ଟଙ୍କା ଲୋଭରେ ନିଜ ସ୍ତ୍ରୀକୁ ଅନ୍ୟ ଜଣଙ୍କ ସହ ବିବାହ କରାଇଦେଲା ସ୍ବାମୀ: ଅଭିଯୁକ୍ତ ସ୍ବାମୀକୁ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ/ ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଅନ୍ୟ ଜଣକୁ ବିବାହ କରିଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇଁ ନର୍ଲା ଥାନାରେ ଅଭିଯୋଗ ହେବାପରେ ପୋଲିସ ସମ୍ପୃକ୍ତ ସ୍ୱାମୀଙ୍କୁ କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ନର୍ଲା ଥାନା ଅନ୍ତର୍ଗତ ମୁଣ୍ଡାଗାଁର କୁଳମଣି ଭୋଇଙ୍କ ଝିଅ ପୂର୍ଣ୍ଣମୀ (୨୨)ଙ୍କୁ ମସ୍କାଗୁଡା ଗ୍ରାମର କ୍ଷିରା ବେରୁକ ପ୍ରେମ ବିବାହ କରିଥିଲେ। ବିବାହର ୧ ବର୍ଷ ସେମାନେ ସୁନ୍ଦର ଭାବରେ ଜୀବନ ଯାପନ କରିଥିଲେ।

ଗତ ୩୦ ତାରିଖରେ କୌଣସି କାରଣରୁ ଦାଦନ ଖଟିବାକୁ ସ୍ବାମୀ, ସ୍ତ୍ରୀ ଦୁହେଁ ଦିଲ୍ଲୀକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ୨ ତାରିଖ ସ୍ବାମୀ କ୍ଷୀରା ବେରୁକ୍ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ହାତରେ ନିଜର ସ୍ତ୍ରୀ ପୂର୍ଣ୍ଣମୀ ଭୋଇଙ୍କୁ ପଇସା ଲୋଭରେ ବିବାହ କରିଦେଇଥିବା ଅଭିଯୋଗ ହୋଇଛି। ଏହାପରେ କ୍ଷୀରା ନିଜ ଘରକୁ ଚାଲି ଆସିଥିଲେ। ଗତ ୫ ତାରିଖ ପୂର୍ଣ୍ଣିମା ଘଟଣା ବିଷୟରେ ବାପା କୁଳମଣି ଭୋଇଙ୍କୁ ଫୋନ୍ କରି ସବୁକଥା କହିଥିଲା। ପରେ ପରେ ୬ ତାରିଖ ମଙ୍ଗଳବାର କୁଳମଣି ଭୋଇ ନିଜର ଜ୍ବାଇଁ କ୍ଷୀରାଙ୍କ ନାମରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନର୍ଲା ପୋଲିସ ଏ ନେଇ ଏକ ମାମଲା(ନଂ ୯/୨୨) ରୁଜୁ କରିବା ସହ କ୍ଷୀରାଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରିବା ପରେ କୋର୍ଟ ଚାଲାଣ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.