ମାଣ୍ଡିଆ ଚାଷକୁ ଗୁରୁତ୍ବ: ରାଜ୍ୟ ସରକାରଙ୍କ ଏକ ଉତ୍ତମ ପଦକ୍ଷେପ

ହଜାର ହଜାର ବର୍ଷ ତଳୁ ଓଡ଼ିଶାର କୃଷକମାନେ ମାଣ୍ଡିଆ ଚାଷ କରି ଆସୁ୍ଥିଲେ । ସେହି ସମୟରେ ଜନସାଧାରଣ ମାଣ୍ଡିଆର ଉତ୍ତମ ଗୁଣ ସହ ସୁପରିଚିତ ଥିଲେ । ମାଣ୍ଡିଆ ଏକ ଉତ୍ତମ ଖାଦ୍ୟ ଏବଂ ମଣିଷ ଶରୀର ପାଇଁ ଅତି ଉପଯୋଗୀ ଥିବା ଯୋଗୁଁ ଓଡିଶାର ବିଭିନ୍ନ ପ୍ରାନ୍ତ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହାର ବିଶେଷ ଚାହିଦା ରହିଥିଲା । ଲୋକେ ଧାନ ପରେ ପରେ ମାଣ୍ଡିଆକୁ ଅନ୍ୟତମ ମୁଖ୍ୟ ଶସ୍ୟ ଭାବେ ଚାଷ କରୁଥିଲେ । ତେବେ ଗତ କିଛି ଦଶନ୍ଧି ତଳୁ ଧୀରେ ଧୀରେ ଏହାର ଚାହିଦା କମିବାକୁ ଲାଗିଲା । ଏହି ଚାଷ ଲୁପ୍ତ ହେବାକୁ ବସିବା ସମୟରେ ରାଜ୍ୟ ସରକାର ମିଲେଟ ମିଶନ ଜରିଆରେ ଏହି ଶସ୍ୟ ଚାଷକୁ ପ୍ରୋତ୍ସାହିତ କରିବାରୁ ଓଡ଼ିଶାର ହଜାର ହଜାର ଏକର ଜମିରେ ପୁଣି ଥରେ ଲହଡ଼ି ଭାଙ୍ଗୁଛି ମାଣ୍ଡିଆ କେଣ୍ଡା । ଏବେ ମାଣ୍ଡିଆ ଚାଷରେ ଲାଭ ଏବଂ ସ୍ୱାସ୍ଥ୍ୟପ୍ରତି ଲାଭ ଜାଣିବା ପରେ ପୁଣି ଥରେ ମାଣ୍ଡିଆ ଚାଷକୁ ଗୁରୁତ୍ବ ଦେଉଛନ୍ତି ଚାଷୀ । ସେଥିପାଇଁ ସରକାରୀଙ୍କ ପକ୍ଷରୁ ଉତ୍ତମ ବିହନ, ବୈଷୟିକ ଜ୍ଞାନ କୌଶଳ ଏବଂ ସରକାରୀ ସହାୟତା ଯୋଗାଇ ଦିଆଯାଉଛି । ଧାନର ସହାୟକ ମୂଲ୍ୟ ଅପେକ୍ଷା ମାଣ୍ଡିଆରେ ଦୁଇ ଗୁଣ ମିଳୁଛି । ରୋଗ ପୋକର ଚିନ୍ତା ବି ନାହିଁ । ଧାନ ଚାଷ ଭଳି ପାଣିର ଏତେ ଆବଶ୍ୟକ ନାହିଁ ପୁଣି ମାଣ୍ଡିଆକୁ ଥରେ ଚାଷ କଲେ ତିନି ଥର ଅମଳ ହେବ ।

