ଅସୁରକ୍ଷିତ ଗଜରାଜ

ଓଡ଼ିଶାରେ ଖଣି ନିଲାମ ହେଉ ବା ଶିଳ୍ପ କାରଖାନା ନିର୍ମାଣ ହେଉ, ସେତେବେଳେ ହାତୀମାନଙ୍କ ସୁରକ୍ଷା ନେଇ କୌଣସି ଚିନ୍ତା ନ ଥାଏ। ବଡ଼ ବଡ଼ ମେଶିନ ଓ ଟ୍ରକ୍‌ର ଶବ୍ଦ ହାତୀମାନଙ୍କ ପାଇଁ ଅସହ୍ୟ ହୋଇପଡ଼େ। ତା’ଛଡ଼ା ଜଙ୍ଗଲ ବିଭାଗ ଓ ରେଳ ବିଭାଗ ଭିତରେ ତାଳମେଳ ଅଭାବ ହାତୀ ମୃତ୍ୟୁର ଆଉ ଏକ କାରଣ। ରେଳ ଲାଇନ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରତିବର୍ଷ ଏକ ବଡ ସଂଖ୍ୟକ ହାତୀଙ୍କର ମୃତ୍ୟୁ ହେଉଥିବା ବେଳେ ହାତୀ ଗଣନା ନିତାନ୍ତ ଜରୁରୀ। ଏହାସହ ଶିକାରୀମାନେ ବିଭିନ୍ନ ଉପାୟରେ ହାତୀ ଶିକାର କରୁଛନ୍ତି। ପ୍ରତି ଦୁଇ ବର୍ଷ ବ୍ୟବଧାନରେ ରାଜ୍ୟ ସରକାର ହାତୀମାନଙ୍କ ଗଣନା କରିବା କଥା। ତେବେ ହାତୀ ଗଣନା କରାଗଲେ ସରକାରଙ୍କ ଅପାରଗତା ପଦାରେ ପଡ଼ିବ। ତେଣୁ ଆଉ ହାତୀ ଗଣନା କରାଯାଉ ନାହିଁ। କେତେକ ବନଖଣ୍ଡ ନିଜ ସ୍ତରରେ ହାତୀ ଗଣନା କରି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ମାତ୍ର ସାରା ରାଜ୍ୟରେ ହାତୀ ଗଣନା ହେଉ ନ ଥିବାରୁ ଓଡ଼ିଶାରେ ହାତୀଙ୍କ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ଚିତ୍ର ଆସିପାରୁ ନାହିଁ। ଓଡ଼ିଶାରେ ୨୬ଟି ଜିଲ୍ଲାରେ ହାତୀ ରୁହନ୍ତି। ୨୦୦୭ ମସିହାରେ ହସ୍ତୀ ଅଭୟାରଣ୍ୟ ଭାବରେ ୫ଟି ଜୈବମଣ୍ଡଳକୁ ଚିହ୍ନଟ କରାଯାଇଥିଲା। ସେଗୁଡିକ ହେଲା ମହାନଦୀ ହସ୍ତୀ ଅଭୟାରଣ୍ୟ, ମୟୂରଭଞ୍ଜ ହସ୍ତୀ ଅଭୟାରଣ୍ୟ, ସମ୍ବଲପୁର ହସ୍ତୀ ଅଭୟାରଣ୍ୟ, ଦକ୍ଷିଣ ଓଡ଼ିଶା ହସ୍ତୀ ଅଭୟାରଣ୍ୟ ଓ ବୈତରଣୀ ହସ୍ତୀ ଅଭୟାରଣ୍ୟ। ହେଲେ ଦକ୍ଷିଣ ଓଡ଼ିଶା ହସ୍ତୀ ଅଭୟାରଣ୍ୟ ଓ ବୈତରଣୀ ହସ୍ତୀ ଅଭୟାରଣ୍ୟ ଏବେ ସୁଦ୍ଧା ହସ୍ତୀ ଅଭୟାରଣ୍ୟ ଭାବରେ ଘୋଷଣା ହୋଇପାରିଲା ନାହିଁ, ଯଦିଓ ସେହି ଅଞ୍ଚଳରେ ଅଧିକ ହାତୀ ପୂର୍ବରୁ ରହୁଥିଲେ। ସେହିପରି ୨୦୧୦ରେ ଓଡ଼ିଶା ସରକାର ୧୪ଟି ହାତୀ କରିଡର ଚିହ୍ନଟ କରିଥିଲେ। ସେଥିପାଇଁ ଜଙ୍ଗଲ ବିଭାଗ ୫୪ କୋଟି ଟଙ୍କାର ଏକ ବ୍ୟୟ ଅଟକ ମଧ୍ୟ କରିଥିଲା। ହେଲେ ସେହି ଯୋଜନା ଏବେ ଶୀତଳଭଣ୍ଡାରରେ।  ଆଠଗଡ଼ଠାରୁ ଆରମ୍ଭ କରି ସମ୍ବଲପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଆଦି ଅନେକ ଜିଲ୍ଲାରେ ହାତୀ ଅସୁରକ୍ଷିତ ହୋଇପଡ଼ିଛନ୍ତି। ସ୍ଥିତି ଏମିତି ହେଲାଣି ଯେ, ୨୦୨୨ରେ ହାତୀଙ୍କ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ଶହେ ଛୁଇଁବାକୁ ବସିଲାଣି। ତା’ପରେ ବି ରାଜ୍ୟ ସରକାର କି ବନ ବିଭାଗର ଚେତା ପଶୁନି। 

