ହେଲମେଟ ଓ ଆମ ଜୀବନ

କେନ୍ଦ୍ରୀୟ ମୋଟର ଯାନ ଅଧିନିୟମ ୧୯୮୮ର ଧାରା ୧୨୯ ଅନୁଯାୟୀ, ଦୁଇଚକିଆ ଆରୋହୀଙ୍କ ପାଇଁ ଶିରସ୍ତ୍ରାଣ (ହେଲମେଟ) ପିନ୍ଧିବା ବାଧ୍ୟତାମୂଳକ। ତେବେ ଅନେକ ଲୋକ ଆଜି ମଧ୍ୟ ଏହି ନିୟମକୁ ଠିକ୍ ଭାବରେ ପାଳନ କରୁନଥିବା ଦେଖାଯାଇଛି। ସହରାଞ୍ଚଳରେ ହେଲମେଟ ବ୍ୟବହାର ଅଧିକ ଥିବାବେଳେ ଗ୍ରାମାଞ୍ଚଳରେ ସଚେତନତା ଅଭାବରୁ ଅନେକ ଲୋକ ଏହାକୁ ଖାମଖିଆଲି ଢଙ୍ଗରେ ନେଇଥାନ୍ତି। ସରକାରୀ ସ୍ତରରେ ଜନସଚେତନତା ସୃଷ୍ଟି ପାଇଁ ନିଆଯାଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ତେବେ ତୃଣମୂଳ ସ୍ତରରେ ଏହାକୁ ଅଧିକ ବ୍ୟାପକ କରିବାର ଆବଶ୍ୟକତା ରହିଛି। ଯେଉଁ ଦିନ ପର୍ଯ୍ୟନ୍ତ ବାଇକ୍ ଆରୋହୀ ହେଲମେଟକୁ ନିଜ ରକ୍ଷାକବଚ ବୋଲି ନଭାବିଛି, ସେହି ଦିନ ପର୍ଯ୍ୟନ୍ତ ସରକାରୀ ସ୍ତରରେ ସଚେତନତା ନିରନ୍ତର ଚାଲୁ ରଖିବା ଜରୁରୀ। ଏହାସହ ଉତ୍ତମ ମାନର ହେଲମେଟ ଗ୍ରାହକ କିପରି କମ୍ ମୂଲ୍ୟରେ ପାଇ ପାରିବେ ସେନେଇ ସରକାର ଯୋଜନା ପ୍ରସ୍ତୁତ କରିବାର ସମୟ ଆସିଯାଇଛି।

ଦେଶରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାର ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମ୍ କରିବାକୁ ନିରନ୍ତର ପ୍ରୟାସ କରୁଛନ୍ତି। ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଏବଂ ଆହତଙ୍କ ସଂଖ୍ୟା କମ୍ କରିବାକୁ ହେଲେ ହେଲମଟ ପିନ୍ଧିବା ଆବଶ୍ୟକ। ଯଦିଓ ଏବେ ପୂର୍ବ ଅପେକ୍ଷା ଅଧିକାଂଶ ହେଲମେଟ ପିନ୍ଧୁଛନ୍ତି, ହେଲେ ଅଧିକାଂଶ ଭଲ ହେଲମେଟ୍ ବା ଗୋଟିଏ ଷ୍ଟାଣ୍ଡାର୍ଡ ହେଲମେଟ ପିନ୍ଧୁନାହାନ୍ତି। ଏପରି କରି ସଂପୃକ୍ତ ବ୍ୟକ୍ତି ଯଦିଓ ଟ୍ରାଫିକ ଚାଲାଣରୁ ବର୍ତ୍ତି ଯାଉଛନ୍ତି ହେଲେ ଦୁର୍ଘଟଣା ଜନିତ କ୍ଷତିକୁ ରୋକିବାରେ ବିଫଳ ହେଉଛନ୍ତି। ତେଣୁ  ହେଲମେଟ ଉପରୁ ଅତ୍ୟଧିକ ଜିଏସଟିକୁ କମ୍ କରିବାକୁ ହେବ ବୋଲି ଦାବି ହୋଇଛି। ଏକ ରିପୋର୍ଟ ଅନୁଯାୟୀ ୨୦୧୯ରେ ସାରା ଭାରତରେ ୪ ଲକ୍ଷ ୮୦ ହଜାର ୬୫୨ ସଡକ ଦୁର୍ଘଟଣା ଘଟିଛି। ମୋଟ ୧ ଲକ୍ଷ ୫୧ ହଜାର ୧୧୩ ଜଣଙ୍କର ମୃତ୍ୟୁ ଘଟିଛି। ଦିନକୁ ହାରାହାରି ୪୧୪ କିମ୍ବା ଘଣ୍ଟାରେ ୧୭ ଜଣଙ୍କର ମୃତ୍ୟୁ ଘଟୁଛି। ସଡ଼କ ଦୁର୍ଘଟଣାରେ ମୋଟ୍ ମୃତ୍ୟୁ ମଧ୍ୟରୁ ୩୧.୪% ଦୁଇଚକିଆ ଚାଳକ ରହିଛନ୍ତି।

