତି ସାରିଥିବାରୁ ଆଜିର ମ୍ୟାଚ୍‌ରେ ନିଜର ବେଞ୍ଚ ଷ୍ଟ୍ରେନ୍ଥକୁ ଆକଳନ କରିବ । ବିଶ୍ୱକପ ପୂର୍ବରୁ ଏହା ଶେଷ ଟି-୨୦ ମ୍ୟାଚ୍‌ । ତେଣୁ ଆଜି ଭାରତ ଅନେକ ପରୀକ୍ଷାନୀରିକ୍ଷା କରିପାରେ। ଏସବୁ ଭିତରେ ଆଜି ଷ୍ଟାର ବ୍ୟାଟର ତଥା ନିକଟରେ ଫର୍ମକୁ ଫେରିଥିବା ବିରାଟ କୋହଲି ଖେଳିବେ ନାହିଁ । ବିଶ୍ୱକପ ପୂର୍ବରୁ ବିରାଟଙ୍କୁ ବିଶ୍ରାମ ଦରକାର ଥିବାରୁ ବିସିସିଆଇ ଓ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ରୁ ବାଦ ଦେଇଛି । ଅର୍ଥାତ ତାଙ୍କୁ ଏହି ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଛି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଶେଷ ହେବା ପରେ ମୁମ୍ବାଇରେ ଟି-୨୦ ବିଶ୍ୱକପ ପାଇଁ ଯିବାକୁ ଥିବା ସ୍କ୍ୱାଡରେ ସିଧାସଳଖ ଯୋଗଦେବେ । ସେଠାରୁ ସମସ୍ତେ ଏକାଠି ମେଲବର୍ଣ୍ଣ ଗସ୍ତ କରିବେ । ଅକ୍ଟୋବର ୬ ତାରିଖରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଅଷ୍ଟ୍ରେଲିଆ ଗସ୍ତ କରିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ରେ କୋହଲି ୨୮ ବଲରେ ଅପରାଜିତ ୪୯ ରନର ଇନିଂସ ଖେଳିଥିଲେ । ଭାରତର ଦ୍ୱିତୀୟ ମ୍ୟାଚକୁ ୧୬ ରନରେ ଜିତିବା ସହ ସିରିଜ କବଜା କରିଥିଲା । ପ୍ରଥମଥର ପାଇଁ ଟିମ୍‌ ଇଣ୍ଡିଆ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାକୁ ଭାରତରେ ଖେଳାଯାଉଥିବା କୌଣସି ଟି-୨୦ ସିରିଜ୍‌ରେ ହରାଇବାର ରେକର୍ଡ ମଧ୍ୟ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.