ଅନନ୍ୟ ପ୍ରତିଭାର ଅଧିକାରୀ ଅଟଳ ବିହାରୀ ବାଜପେୟୀ

ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ, ଲବ୍ଧ ପ୍ରତିଷ୍ଠିତ ଲେଖକ, ପ୍ରଖର ବକ୍ତା, ରାଜନୀତିରେ ଉତ୍ତୁଙ୍ଗ ବ୍ୟକ୍ତିତ୍ବ, ଅନନ୍ୟ ଚ଼ିନ୍ତାନାୟକ ତଥା ସର୍ବୋପରି ମଣିଷ ପରି ମଣିଷ ଟିଏ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ। ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡ଼ିସେମ୍ବର ୨୫ ତାରିଖରେ ଗ୍ବାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ପିତାଙ୍କ ନାମ କୃଷ୍ଣ ବିହାରୀ ବାଜପେୟୀ ଓ ମାତାଙ୍କ ନାମ କୃଷ୍ଣା ଦେବୀ। ତାଙ୍କ ପିତା ଜଣେ କବି ଏବଂ ଶିକ୍ଷକତା କରୁଥିଲେ। ଛାତ୍ର ଜୀବନରୁ ଅଟଳ ବିହାରୀ ବାଜପେୟୀ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ଜଡ଼ିତ ଥିଲେ। ଗ୍ବାଲିୟରରଭିକ୍ଟୋରିଆ କଲେଜରୁ ବାଜପେୟୀ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲେ। ଏହାପରେ କାନପୁର ଡ଼ିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍.ଏ. ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରବର୍ତ୍ତୀ ସମୟରେ ବାଜପେୟୀ ଜୀ ପୂର୍ଣ୍ଣ କାଳୀନ ପ୍ରଚ଼ାରକ ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କାର୍ଯ୍ୟ ରେ ନିଷ୍ଠାର ସହ ଲାଗିଯାଇଥିଲେ।

ବାଜପେୟୀ ଜୀ ଦୀର୍ଘ ବର୍ଷ ଧରି ରାଷ୍ଟଧର୍ମ, ପଞ୍ଚ ଜନ୍ୟ, ବୀର ଅର୍ଜୁନ ଆଦି ରାଷ୍ଟ୍ରବାଦୀ ପତ୍ରପତ୍ରିକାର ସଂପାଦନା କରିଥିଲେ।ସଂଘର୍ଷମୟ ଜୀବନ, ପରିବର୍ତ୍ତନଶୀଳ ପରିସ୍ଥିତି, ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ, ଜେଲ ଜୀବନ ଆଦି ବିଷୟ ତାଙ୍କ କାବ୍ୟ କବିତା ରେ ପ୍ରକାଶ ପାଇଛି। ତାଙ୍କର କବିତା ସଂକଳନ “ମେରି ଇକ୍ୟାବନ କବିତାୟେଁ” (ମୋର ୫୧ ଟି କବିତା)ବେଶ୍ ଲୋକପ୍ରିୟ।

ଅଟଳ ବିହାରୀ ବାଜପେୟୀ ଜୀ ସ୍ବାଧିନତା ସଂଗ୍ରାମରେ ଯୋଗଦେଇ ୧୯୪୨ ମସିହାରେ ଜେଲ ଯାଇଥିଲେ। ୧୯୭୫ ରେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚ଼ନକୁ ଆହ୍ଲାବାଦ୍ ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ସେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ ଏବଂ ଦେଶର ସବୁ ତୁଙ୍ଗ ବିରୋଧୀ ନେତାଙ୍କୁ ଗିରଫ କରାଗଲା। ବାଜପେୟୀଙ୍କୁ ମଧ୍ୟ ୨୨ ମାସ କାଳ କାରାବରଣ କରିବାକୁ ପଡ଼ିଥିଲା।

