‘ସଂସ୍କୃତିର ୠଣ ସୁଝିବାକୁ ହେଲେ ସାଂସ୍କୃତିକ କାର୍ଯ୍ୟକ୍ରମ ବଜାୟ ରଖିବାକୁ ପଡିବ’

ବୁଢ଼ା ଡଙ୍ଗର ଲୋକ ମହୋତ୍ସବ-୨୦୨୨ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ‘ଦେଶଜ’ଲୋକ ସଙ୍ଗୀତ ଓ ଲୋକ ନୃତ୍ୟ ଉତ୍ସବ ଏବଂ ୨୭ତମ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ-୨୦୨୨ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । କେସିଙ୍ଗା ସହର ସ୍ଥିତ ଜଗନ୍ନାଥ ମନ୍ଦିର ପଡ଼ିଆରେ ଶନିବାର ଓ ରବିବାର ଦୁଇ ଧରି ହେବାକୁ ଥିବା ବୁଢ଼ା ଡଙ୍ଗର ଲୋକ ମହୋତ୍ସବ-୨୦୨୨ର ସାଂସ୍କୃତିକ ସନ୍ଧ୍ୟାରେ ଉଦଘାଟନ କାର୍ଯ୍ୟକ୍ରମରେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ମାଝୀ ଉଦଘାଟକ ଭାବେ ଯୋଗଦାନ କରି ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ରାଜ୍ୟ ତଥା ରାଜ୍ୟ ବାହାରେ କଳା, ସଂସ୍କୃତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ରହିଛି ବୋଲି ମତପୋଷଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଭାଇସ୍ ଚାନ୍ସେଲର ପ୍ରଫେସର ସଞ୍ଜୟ କୁମାର ଶତପଥି ମଞ୍ଚାସୀନ ହୋଇ ସଂସ୍କୃତିର ୠଣ ସୁଝିବାକୁ ହେଲେ ସାଂସ୍କୃତିକ କାର୍ଯ୍ୟକ୍ରମ ବଜାୟ ରଖିବାକୁ ପଡିବ ବୋଲି କହିଥିଲେ ।

ସମ୍ମାନିତ ଅତିଥି ଭାବେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ଓ କେସିଙ୍ଗା ମହାବିଦ୍ୟାଳୟରର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ମଞ୍ଚାସୀନ ରହିଥିଲେ । ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର ଅଧ୍ୟକ୍ଷତା କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସଂପାଦକ ଅକ୍ଷୟ ଦାସ । କେସିଙ୍ଗା ମଶାଣିମୁଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସଂଗୀତ ଶିକ୍ଷକ ବିରଞ୍ଚି ନାରାୟଣ ବାହିନୀପତିଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରାରମ୍ଭିକ ସଂଗୀତ ପରିବେଷଣ ହୋଇଥିଲା ବେଳେ ଉଦଘାଟନ ମଞ୍ଚର ସଭାକୁ ସଂଚାଳନ କରିଥିଲେ ଜ୍ଞାନେନ୍ଦ୍ର ଭୋଇ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସାମ୍ବାଦିକତା କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି ଓ ଚନ୍ଦ୍ରଭାନୁ ମୋଲାନା, ଚାଷୀ ମାନସ ରଞ୍ଜନ ସାହୁ, ସ୍ବାସ୍ଥ୍ୟ କ୍ଷେତ୍ରରେ ଡିପିଏମ୍ ଅବନୀ ରଞ୍ଜନ ମହାପାତ୍ରଙ୍କୁ ମାନପତ୍ର ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶନିବାର ଦିନ ସାଂସ୍କୃତିକ ସଭା ମଞ୍ଚ ଉଦଘାଟନ ପୂର୍ବରୁ ପୂର୍ବାହ୍ନ ୯ ଟା ସମୟରେ ଅନୁଷ୍ଠାନ ର ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇ ଥିଲା ସାଂସ୍କୃତିକ ମଶାଲ ଶୋଭା ଯାତ୍ରା। କେସିଙ୍ଗା ସହର ସ୍ଥିତ ଜୟ ବୁଢ଼ା ଡଙ୍ଗର ମନ୍ଦିର ରୁ ମଶାଲ ବାହାରି ସହରରେ ଏକ ବିରାଟ ଶୋଭାଯାତ୍ରାରେ ଲୋକ ମହୋତ୍ସବ ମଞ୍ଚ ପର୍ଯ୍ୟନ୍ତ ଯାଇଥିଲା । ମଶାଲ ଶୋଭାଯାତ୍ରା ପରେ ମଞ୍ଚ ପୂଜା ପରେ ଉଦଘାଟନ କାର୍ଯ୍ୟକ୍ରମ ହୋଇଥିଲା । ଅପରାହ୍ନ ୩ ଟାରେ ଚିତ୍ର କଳା ପ୍ରଦର୍ଶନ ସହିତ ସୁର ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସନ୍ଧ୍ୟା ୬ ଟା ପରେ ଅତିଥି ମାନଙ୍କ ଦ୍ଵାରା ସାଂସ୍କୃତିକ ସନ୍ଧ୍ୟାର ଉଦଘାଟନ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡ଼ିଶା ସଂସ୍କୃତି ବିଭାଗରୁ ଯୋଗଦେଇଥିବା ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ବଜାସାଲ, ଆସାମର ବିହୁ ଓ ଝୁମେର୍, ଗଞ୍ଜାମର ଯୋଡ଼ି ଶଙ୍ଖ, ଢ଼ାପ୍, ଘୁମରା ଓ ସମ୍ବଲପୁରୀ ଅର୍କେଷ୍ଟାରେ ମଞ୍ଚ ଦୁଲୁକିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.