ଏବେ ହେଲମେଟରେ ଜିଏସଟି ୧୮% ରହିଛି, ଯାହାକି ଏକ ଜୀବନ ରକ୍ଷାକାରୀ ଉପକରଣ। ସଡକ ସୁରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ୨୦୩୦ ସୁଦ୍ଧା ସଡକ ଦୁର୍ଘଟଣାର ମୃତ୍ୟୁକୁ ୫୦% ହ୍ରାସ କରିବାକୁ ହେଲମେଟରେ ଜିଏସଟି ରହିବା ଉଚିତ ନୁହେଁ। ଏପରି ହେଲେ ଦାମୀ ଏବଂ ଭଲ ହେଲମେଟର ଦାମ୍ କମିଯିବ। ଲୋକମାନେ ଏହିପରି ହେଲମେଟ କିଣିବାକୁ ଆଗ୍ରହ ଦେଖାଇବେ। ଏହା କେବଳ ସଡ଼କ ଦୁର୍ଘଟଣାର ମୃତ୍ୟୁ ହ୍ରାସ କରିବାରେ ସହାୟକ ହେବ ନାହିଁ, ବରଂ ଦେଶର ଅର୍ଥନୀତିକୁ ମଧ୍ୟ ମଜବୁତ କରାଇବ। କାରଣ ଦୁର୍ଘଟଣାର ଶିକାର ହେଉଥିବା ଅଧିକାଂଶ ୧୮ ରୁ ୪୫ ବର୍ଷ ବୟସ ବର୍ଗର, ଯେଉଁମାନେକି ଦେଶର ଅର୍ଥନୀତିକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

ବିଶ୍ୱ ସଡ଼କ ସୁରକ୍ଷା ସଂସ୍ଥା ଆନ୍ତର୍ଜାତୀୟ ସଡକ ଫେଡେରେସନ୍ (ଆଇଆରଏଫ୍) ଦୁଇ ଚକିଆ ଗାଡି ଚାଳକଙ୍କ ପାଇଁ ଜୀବନ ରକ୍ଷାକାରୀ ଉପକରଣ ଉପରେ ଜିଏସଟିକୁ ୧୮% ରୁ ୦% ହ୍ରାସ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛି। ଆଇଆରଏଫ୍ ସଭାପତି ଏମରିଟସ୍ କେ. କେ କପିଲା ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ସଡ଼କ ଦୁର୍ଘଟଣାରେ ସାରା ବିଶ୍ୱରୁ ପ୍ରାୟ ୧୧ ପ୍ରତିଶତ ଭାରତରେ ଘଟୁଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆଇଆରଏଫର ସଭାପତି ଲେଖିଥିବା ଚିଠିରେ ଲେଖିଛନ୍ତି, ଦୁଇଚକିଆ ଯାନ ଦୁର୍ଘଟଣାରେ ଆଘାତ ଏବଂ ମୃତ୍ୟୁକୁ ହ୍ରାସ କରିବା ପାଇଁ ଅନ୍ୟତମ ପ୍ରଭାବଶାଳୀ ପଦକ୍ଷେପ ହେଉଛି ଷ୍ଟାଣ୍ଡାର୍ଡ ହେଲମେଟ ବ୍ୟବହାର। ଆମ ଦେଶରେ ହେଲମେଟର ବ୍ୟବହାର କମ୍ ବୋଲି ଜଣାପଡିଛି। ଦେଶରେ ଟ୍ରାଫିକ ଦୁର୍ଘଟଣା, ଆହତ ଏବଂ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଦୁର୍ଘଟଣାରେ ଅଧିକାଂଶ ସମ୍ମୁଖୀନ ହେଉଛନ୍ତି।

ଅନ୍ୟପକ୍ଷରେ ସମୟାନୁଯାୟୀ ସରକାର ତ ହେଲମେଟ ଉପରେ ଜିଏସଟି ହ୍ରାସ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା କରିପାରନ୍ତି, ତେବେ ବାଇକ୍ ଚାଳକମାନେ ଷ୍ଟାଣ୍ଡାର୍ଡ ହେଲମେଟ ପରିଧାନ କରି ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ସହ ସଡ଼କ ସୁରକ୍ଷା ନିୟମକୁ ସଂପୂର୍ଣ୍ଣ ଭାବରେ ପାଳନ କରିବାର ଆବଶ୍ୟକତା ରହିଛି। ଆମେ ନିଜ ପାଇଁ ତଥା ପରିବାର ପାଇଁ ଉପାର୍ଜନର ପ୍ରାୟ ବୃହତ ଅଂଶ ଖର୍ଚ୍ଚ କରୁଛେ। ତେବେ ଆମ ରକ୍ଷାକବଚ ସାଜିଥିବା ହେଲମେଟ ପାଇଁ ଆଉ କେତେଶହ ଟଙ୍କା ଅଧିକ ଖର୍ଚ୍ଚ କରିବାରେ କାହିଁକି କୁଣ୍ଠାବୋଧ ହେବା! କମ୍ ଦାମର ହେଲମେଟ ବ୍ୟବହାର ଠାରୁ ଦୂରେଇ ଯାଇ ଏବେଠାରୁ ହିଁ ଅଧିକ ଦାମ୍ ଦେଇ ଷ୍ଟାଣ୍ଡାର୍ଡ ହେଲମେଟ ବ୍ୟବହାର କରିବା। ଏଥିପାଇଁ ପଟେକକୁ ଟିକେ ବାଧିବ, କିନ୍ତୁ ଏହାଦ୍ବାରା ଆମର ଉପକାର ବେଶି ହେବ। ତେଣୁ ସମସ୍ତ ବାଇକ୍ ଚାଳକମାନଙ୍କୁ ଷ୍ଟାଣ୍ଡାର୍ଡ ହେଲମେଟ ପିନ୍ଧିବା ପାଇଁ ଅନୁରୋଧ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.