ଏବେ ରାଜ୍ୟର ୧୮ ଟି ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରୀ ହେଉଛି। ଓଡ଼ିଶା ମିଲେଟ ମିଶନ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମଧ୍ୟ ମିଳି ସାରିଛି । କେନ୍ଦ୍ର ସରକାର ଏହି ମଡେଲକୁ ଆପଣାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରଣାଳୟ ଓ ବିଭାଗରେ ହେବାକୁ ଥିବା ମିଟିଂ ଓ କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ଲଡୁ, ମିକ୍ସଚର, ସ୍ନାକ୍ସ୍, ପୁରି, ଇଡିଲି, ଦୋଷା ଓ ବିସ୍କୁଟ୍ ପରଷିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ ନୀତି ଆୟୋଗ ମଧ୍ୟ ଏହାକୁ ଏକାଧିକ ଥର ପ୍ରଶଂସା କରିଛନ୍ତି । ଜାତିସଂଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‍ ବର୍ଷ ଭାବରେ ଘୋଷଣା କରାଯାଇଛି ।

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମିଲେଟ୍‍ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି । କୃଷି ଓଡ଼ିଶାରେ ମିଲେଟ୍‍ ଏବେ ‘ମାସ୍କଟ’ ଭାବେ ପରିଚିତ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆର ପ୍ରଚାର ପ୍ରସାର ଓ ଖାଦ୍ୟ ଥାଳିରେ ଲଘୁ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍‍ ମିଶନ୍‍’ । ଓଡ଼ିଶା ମିଲେଟ୍‍ ମିଶନ ପକ୍ଷରୁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମିଶନ୍‍ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ୍‍ ଶକ୍ତି ଆଉଲେଟ୍‌ ଓ କାଫେ ଖୋଲାଯାଉଛି । ୨୦୧୮-୧୯ ରେ ୫ ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ ୨୦୨୦-୨୧ ରେ ୨୪ ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି । ୨୦୧୮-୧୯ ରେ ୧୮ ହଜାର କୁଇଣ୍ଟାଲ, ୨୦୧୯-୨୦ ରେ ୯୪ ହଜାର କୁଇଣ୍ଟାଲ ଓ ୨୦୨୦-୨୧ ରେ ୧ ଲକ୍ଷ ୯୪ ହଜାର ୪୮୦ କ୍ୱିଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି ।

ମାର୍ଗଶିର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରିଛି ସାରା ଓଡ଼ିଶା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି – ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ପୁଷ୍ଟି ଯୋଗାଉଛି । ଆମ ରାଜ୍ୟରେ ଛୋଟ ଚାଷୀ, ଗରିବ ଆଦିବାସୀ ଚାଷୀ ମାଣ୍ଡିଆ ଚାଷ କରିଥାନ୍ତି । ସେମାନଙ୍କ ଅବସ୍ଥାରେ ଉନ୍ନତି ଏବଂ ଲୋକଙ୍କୁ ପୁଷ୍ଟି ଯୋଗାଣ-ଏ ଦୁଇଟି ବିଷୟକୁ ଧ୍ୟାନ ଦେଇ ସରକାର ମିଲେଟ ମିଶନ କାର୍ଯ୍ୟକାରୀ କରିଛନ୍ତି । ଏଥିରେ ପାଞ୍ଚ ବର୍ଷରେ ୨୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ରାଜ୍ୟର ସବୁ ଜିଲାରେ ମିଲେଟ ମିଶନ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୧୮ ଜିଲାରେ ମିଲେଟ ମିଶନ କାର୍ଯ୍ୟକାରୀ ହେଉଛି । ଏବେ ଏହି ମିଶନରେ ୨ ଲକ୍ଷ ଚାଷୀ, ୮୨ ଏଫ୍‌ପିଓ ଓ ୧୨୦୦ ମିଶନ ଶକ୍ତି ଗୋଷ୍ଠୀ ସାମିଲ ହୋଇଛନ୍ତି । ଆଗକୁ ଆହୁରି ଚାଷୀ ଓ ମିଶନ ଶକ୍ତି ଗୋଷ୍ଠୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ । ମାଣ୍ଡିଆକୁ ଶ୍ରେଷ୍ଠ ଆହାର ଭାବରେ ଲୋକପ୍ରିୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.