ଭାରତୀୟ ଜନସଂଘର ପ୍ରତିଷ୍ଠାତା ମଧ୍ୟରେ ବାଜପେୟୀ ଜୀ ଅନ୍ୟତମ।ବାଜପେୟୀ ଜୀ ୧୯୬୮ ରୁ ୧୯୭୩ ପର୍ଯ୍ୟନ୍ତ ଜନସଂଘର ଅଧ୍ୟକ୍ଷ ଥିଲେ। ବାଜପେୟୀ ଜୀ ୧୯୫୫ ମସିହାରେ ପ୍ରଥମ କରି ଲୋକସଭା ନିର୍ବାଚ଼ନ ଲଢ଼ି ପରାସ୍ତ ହୋଇଥିଲେ।୧୯୫୭ ମସିହା ରେ ଅନୁଷ୍ଠିତ ଦ୍ବିତୀୟ ସାଧାରଣ ନିର୍ବାଚ଼ନରେ ବାଜପେୟୀ ଜୀ ମାତ୍ର ୩୩ ବର୍ଷ ବୟସରେ ଉତ୍ତରପ୍ରଦେଶର ବଳରାମପୁର ଲୋକସଭା ଆସନ ରୁ ଜନସଂଘର ପ୍ରାର୍ଥୀ ଭାବେ ଜିତି ଲୋକସଭାକୁ ପ୍ରଥମ କରି ଯାଇଥିଲେ। ସେତେବେଳେ ବାଜପେୟୀ ଜୀ ଯେଉଁ ଭାଷଣ ଦେଇଥିଲେ ତାହା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ନେହେରୁ କହିଥିଲେ ଯେ, ବାଜପେୟୀ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ। ମୋରାରଜୀ ଦେଶାଇ ସରକାରରେ ବାଜପେୟୀ ୧୯୭୭ ରୁ ୧୯୭୯ ଯାଏଁ ବୈଦେଶିକ ମନ୍ତ୍ରୀ ହୋଇଥିଲେ। ତାଙ୍କ ବିବୃତି, “ଆପଣ ବନ୍ଧୁମାନଙ୍କୁ ପରିବର୍ତ୍ତନ କରିପାରିବେ, ମାତ୍ର ପଡ଼ୋଶୀ ମାନଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ” ଆଜି ବୈଦେଶିକ ନୀତିରେ ଏକ ଜନପ୍ରିୟ ବିବୃତି ଭାବେ ଖ୍ୟାତ ହୋଇଛି। ବାଜପେୟୀ ପ୍ରଥମ ବୈଦେଶିକ ମନ୍ତ୍ରୀ ଥିଲେ, ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ବିତ କରିଥିଲେ। ୧୯୮୦ ମସିହା ଏପ୍ରେଲ ୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନତା ପାର୍ଟି ଏବଂ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ପଦ ଅଟଳ ବିହାରୀ ବାଜପେୟୀ ଙ୍କୁ ଅର୍ପଣ କରିଦିଆଗଲା। ୧୯୯୬ ମସିହାରେ ଅଟଳ ବିହାରୀ ବାଜପେୟୀ ପ୍ରଥମ ଥର ପ୍ରଧାନମତ୍ନୀ ହୋଇଥିଲେ, ମାତ୍ର ୧୩ ଦିନ ସେ ପ୍ରଧାନମନ୍ତ୍ରୀ ପଦରେ ରହିପାରିଥିଲେ। ତା’ପରେ ୧୯୯୮ ମସିହାରେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ, ୧୩ ମାସ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ୧୯୯୯ ମସିହାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ସଂସଦରେ ବାଜପେୟୀ ଜୀ ୫୦ ବର୍ଷରୁ ଅଧିକ କାଳ ସଦସ୍ୟ ହୋଇ ରହିଛନ୍ତି। ଭାରତବର୍ଷର ଏକମାତ୍ର ସାଂସଦ, ଯିଏ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜୁରାଟ, ଦିଲ୍ଲୀ ଆଦି ଚ଼ାରୋଟି ରାଜ୍ୟରୁ ସଂସଦକୁ ନିର୍ବାଚ଼ିତ ହୋଇଛନ୍ତି।

ତାଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଦେଶରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି। ୧୯୯୮ ମସିହା ମଇ ମାସରେ ପୋଖରାନ ଠାରେ କରାଯାଇଥିବା “ପରମାଣୁ ପରୀକ୍ଷଣ” ଥିଲା ତାଙ୍କର ଏକ ବଡ଼ ସଫଳତା।ଏହାଦ୍ବାରା ସେ ବିଶ୍ବରେ ହାତଗଣତି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରମଧ୍ୟରେ ଭାରତକୁ ସାମିଲ କରାଇଥିଲେ। ସେ ଏଭଳି କୌଶଳ ରେ ପରମାଣୁ ବୋମା ପରୀକ୍ଷା କରାଇଲେ ଏହାର ସୂଚ଼ନା ଆମେରିକା ମଧ୍ୟ ପାଇନଥିଲା। ଦେଶର ବିକାଶପାଇଁ ଅଟଳ ବିହାରୀ ବାଜପେୟୀ ଜୀ ଅନେକ ପଦକ୍ଷେପ ନେଇଥିଲେ।ତନ୍ମମଧ୍ୟରେ ସ୍ବର୍ଣ୍ଣ ଚ଼ତୁର୍ଭୁଜ ସଡ଼କ ପ୍ରକଳ୍ପ ଓ ପ୍ରଧାନମତ୍ନୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ୟତମ। ଆର୍ଥିକ ବ୍ୟବସ୍ଥାର ପୁନରୁତ୍ଥାନ ପାଇଁ ପରିବହନ କ୍ଷେତ୍ରର ଉନ୍ନତି ଯେ ନିହାତି ଜରୁରୀ ସେ ହୃଦବୋଧ୍ କରିପାରିଥିଲେ।ଏଥିପାଇଁ ସେ ଦେଶର ୪ ଦିଗରେ ୪ ଟି ବୃହତ ନଗରୀକୁ ଉନ୍ନତ ଏବଂ ବିକଶିତ ସଡ଼କପଥରେ ଯୋଡ଼ିବାକୁ ସେ ଆରମ୍ଭ କରିଥିଲେ ସ୍ବର୍ଣ୍ଣ ଚ଼ତୁର୍ଭୁଜ ଜାତୀୟ ରାଜପଥ ପ୍ରକଳ୍ପ। ଚ଼େନ୍ନାଇ ଠାରୁ ଦିଲ୍ଲୀ ଏବଂ ମୁମ୍ବାଇ ଠାରୁ କୋଲକାତା ପର୍ଯ୍ୟନ୍ତ ଏହି ପ୍ରକଳ୍ପ ମାଧ୍ୟମରେ ଜାତୀୟ ସଡ଼କ ପଥ ବ୍ୟବସ୍ଥାରେ ଅଦ୍ଭୁଦପୂର୍ବ ପରିବର୍ତ୍ତନ ଅଣାଯାଇପାରିଥିଲା। ଏଥିସହ ଗ୍ରାମାଞ୍ଚଳ ଗମନାଗମନକୁ ସୁଦୃଢ଼ କରିବାକୁ ଆରମ୍ଭ କରିଥିଲେ ପ୍ରଧାନମତ୍ନୀ ଗ୍ରାମ୍ୟ ସଡ଼କ ଯୋଜନା। ଏହି ଯୋଜନା ଦେଶର ସାମଗ୍ରିକ ଆର୍ଥିକ ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ।

୧୯୯୯ ମସିହାରେ ଓଡ଼ିଶାରେ ପ୍ରଳୟଙ୍କାରୀ ମହାବାତ୍ୟା ହୋଇଥିଲା। ଓଡ଼ିଶାର ଅନେକ କ୍ଷତି ହୋଇଥିଲା। ସେହି ସମୟରେ ଓଡ଼ିଶା ପାଇଁ ବାଜପେୟୀ ଜୀ ଙ୍କ ଅବଦାନକୁ ଆଜି ବି ସ୍ମରଣ କରୁଛନ୍ତି ରାଜ୍ୟବାସୀ। ଧନଜୀବନ ରକ୍ଷା, ବାତ୍ୟା ପରବର୍ତ୍ତୀ ଅବସ୍ଥାକୁ ସୁଧାରିବାରେ ବାଜପେୟୀ ସରକାର ଯେଭଳି ଓଡ଼ିଶାକୁ ସହଯୋଗ କରିଥିଲେ,ତାହ ଅତୁଳନୀୟ।
ବାଜପେୟୀ ଜୀ ଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ସମଗ୍ର ଦେଶରେ ଯେଉଁ ୬ ଟି ସ୍ଥାନରେ ଏମସ୍ ପ୍ରତିଷ୍ଠା ଘୋଷଣା ହୋଇଥିଲା, ସେହି ମଧ୍ୟରୁ ଗୋଟିଏ ଏମସ୍ ଓଡ଼ିଶାର ଭୂବନେଶ୍ବର ସହର ଉପକଣ୍ଠ ସିଜୁଆ ଠାରେ ୨୦୦୩ ମସିହାରେ ବାଜପେୟୀଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିଲା। ଯାହା ଆଜି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।
ଦେଶପ୍ରତି ବାଜପେୟୀ ଙ୍କ ଅବଦାନ କୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀ ରେ ୨୦୧୪ ମସିହା ଡ଼ିସେମ୍ବର ୨୫ ତାରିଖ ତାଙ୍କ ୯୦ ତମ ଜନ୍ମତିଥି କୁ ସୁଶାସନ ଦିବସ ରୂପେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ୨୦୧୫ରେ ତାଙ୍କୁ ଭାରତରତ୍ନ ସମ୍ମାନ ରେ ସମ୍ମାନିତ କରାଗଲା।‌‌ ସେହି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ବ ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ସମଗ୍ର ଦେଶବାସୀଙ୍କୁ ଶୋକସାଗରରେ ଭସାଇ ଚ଼ାଲିଗଲେ। ଆଜି ତାଙ୍କର ଜୟନ୍ତୀ ଅବସରରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ ଜଣାଉଛି।

ଲେଖକ– ବିଶ୍ବବିଜୟୀ ଦାଶ

ବି.ଏସସି, ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍ – ୭୫୨୦୩୫
ମୋବାଇଲ ନଂ- ୬୩୭୦୨୦୮୪୨୮
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.