୨୦୨୨ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ହାତୀ ଗଣନା କରିବାକୁ ୨୦୨୧ ଜୁନ୍‌ ମାସରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଯୋଜନା ‌ହୋଇଥିଲା। ସମସ୍ତ ରାଜ୍ୟରେ ଏକାସଙ୍ଗରେ ହାତୀ ଗଣନା କରାଯିବ ବୋଲି ନିଷ୍ପତ୍ତି ମଧ୍ୟ ହୋଇଥିଲା। କେଉଁ ପଦ୍ଧତିରେ ହାତୀଙ୍କ ଗଣନା କରାଯିବ, ସେନେଇ ହାତୀ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇ ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଜୁନ୍‌ ମାସରେ ବନ୍ୟପ୍ରାଣୀ ଏଡିଜିଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜ୍ୟର ପିସିସିଏଫ୍‌ଙ୍କ ସହ ମଧ୍ୟ ବିଚାର ବିମର୍ଶ ହୋଇଥିଲା। ହାତୀ ଶିକାର, ମୃତ୍ୟୁ, ସୁରକ୍ଷା ପାଇଁ ଭିତ୍ତିଭୂମି ଆଦି ଉପରେ ଆଲୋଚନା ସହ ହାତୀ କରିଡର ନେଇ ମଧ୍ୟ ମନ୍ତ୍ରାଳୟ ପକ୍ଷରୁ ମାନସମନ୍ଥନ ହୋଇଥିଲା। ମାତ୍ର ହାତୀ ଗଣନା କେତେ ବାଟ ଆଗେଇଲା, ସେନେଇ ରାଜ୍ୟ କି କେନ୍ଦ୍ର ସରକାରଙ୍କ କୌଣସି ବି ଅଧିକାରୀ ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହନ୍ତି। ୨୦୨୨ ମସିହା ଡିସେମ୍ବର ଶେଷ ହେବାକୁ ବସିଲାଣି, କିନ୍ତୁ ହାତୀ ଗଣନା ହୋଇପାରିଲା ନାହିଁ। ଶେଷଥର ପାଇଁ ୨୦୧୭ ମେ’ରୁ ଜୁଲାଇ ମାସ ମଧ୍ୟରେ ହାତୀ ଗଣନା ହୋଇଥିଲା। ଯେଉଁଥିରେ ଜଣାପଡ଼ିଥିଲା ଯେ, ଓଡ଼ିଶାରେ ୧୯୭୬ଟି ହାତୀ ରହିଛନ୍ତି। ୨୦୧୫ ତୁଳନାରେ ୨୨ଟି ହାତୀ ବଢ଼ିଥିଲେ। ରାଜ୍ୟର ୪୩ ବନ୍ୟପ୍ରାଣୀ ଡିଭିଜନରେ ଏହି ହାତୀ ଗଣନା କରାଯାଇଥିଲା। ତିନୋଟି ହସ୍ତୀ ଅଭୟାରଣ୍ୟ ଅଞ୍ଚଳ ଯଥା ମୟୂରଭଞ୍ଜ, ମହାନଦୀ ଓ ସମ୍ବଲପୁରରେ ୧୫୩୬ ହାତୀ ରହିଥିଲେ। ୫ଟି ଅଭୟାରଣ୍ୟରେ ୭୯ ହାତୀ, ବିଭିନ୍ନ ହସ୍ତୀ ଅଭୟାରଣ୍ୟ ବାହାରେ ୩୬୧ ହାତୀ ରହିଥିଲେ। ୧୯୭୬ ହାତୀଙ୍କ ମଧ୍ୟରୁ ୩୪୪ଟି ଅଣ୍ଡିରା, ୧୦୯୨ ମାଈ ଓ ୫୦୨ଟି ଛୁଆ ହାତୀ ରହିଥିଲେ। ୩୮ଟି ହାତୀଙ୍କର ଲିଙ୍ଗ ନିରୂପଣ ହୋଇ ପାରି ନଥିଲା। ତା’ପରଠାରୁ ଆଉ ଗଣନା ହୋଇ ନାହିଁ। ପ୍ରଶାସନିକ ସ୍ତରରେ ଅବହେଳା ସହ ହାତୀ ମୃତ୍ୟୁ ସଂଖ୍ୟା ତଥ୍ୟ ଲୁଚାଇବା ପାଇଁ ୨୦୧୯ ଓ ୨୦୨୧ରେ ହାତୀ ଗଣନା କରାଯାଇ ନ ଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ହାତୀଙ୍କ ଜନ୍ମ ଅନୁପାତରେ ମୃତ୍ୟ ସଂଖ୍ୟା ଢେର ଗୁଣା ବଢି ଯାଇଛି। ତେଣୁ ହାତୀଙ୍କ ସୁରକ୍ଷା ପାଇଁ ସରକାର ଯତ୍ନବାନ ହେବା ଜରୁରୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.